ଆଜି ପବିତ୍ର କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର। ଏହି ଅବସରରେ ଶିବଭକ୍ତିରେ ଭିଜିଛି ସାରା ପରିବେଶ। ହର ହର ମହାଦେବ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଛି ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ମନ୍ଦିର। ଭୋରରୁ ହିଁ ପୀଠରେ ଲାଗିଛି ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି। ମହାଦେବଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଭକ୍ତଙ୍କ ସୁଅ ଛୁଟିଥିବା ବେଳେ ପୂରା ଧବଳେଶ୍ୱର ପୀଠ ଆଜି ଭକ୍ତିମୟ ହୋଇଉଠିଛି।
ଆଜିର ଏହି ବିଶେଷ ଦିନରେ ବାବା ଧବଳେଶ୍ୱର ଭକ୍ତଙ୍କୁ ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି। ମହାଦେବଙ୍କ ଏହି ମନୋରମ ବେଶ ଦର୍ଶନ କରିବା ପାଇଁ ସକାଳୁ ସକାଳୁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଛି। କେହି ହାତରେ ଧୂପ, ଦୀପ ଓ ଫୁଲ ଧରି ବାବାଙ୍କ ନିକଟରେ ପହଞ୍ଚୁଛନ୍ତି ତ ଆଉ କେହି ମୁଣ୍ଡିଆ ମାରି ନିଜ ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରୁଛନ୍ତି। କାର୍ତ୍ତିକ ମାସର ପବିତ୍ରତା ଏବଂ ସୋମବାରର ଧାର୍ମିକ ମହତ୍ତ୍ୱକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ରହିଛି ଅପୂର୍ବ ଉତ୍ସାହ।
ପୂଜକ ସମିତି ପକ୍ଷରୁ ନିର୍ଦ୍ଧାରିତ ସମୟ ଅନୁସାରେ ଭୋର ୪ଟାରୁ ମନ୍ଦିରର ପହଡ଼ ଖୋଲାଯାଇଥିଲା। ପହଡ଼ ଖୋଲିବା ପରେ ଆରମ୍ଭ ହୋଇଥିଲା ବାବାଙ୍କ ଦୈନନ୍ଦିନ ନୀତିକାନ୍ତି। ପ୍ରଥମେ ୧୦୮ ସୁବାସିତ ଜଳରେ ମହାଦେବଙ୍କୁ ସ୍ନାନ କରାଯାଇଥିଲା। ଏହାପରେ ମଙ୍ଗଳ ଆଳତି, ମାଇଲମ୍, ବାଳଭୋଗ ସମେତ ଅନ୍ୟାନ୍ୟ ପାରମ୍ପରିକ ରୀତିନୀତି ଶ୍ରଦ୍ଧା ଓ ନିଷ୍ଠାର ସହ ସମ୍ପନ୍ନ ହୋଇଥିଲା। ସମସ୍ତ ନୀତିକାନ୍ତି ଶେଷ ହେବା ପରେ ବାବାଙ୍କୁ ସୁନ୍ଦର ଭାବେ ବଡ଼ସିଂହାର ବେଶରେ ସଜ୍ଜିତ କରାଯାଇଥିଲା।
କାର୍ତ୍ତିକ ମାସରେ ଶିବ ଉପାସନାର ରହିଛି ସ୍ୱତନ୍ତ୍ର ମହତ୍ତ୍ୱ। ବିଶେଷକରି ସୋମବାର ଦିନ ମହାଦେବଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଭକ୍ତମାନେ ବିଶେଷ ଆଗ୍ରହ ପ୍ରକାଶ କରିଥାନ୍ତି। ଏହି କାରଣରୁ ଅନେକ ଶ୍ରଦ୍ଧାଳୁ ଧବଳେଶ୍ୱର ପୀଠରେ ରହି କାର୍ତ୍ତିକ ବ୍ରତ ପାଳନ କରୁଛନ୍ତି। କିଏ ଉପବାସ ରହି ବାବାଙ୍କ ଆରାଧନା କରୁଛନ୍ତି ତ ଆଉ କିଏ ଭଜନ, କୀର୍ତ୍ତନ ଓ ନାମ ସଂକୀର୍ତ୍ତନରେ ନିଜକୁ ସାମିଲ କରୁଛନ୍ତି। ବାବାଙ୍କ ଦର୍ଶନ କରି ମାନସିକ ପୂରଣ ହେବା ସହ ଜୀବନରେ ସୁଖଶାନ୍ତି ଫେରିବ ବୋଲି ଅନେକଙ୍କର ରହିଛି ଦୃଢ଼ ବିଶ୍ୱାସ।
ଅନ୍ୟପକ୍ଷରେ ପୀଠରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଯେପରି ଶ୍ରଦ୍ଧାଳୁମାନେ କୌଣସି ଅସୁବିଧା ବିନା ଧାଡ଼ିରେ ଯାଇ ବାବାଙ୍କ ଦର୍ଶନ କରିପାରିବେ, ସେଥିପ୍ରତି ଧ୍ୟାନ ଦିଆଯାଇଛି। ମନ୍ଦିରର ସମସ୍ତ ନୀତିକାନ୍ତି ଯେପରି ସୁଚାରୁରୂପେ ସମ୍ପାଦିତ ହେବ, ସେଥିପାଇଁ ମଧ୍ୟ ବ୍ୟବସ୍ଥା ରହିଛି।
ସକାଳୁ ଆରମ୍ଭ ହୋଇଥିବା ଭକ୍ତଙ୍କ ଭିଡ଼ ଦିନ ବଢ଼ିବା ସହ ଆହୁରି ବଢ଼ିବାର ଆଶା ରହିଛି। ବାବା ଧବଳେଶ୍ୱରଙ୍କ ଦିବ୍ୟ ବଡ଼ସିଂହାର ବେଶ ଦର୍ଶନ କରି ଭକ୍ତମାନେ ନିଜକୁ ଧନ୍ୟ ମନେ କରୁଛନ୍ତି। ଚାରିଆଡ଼େ ଭକ୍ତି, ଆସ୍ଥା ଓ ଆଧ୍ୟାତ୍ମିକତାର ପରିବେଶ ମଧ୍ୟରେ ଆଜି ପବିତ୍ର କାର୍ତ୍ତିକ ସୋମବାର ପାଳନ କରୁଛନ୍ତି ଶ୍ରଦ୍ଧାଳୁ। ମହାଦେବଙ୍କ ଦର୍ଶନ ସହ ଜୟ ଧବଳେଶ୍ୱର ଧ୍ୱନିରେ ମୁଖରିତ ହୋଇଉଠିଛି ସମଗ୍ର ଶୈବପୀଠ।





