ଭୁବନେଶ୍ୱର: ଓଡ଼ିଶା ସରକାର ରାଜ୍ୟର ସମସ୍ତ ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନ (କଲେଜ ଓ ବିଶ୍ୱବିଦ୍ୟାଳୟ) ଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣା Wi-Fi ସେବା ଯୋଗାଇଦେବାକୁ ଏକ ବଡ଼ ଘୋଷଣା କରିଛନ୍ତି। କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି, ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ଶିକ୍ଷାଗତ କାର୍ଯ୍ୟ ପାଇଁ ଇଣ୍ଟରନେଟ୍ର ସହଜ ଉପଯୋଗ କରିପାରିବେ। ସୂଚନା ଅନୁସାରେ ୪୯ ତମ ରାଜ୍ୟ କ୍ୟାବିନେଟ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏଥିରେ ୧୦ଟି ବିଭାଗର ୧୩ଟି ପ୍ରସ୍ତାବରେ ମୋହର ବାଜିଛି। ଏଥିରେ ରହିଛି କଲେଜରେ ଛାତ୍ରଛାତ୍ରୀଙ୍କ ସଶକ୍ତୀକରଣ ଫ୍ଲାଗସିପ୍ ଯୋଜନା।
ଏହି ଯୋଜନା ଅଧିନରେ ସମସ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟଳୟକୁ ମାଗଣା ଓ୍ବାଇଫାଇ ଇଣ୍ଟରନେଟ ସୁବିଧା ମିଳିବ। ଏହି ଯୋଜନା ପାଇଁ ୨୦୨୯ ଯାଏଁ ୩୯୩ କୋଟି ୬୨ ଲକ୍ଷ ଟଙ୍କା ମଞ୍ଜୁରୀ ଦିଆଯାଇଛି। ଏହି ଯୋଜନାରେ ପ୍ରତ୍ୟେକ ଛାତ୍ରଛାତ୍ରୀ କ୍ୟାମ୍ପସ୍ ମଧ୍ୟରେ ପ୍ରତିଦିନ ୧ GB ପର୍ଯ୍ୟନ୍ତ ମାଗଣା ଇଣ୍ଟରନେଟ୍ ଡାଟା ପାଇପାରିବେ। ପ୍ରଥମ ପର୍ଯ୍ୟାୟରେ ୧୩୦ଟି ମହାବିଦ୍ୟାଳୟରେ ଏହି ଯୋଜନା ସଫଳତାର ସହ କାର୍ଯ୍ୟକାରୀ ହୋଇଥିବାବେଳେ ବର୍ତ୍ତମାନ ଏହାକୁ ରାଜ୍ୟର ୬୦୧ଟି କଲେଜକୁ ସମ୍ପ୍ରସାରଣ କରାଯିବ।
କଲେଜ କ୍ୟାମ୍ପସରେ ଇଣ୍ଟରନେଟ୍ ମିଳିବା ଦ୍ୱାରା ଛାତ୍ରଛାତ୍ରୀମାନେ ଅନଲାଇନ୍ କ୍ଲାସ୍, ଇ-ଲାଇବ୍ରେରୀ ଏବଂ ଶିକ୍ଷା ସମ୍ବନ୍ଧୀୟ ରିସର୍ଚ୍ଚ ସହଜରେ କରିପାରିବେ। ଗରିବ ଓ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନେ, ଯେଉଁମାନେ ମହଙ୍ଗା ଇଣ୍ଟରନେଟ୍ ପ୍ୟାକ୍ କିଣିବାକୁ ଅସମର୍ଥ, ସେମାନେ ଏହାଦ୍ୱାରା ବହୁତ ଉପକୃତ ହେବେ। ଏହି ଯୋଜନା ରାଜ୍ୟର ଉଚ୍ଚ ଶିକ୍ଷା ଭିତ୍ତିଭୂମିକୁ ଅଧିକ ସୁଦୃଢ଼ ଓ ଆଧୁନିକ କରିବାରେ ସାହାଯ୍ୟ କରିବ। ଏହି ସୁବିଧା ଦ୍ୱାରା ଛାତ୍ରଛାତ୍ରୀ ଇ-ବୁକ୍, ଡିଜିଟାଲ୍ ଲାଇବ୍ରେରୀ, ଅନଲାଇନ୍ କ୍ଲାସ୍, SWAYAM ଏବଂ ଅନ୍ୟାନ୍ୟ MOOCs ପ୍ଲାଟଫର୍ମ, ଗବେଷଣା ଡାଟାବେସ୍ ଓ ପ୍ରତିଯୋଗିତାମୂଳକ ପରୀକ୍ଷା ଉତ୍ସ, ଦକ୍ଷତା ବିକାଶ ପ୍ଲାଟଫର୍ମପାଇଁ ଅଧ୍ୟୟନ ସହଜରେ କରିପାରିବେ। ଏଥିସହ SAMS, HIMS ଓ ବୃତ୍ତି ପୋର୍ଟାଲ୍ ଭଳି ଇ-ଗଭର୍ଣ୍ଣାନ୍ସ ସେବାର ଉପଯୋଗ ମଧ୍ୟ ସହଜ ହେବ।





