ଭୁବନେଶ୍ୱର: ଏହି ସପ୍ତାହରେ ବଙ୍ଗୋପସାଗରରେ ପୁଣି ଲଘୁଚାପ ସମ୍ଭାବନା । ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ନୂଆ ପାଣିପାଗ ବ୍ୟବସ୍ଥା । ଅବପାତରେ ପରିଣତ ହେଲେ ୧୬ ତାରିଖରୁ ଦକ୍ଷିଣ ଭାରତରେ ବଢ଼ିପାରେ ବର୍ଷା। ବଙ୍ଗୋପସାଗରରେ ପୁଣି ଦାନା ବାନ୍ଧିପାରେ ନୂଆ ଲଘୁଚାପ । ଚଳିତ ସପ୍ତାହର ଶେଷ ଭାଗ କିମ୍ବା ଆସନ୍ତା ସପ୍ତାହ ଷେଶ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପାଇଁ ପାଣିପାଗ ଅନୁକୂଳ ହୋଇପାରେ । ପରବର୍ତ୍ତୀ ସମୟରେ ଏହି ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ମଧ୍ୟ ସମ୍ଭାବନା ରହିଛି।
ପ୍ରାରମ୍ଭିକ ପାଣିପାଗ ଆକଳନ ଅନୁସାରେ, ୧୩ରୁ ୧୫ ମଧ୍ୟରେ କିମ୍ବା ଏହାର ଆଖପାଖ ସମୟରେ ଦକ୍ଷିଣ ବଙ୍ଗୋପସାଗରରେ ଏହି ପାଣିପାଗ ବ୍ୟବସ୍ଥା ସୃଷ୍ଟି ହୋଇପାରେ । ତେବେ ଏହାର ନିର୍ଦ୍ଦିଷ୍ଟ ସ୍ଥାନ, ଗତିପଥ ଓ ତୀବ୍ରତା ସମ୍ପର୍କରେ ଏବେଠାରୁ ସ୍ପଷ୍ଟ ଚିତ୍ର ମିଳିନାହିଁ । ଲଘୁଚାପ ଅଧିକ ଶକ୍ତିଶାଳୀ ହୋଇ ଅବପାତରେ ପରିଣତ ହେଲେ ନଭେମ୍ବର ୧୬ରୁ ଆରମ୍ଭ ହେଉଥିବା ସପ୍ତାହର ପ୍ରଥମ ଭାଗରେ ଦକ୍ଷିଣ ଭାରତର କେତେକ ଅଞ୍ଚଳରେ ବର୍ଷାର ପରିମାଣ ବୃଦ୍ଧି ପାଇପାରେ। ବିଶେଷକରି ତାମିଲନାଡୁ ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ସମ୍ଭାବନା ଉପରେ ନଜର ରହିବ। କିନ୍ତୁ କେଉଁ ରାଜ୍ୟରେ କେତେ ବର୍ଷା ହେବ, ତାହା ଲଘୁଚାପ ସୃଷ୍ଟି ହେବା ପରେ ଏହାର ଗତିପଥ ଉପରେ ନିର୍ଭର କରିବ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେବା ପରେ ଅକ୍ଟୋବର ଓ ନଭେମ୍ବର ମାସରେ ବଙ୍ଗୋପସାଗରରେ ଲଘୁଚାପ ଓ ଅବପାତ ସୃଷ୍ଟି ହେବା ଏକ ସାଧାରଣ ପାଣିପାଗ ପ୍ରକ୍ରିୟା ।
ଏହି ସମୟରେ ସମୁଦ୍ରର ଉଷ୍ଣ ଜଳରାଶି, ବାୟୁମଣ୍ଡଳରେ ଆର୍ଦ୍ରତା ଏବଂ ପବନର ଅନୁକୂଳ ପରିସ୍ଥିତି ଲଘୁଚାପ ସୃଷ୍ଟିରେ ସହାୟକ ହୋଇଥାଏ । ଏହା ସହ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଉତ୍ତର-ପୂର୍ବ ମୌସୁମୀ ବାୟୁ ଦକ୍ଷିଣ ଭାରତ, ବିଶେଷକରି ତାମିଲନାଡୁ ଓ ପୁଡୁଚେରୀ ଅଞ୍ଚଳରେ ବର୍ଷାର ଏକ ପ୍ରମୁଖ କାରଣ ହୋଇଥାଏ। ଏହି ସମୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେଲେ ବର୍ଷାର ତୀବ୍ରତା ବଢ଼ିପାରେ। ନିକଟରେ ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଓଡ଼ିଶାର ଦକ୍ଷିଣାଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା।
