OdiaInfo Loading

ବାତ୍ୟା ପ୍ରସ୍ତୁତିର ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ; କର୍ତ୍ତବ୍ୟରେ ଅବହେଳା ଗ୍ରହଣୀୟ ନୁହେଁ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ‘ଅକ୍‌ଭାନ୍‌’ର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ନାଗରିକଙ୍କ ସୁରକ୍ଷା, ସହରାଞ୍ଚଳ ଭିତ୍ତିଭୂମିର ସୁରକ୍ଷା ଏବଂ ଅତ୍ୟାବଶ୍ୟକ ନାଗରିକ ସେବାର ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ସହରାଞ୍ଚଳରେ ପ୍ରସ୍ତୁତି ଓ ପ୍ରତିଷେଧମୂଳକ ପଦକ୍ଷେପକୁ ଅଧିକ ଜୋରଦାର କରାଯାଇଛି।

ଗୃହ ଓ ନଗର ଉନ୍ନୟନ ବିଭାଗର ମାନ୍ୟବର ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଆଜି ଏକ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ସମସ୍ତ ମହାନଗର ନିଗମର କମିଶନର, ପୌର ନିର୍ବାହୀ ଅଧିକାରୀ ଏବଂ ଅନ୍ୟ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଥିଲେ।

ସମୀକ୍ଷା ସମୟରେ ମାନ୍ୟବର ମନ୍ତ୍ରୀ ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲ୍‌ବି) ଏବଂ ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ ସର୍ବୋଚ୍ଚ ସତର୍କତା ଅବଲମ୍ବନ କରିବା ସହ ବାତ୍ୟାର ପ୍ରଭାବକୁ ସର୍ବନିମ୍ନ କରିବା ପାଇଁ ସମସ୍ତ ସମ୍ଭାବ୍ୟ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜନସାଧାରଣଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା ହେବା ଉଚିତ ବୋଲି ଗୁରୁତ୍ୱାରୋପ କରି ସେ ଆଗୁଆ ଯୋଜନା, ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟ ଏବଂ ପ୍ରତ୍ୟେକ ସ୍ତରରେ ତ୍ୱରିତ ପଦକ୍ଷେପ ଗ୍ରହଣ ଉପରେ ଜୋର ଦେଇଥିଲେ। ବିଶେଷକରି ଜଳଯୋଗାଣ, ଡ୍ରେନେଜ୍ ଓ ପରିମଳ ଭଳି ଅତ୍ୟାବଶ୍ୟକ ନାଗରିକ ସେବା ଯେପରି ସମ୍ଭବ ନିରବଚ୍ଛିନ୍ନ ରହିବ, ସେଥିପ୍ରତି ଯତ୍ନବାନ ହେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ କର୍ତ୍ତବ୍ୟ ପାଳନରେ କୌଣସି ପ୍ରକାର ଅବହେଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ ଚେତାବନୀ ଦେଇଥିଲେ। ସମସ୍ତ ଅଧିକାରୀ ନିଜ ନିଜ ଦାୟିତ୍ୱକୁ ଅତ୍ୟନ୍ତ ଗମ୍ଭୀରତା, ସତର୍କତା ଓ ଉତ୍ତରଦାୟିତ୍ୱର ସହ ନିର୍ବାହ କରିବା ସହ ପ୍ରସ୍ତୁତି କିମ୍ବା ଜରୁରୀକାଳୀନ ପଦକ୍ଷେପରେ ଯେପରି କୌଣସି ତ୍ରୁଟି ନ ରହେ, ତାହା ସୁନିଶ୍ଚିତ କରିବାକୁ ସେ କହିଥିଲେ।

