OdiaInfo Loading

ଗରିବଙ୍କୁ ସାହାଯ୍ୟ ନୁହେଁ, ଗରିବଙ୍କୁ ସଶକ୍ତ କରିବା ମୋଦୀଙ୍କ ଭିଜନ୍

ପ୍ରଧାନମନ୍ତ୍ରୀ ମୋଦୀଙ୍କ କେତେକ ପ୍ରମୁଖ ଯୋଜନା ଦେଶରେ ଗରିବୀ ଦୂରୀକରଣ ପାଇଁ ବାସ୍ତବିକ ଦୃଷ୍ଟିକୋଣରୁ ସହାୟକ ହୋଇଛି। ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ବ ନେବା ବେଳେ ଦେଶର ପ୍ରାୟ ୩୩କୋଟି ଜନତା ଦାରିଦ୍ର୍ଯ ସୀମାରେଖାର ତଳେ ଥିଲେ। ୨୦୧୪ ମସିହା ଜନସଂଖ୍ୟା ଅନୁସାରେ ପ୍ରତି ୪ ଜଣରେ ଜଣେ ଏହି ସୀମାରେଖାର ତଳେ ଥିଲା। ବିଶ୍ୱବ୍ୟାଙ୍କର ସଦ୍ୟତମ ତଥ୍ଯ ଅନୁସାରେ ଏହି ଅଙ୍କରେ ଆସିଛି ବିରାଟ ପରିବର୍ତ୍ତନ। ପ୍ରତି ୪୦ଜଣରେ ଜଣେ ଏବେ ଦାରିଦ୍ର୍ଯ ସୀମାରେଖାରେ ଅଛନ୍ତି।

ଭାରତରେ ଗରିବୀ ଦୂର କରିବା ପାଇଁ ଦଶନ୍ଧି ଧରି ଅନେକ ପ୍ରତିଶ୍ରୁତି ଦିଆଯାଇଥିଲା, କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏହା କେବଳ ସ୍ଲୋଗାନରେ ସୀମିତ ନ ରହି ଘରେ ଘରେ ପହଞ୍ଚିଲା। ତାଙ୍କର ଲକ୍ଷ୍ୟ ଥିଲା ସ୍ପଷ୍ଟ, ଗରିବଙ୍କୁ ସାହାଯ୍ୟ ନୁହେଁ, ଗରିବଙ୍କୁ ସଶକ୍ତ କରିବା।

ପ୍ରଥମ ବଡ଼ ପରିବର୍ତ୍ତନ ଆସିଲା ଜନ ଧନ ଯୋଜନାରୁ। କୋଟି କୋଟି ଗରିବ ପରିବାର ପ୍ରଥମ ଥର ପାଇଁ ବ୍ୟାଙ୍କ ସହ ଯୋଡ଼ି ହେଲେ। ସରକାରୀ ସହାୟତା ଏବେ ସିଧାସଳଖ ସେମାନଙ୍କ ଖାତାକୁ ଯାଉଛି, ମଝିରେ ଦଲାଲ ନାହାନ୍ତି।

ଉଜ୍ଜ୍ୱଳା ଯୋଜନା ମହିଳାମାନଙ୍କ ଜୀବନ ବଦଳାଇ ଦେଲା। ଧୂଆଁଭରା ଚୁଲିରୁ ମୁକ୍ତି ମିଳିଲା, ସ୍ୱାସ୍ଥ୍ୟ ଭଲ ହେଲା ଓ ସମୟ ବଞ୍ଚିଲା। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲକ୍ଷ ଲକ୍ଷ ପରିବାରକୁ ପକ୍କା ଘର ମିଳିଲା। ଘର ମାନେ କେବଳ ଛାତ ନୁହେଁ, ଘର ମାନେ ସମ୍ମାନ ଓ ନିରାପତ୍ତା।

ସ୍ୱଚ୍ଛ ଭାରତ ଅଭିଯାନ ଗାଁରେ ଶୌଚାଳୟ ଆଣିଲା, ରୋଗ କମାଇଲା। ଆୟୁଷ୍ମାନ ଭାରତ ଗରିବ ପରିବାରକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଦେଲା, ଯାହା ଫଳରେ ରୋଗ ହେଲେ ପରିବାର ଋଣରେ ବୁଡ଼ିବାରୁ ବଞ୍ଚିଲା।

ପିଏମ୍ କିସାନ ଯୋଜନାରେ ଚାଷୀଙ୍କୁ ସିଧା ଆର୍ଥିକ ସହାୟତା ମିଳିଲା। ମୁଦ୍ରା ଯୋଜନାରେ ବିନା ବନ୍ଧକରେ ଋଣ ମିଳିବାରୁ ଛୋଟ ବ୍ୟବସାୟୀ, ମହିଳା ଓ ଯୁବକମାନେ ନିଜ ଗୋଡ଼ରେ ଛିଡ଼ା ହେବାକୁ ସକ୍ଷମ ହେଲେ।

ପିଏମ୍ ଗରିବ କଲ୍ୟାଣ ଅନ୍ନ ଯୋଜନା କରୋନା ସମୟରେ କୋଟି କୋଟି ଲୋକଙ୍କୁ ଭୋକରୁ ରକ୍ଷା କଲା। ହର ଘର ଜଳ ଯୋଜନା ଘରେ ଘରେ ପିଇବା ପାଣି ପହଞ୍ଚାଇଲା।

ବିଶ୍ୱ ବ୍ୟାଙ୍କ ତଥ୍ୟ ଅନୁସାରେ ଭାରତରେ ଅତ୍ୟନ୍ତ ଗରିବୀ ଦ୍ରୁତ ଗତିରେ କମିଛି। ଏହା କେବଳ ଆକଳନ ନୁହେଁ, ଗାଁରେ ଘର, ଶୌଚାଳୟ, ଗ୍ୟାସ୍, ବିଦ୍ୟୁତ୍, ପାଣି ଓ ବ୍ୟାଙ୍କ ଖାତା ଏହାର ଜୀବନ୍ତ ପ୍ରମାଣ। ମୋଦୀଙ୍କ ଯୋଜନା ଗରିବଙ୍କୁ ଭିକାରୀ ନୁହେଁ, ଆତ୍ମନିର୍ଭର ନାଗରିକ କରିବାକୁ ଚେଷ୍ଟା କରିଛି।

Leave a Reply

Your email address will not be published. Required fields are marked *