ସାଧାରଣ ଲୋକଙ୍କୁ ପୁଣି ଏକ ମହଙ୍ଗା ଝଟକା । ପନିପରିବା, ଖାଇବା ତେଲ ପରେ ଏବେ କ୍ଷୀର ଦର ବୃଦ୍ଧିକୁ ନେଇ ବଢ଼ିଛି ଚିନ୍ତା । ମଦର ଡେୟରୀ ପୁଣି ଥରେ କ୍ଷୀର ଦର ବଢ଼ାଇଛି । ଦିଲ୍ଲୀ-ଏନସିଆର ଅଞ୍ଚଳରେ ଲିଟର ପିଛା କ୍ଷୀର ଦରରେ ୨ରୁ ୬ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବା ସୂଚନା ମିଳିଛି । ଇନପୁଟ୍ ଖର୍ଚ୍ଚ ବଢ଼ିବା ଯୋଗୁଁ କମ୍ପାନୀ ଏହି ନିଷ୍ପତ୍ତି ନେଇଛି । ଫଳରେ ସାଧାରଣ ଓ ମଧ୍ୟବିତ୍ତ ପରିବାରର ମାସିକ ବଜେଟ୍ ଉପରେ ପଡ଼ିବ ଅତିରିକ୍ତ ବୋଝ ।
ସୂଚନା ଅନୁସାରେ, ଗତ ୬ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମଦର ଡେୟରୀ କ୍ଷୀର ଦର ବୃଦ୍ଧି କରିଛି । ପୂର୍ବରୁ ମଧ୍ୟ କମ୍ପାନୀ ଦାମ୍ ବଢ଼ାଇଥିବା ବେଳେ ଏବେ ପୁଣି ଦର ବୃଦ୍ଧି ଗ୍ରାହକଙ୍କ ଚିନ୍ତା ବଢ଼ାଇଦେଇଛି ।
କ୍ଷୀର ହେଉଛି ପ୍ରତ୍ୟେକ ଘରର ଏକ ଅତ୍ୟାବଶ୍ୟକ ସାମଗ୍ରୀ । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଖାଦ୍ୟରେ କ୍ଷୀରର ଗୁରୁତ୍ୱ ରହିଛି । ତେଣୁ କ୍ଷୀର ଦର ବଢ଼ିବା ଦ୍ୱାରା ପରିବାରର ଦୈନନ୍ଦିନ ଖର୍ଚ୍ଚ ମଧ୍ୟ ବଢ଼ିବ । ଅନ୍ୟପଟେ, ପନିପରିବା, ଖାଇବା ତେଲ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧିକୁ ନେଇ ଲୋକେ ପୂର୍ବରୁ ଚିନ୍ତାରେ ଅଛନ୍ତି । ଏଭଳି ସ୍ଥିତିରେ କ୍ଷୀର ଦର ବଢ଼ିବା ସାଧାରଣ ଲୋକଙ୍କ ଘରୋଇ ବଜେଟ୍କୁ ଆହୁରି ପ୍ରଭାବିତ କରିବ ।