ତ୍ୱରିତ ଓ ଦୃଢ଼ ପଦକ୍ଷେପର ଆବଶ୍ୟକତା ଉପରେ ପୁନର୍ବାର ଗୁରୁତ୍ୱ ଦେଇ ଏସିଏସ୍ ଶ୍ରୀମତୀ ଉଷା ପାଢ଼ୀ ସମସ୍ତ ଅଧିକାରୀଙ୍କୁ ଆବଶ୍ୟକ ପ୍ରତିଷେଧମୂଳକ ପଦକ୍ଷେପ ନେବା ପାଇଁ ଆଉ କୌଣସି ନିର୍ଦ୍ଦେଶକୁ ଅପେକ୍ଷା ନକରିବାକୁ କହିଥିଲେ। ଜୀବନ ଓ ଜନସମ୍ପତ୍ତିର ସୁରକ୍ଷା ସହ ଅତ୍ୟାବଶ୍ୟକ ସେବା ଅବ୍ୟାହତ ରଖିବା ପାଇଁ ଯାହା କିଛି ପଦକ୍ଷେପ ନେବା ଆବଶ୍ୟକ, ତାହା ତୁରନ୍ତ ନିଆଯିବା ଉଚିତ। ଅଧିକାରୀମାନେ ନିଜ ନିଜ ଅଧିକାର ପରିସର ମଧ୍ୟରେ ସମୟୋଚିତ ନିଷ୍ପତ୍ତି ନେବା ସହ ଜରୁରୀ ପରିସ୍ଥିତିର ମୁକାବିଲାରେ ଯେପରି କୌଣସି ଅଯଥା ବିଳମ୍ବ ନ ହୁଏ, ସେଥିପ୍ରତି ଯତ୍ନବାନ ହେବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ବାତ୍ୟା ପ୍ରଭାବିତ ହେବାର ଆଶଙ୍କା ଥିବା ଜିଲ୍ଲାଗୁଡ଼ିକ ପାଇଁ ନୋଡାଲ୍ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି। ସମସ୍ତ ନିଯୁକ୍ତ ଅଧିକାରୀ ଆଜି ରାତି ସୁଦ୍ଧା ନିଜ ନିଜ ନିର୍ଦ୍ଧାରିତ ଜିଲ୍ଲାରେ ପହଞ୍ଚି ସେଠାରେ ଅବସ୍ଥାନ କରିବା ସହ ପରିସ୍ଥିତି ଉପରେ ନିକଟରୁ ନଜର ରଖିବାକୁ ଶ୍ରୀମତୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ। ସେମାନେ ଜିଲ୍ଲା ପ୍ରଶାସନ, ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଏବଂ ଅନ୍ୟ ସମ୍ପୃକ୍ତ ସଂସ୍ଥା ସହ ସମନ୍ୱୟ ରକ୍ଷା କରିବା ସହ ଆବଶ୍ୟକ ସ୍ଥଳେ ତୁରନ୍ତ ହସ୍ତକ୍ଷେପ ସୁନିଶ୍ଚିତ କରିବେ। ଅତିରିକ୍ତ ମାନବ ସମ୍ବଳ, ଯନ୍ତ୍ରପାତି କିମ୍ବା ଅନ୍ୟାନ୍ୟ ସାଧନର ଆବଶ୍ୟକତା ଥିଲେ ତାହା ବିନା ବିଳମ୍ବରେ ଯୋଗାଇ ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଏହି ସମୀକ୍ଷା ବୈଠକରେ ନିର୍ଦ୍ଦେଶକ, ପୌର ପ୍ରଶାସନ ଶ୍ରୀ ଅରିନ୍ଦମ ଡାକୁଆ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଗଙ୍ଗାଧର ନାୟକ, ଶ୍ରୀ ବିନୟ କୁମାର ଦାଶ, ଅତିରିକ୍ତ ଶାସନ ସଚିବ ଶ୍ରୀ ସୁଭାନନ୍ଦ ମହାପାତ୍ର, ଶ୍ରୀ ରବୀନ୍ଦ୍ର ସାହୁ, ଶ୍ରୀ ସୁବେନ୍ଦୁ କୁମାର ସାହୁ, ଶ୍ରୀ ଶତ୍ରୁଘ୍ନ କର, ଶ୍ରୀମତୀ ଏସ୍. ରାଉତରାୟ ଏବଂ ୱାଟ୍‌କୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଦେବବ୍ରତ ମହାନ୍ତିଙ୍କ ସମେତ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *