ଭୁବନେଶ୍ୱର ; ଜୟୀ ରାଜଗୁରୁ ବୀର ପାଇକ ଜାତି ଭିତରେ ଦେଶପ୍ରେମର ଭାବନା ଉଦ୍ରେକ କରି ନିଜ ଅଞ୍ଚଳର ସୁରକ୍ଷା ପାଇଁ ଇଂରେଜମାନଙ୍କ ବିରୋଧରେ ଶସ୍ତ୍ର ଉଠାଇବା ପାଇଁ ସେ ଯେଉଁ ଉଦ୍ୟମ ଆରମ୍ଭ କରିଥିଲେ ତାହା ଆଜି ବି ଇତିହାସରେ ସ୍ୱର୍ଣ୍ଣାଧରରେ ଲିପିବଦ୍ଧ ହୋଇରହିଛି ।
ଜୟୀ ରାଜଗୁରୁ କେବଳ ରାଜ ପୁରୋହିତ ନ ଥିଲେ, ଜ୍ଞାନୀ, ଗୁଣୀ, ଭାଷାବିତ୍, ରାଜନୈତିକ ପରାମର୍ଶଦାତା ଏବଂ ଶାସ୍ତ୍ର ବିଶାରଦ ଭାବେ ସେ ପରିଚିତ ଥିଲେ । ତାଙ୍କ ପରାମର୍ଶ କ୍ରମେ ଇଂରେଜମାନଙ୍କ ଆଦେଶକୁ ଅବମାନନା ଆରମ୍ଭ ହେଲା । ମରହଟ୍ଟାମାନଙ୍କ ସହ ମିଶି ଖୋର୍ଦ୍ଧାର ବୀର ପାଇକମାନେ ଇଂରେଜ ଶାସନାଧୀନ ଅଞ୍ଚଳଗୁଡ଼ିକର ବହୁ କ୍ଷତି ଘଟାଇଲେ । ପରବର୍ତ୍ତୀ ସମୟରେ ବୀର ପାଇକମାନଙ୍କୁ ପ୍ରତିରୋଧ କରବାକୁ ଅକ୍ଷମତା ପ୍ରକାଶ କରି ଖୋର୍ଦ୍ଧାଗଡ଼କୁ ଦଖଲ ପାଇଁ ମାନ୍ଦ୍ରାଜ ସେନାବାହିନୀକୁ ଆସିବାକୁ ପଡ଼ିଥିଲା ।
ଡିସେମ୍ବର ୪ ତାରିଖ ଦିନ ଇଂରେଜମାନେ ଭାରତର ଶେଷ ସ୍ୱାଧୀନ ଦୁର୍ଗକୁ ନିଜ ଅକ୍ତିଆରକୁ ନେଇଥିଲେ । ପରବର୍ତ୍ତୀ ସମୟରେ ଜୟୀ ରାଜଗୁରୁଙ୍କୁ ମଧ୍ୟ ଇଂରେଜମାନେ ବନ୍ଦୀ କରିଥିଲେ । ରାଜାଙ୍କୁ ସୁରକ୍ଷା ଦେବା ପାଇଁ ସବୁ ଦୋଷକୁ ନିଜ ମୁଣ୍ଡକୁ ନେଇ ସମସ୍ତ ଘଟଣା ପାଇଁ ଜୟୀ ରାଜଗୁରୁ ନିଜକୁ ଦାୟୀ କରିଥିଲେ । ଫଳରେ ଜୟୀ ରାଜଗୁରୁଙ୍କୁ ଦୋଷୀ ସାବ୍ୟସ୍ତ କରାଇ ୧୮୦୬ ମସିହା ଡିସେମ୍ବର ୬ ତାରିଖରେ ମେଦିନୀପୁରର ବାଜିତୋଟାଠାରେ ଦୁଇଟି ବରଗଛର ଡାଳକୁ ପାଖକୁ ଲଗାଇ ଆଣି ସେଥିରେ ତାଙ୍କୁ ବାନ୍ଧି ଅତି ନିର୍ମମ ଭାବରେ ଇଂରେଜମାନେ ମୃତୁ୍ୟଦଣ୍ଡ ଦେଇଥିଲେ । ଜୟୀ ରାଜଗୁରୁଙ୍କ ସାଧୁତା, ଦେଶପ୍ରେମ, ସଚ୍ଚୋଟତା ଏବଂ ବୀରତ୍ୱ ଆଜି ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି ।
ଆଜି ମହାନ ବିପ୍ଳବୀ ଶହୀଦ ଜୟୀ ରାଜଗୁରୁଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ଭୁବନେଶ୍ୱରର ଏଜି ଛକସ୍ଥିତ ଶହୀଦ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ । ଏହା ସହିତ ବିଧାନସଭା ପାଶ୍ୱର୍ରେ ଆୟୋଜିତ ସଂକ୍ଷିପ୍ତ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡ଼ା, ଉପବାଚସ୍ପତି ଶ୍ରୀ ଭବାନୀଶଙ୍କର ଭୋଇ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ, ବିଧାୟକ ଶ୍ରୀ ବାବୁ ସିଂ, ଶ୍ରୀ ଦୁର୍ଗାଚରଣ ତନ୍ତୀ, ଶ୍ରୀ ଜଲେନ୍ ନାୟକ, ଜୟୀ ରାଜଗୁରୁ ସ୍ମୃତି ପରିଷଦ ଓ ପୂଜ୍ୟପୂଜା ସଂସଦର କାର୍ଯ୍ୟକର୍ତ୍ତା, ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସଂଜୟ କୁମାର ବିଶ୍ୱାଳ, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀମତୀ ଦୀପ୍ତିମୟୀ ମହାପାତ୍ର ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶହୀଦ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ପ୍ରଦାନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।