ବିଶେଷକରି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବନ୍ୟା, ଜଳବନ୍ଦୀ ଓ ଭୂସ୍ଖଳନ ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଥିଲା । ଆସିକା, ସୋରଡ଼ା ଓ ଭଞ୍ଜନଗର ଅଞ୍ଚଳରେ ବର୍ଷା ଓ ବନ୍ୟା ପରିସ୍ଥିତି ଚିନ୍ତା ବଢ଼ାଇଥିଲା। ତେବେ ଏଥର ସମ୍ଭାବ୍ୟ ଲଘୁଚାପ ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହେବାର ଆକଳନ ରହିଥିବାରୁ ପ୍ରାରମ୍ଭିକ ଭାବେ ଦକ୍ଷିଣ ଭାରତରେ ବର୍ଷା ସମ୍ଭାବନା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଓଡ଼ିଶା ଉପରେ ଏହାର ପ୍ରଭାବ କେତେ ରହିବ, ସେନେଇ ଏବେ କୌଣସି ନିଶ୍ଚିତ ଆକଳନ କରିବା ଉଚିତ ନୁହେଁ। ସବୁଠୁ ବଡ଼ କଥା ହେଉଛି, ଏବେ କେବଳ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ନିଶ୍ଚିତ ଭାବେ ଅବପାତ କିମ୍ବା ବାତ୍ୟାରେ ପରିଣତ ହେବ ବୋଲି କୁହାଯାଇପାରିବ ନାହିଁ ।
ଆଗାମୀ କିଛି ଦିନର ପାଣିପାଗ ତଥ୍ୟ ଏହାର ଗତିପଥ ଓ ସମ୍ଭାବ୍ୟ ପ୍ରଭାବକୁ ଅଧିକ ସ୍ପଷ୍ଟ କରିବ । ଅକ୍ଟୋବର ୨୮ରେ ଅତି ପ୍ରବଳ ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିଥିଲା । ଏହାର କିଛି ଦିନ ପରେ ନଭେମ୍ବର ୩ରେ ପ୍ରବଳ ସାମୁଦ୍ରିକ ଝଡ଼ ‘ମୁରାସୁ’ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିଥିଲା। ଅଳ୍ପ ବ୍ୟବଧାନରେ ଦୁଇଟି ବାତ୍ୟା ଉପକୂଳକୁ ପ୍ରଭାବିତ କରିବା ଏକ ବିରଳ ପାଣିପାଗ ଘଟଣା । ଏହି ଦୁଇ ବାତ୍ୟା ପରେ ପୁଣି ଏକ ନୂଆ ଲଘୁଚାପ ସମ୍ଭାବନା ଦେଖାଦେଇଥିବାରୁ ବଙ୍ଗୋପସାଗରର ପାଣିପାଗ ଉପରେ ନଜର ରହିଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବ ଆକଳନ ଅନୁସାରେ ୧୧ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ନିକଟରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା ପ୍ରଭାବରେ ୧୩ ବେଳକୁ ଲଘୁଚାପ ଏବଂ ୧୫ ବେଳକୁ ଅବପାତ ସୃଷ୍ଟିର ସମ୍ଭାବନା ରହିଛି ।





