OdiaInfo Loading

ବାତ୍ୟା ‘ଅକଭାନ୍’ ମୁକାବିଲା ପାଇଁ  ସଂପୂର୍ଣ୍ଣ ପ୍ରସ୍ତୁତ ରାଜ୍ୟ ସରକାର; ପ୍ରସ୍ତୁତିର ଟିକନିଖ ସମୀକ୍ଷା କରୁଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ

ସମ୍ଭାବ୍ୟ ବାତ୍ୟା ‘ଅକଭାନ୍’ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରାଜ୍ୟ ସରକାର
ବାତ୍ୟା ପ୍ରସ୍ତୁତିର ଟିକନିଖ ସମୀକ୍ଷା କରୁଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ
ମାଝୀ
ସମସ୍ତ ବିଭାଗର ସଚିବଙ୍କ ସହ ଆଲୋଚନା କରି ଆଲର୍ଟ ରହିବାକୁ ନିର୍ଦ୍ଦେଶ
ଆଗୁଆ ପଦକ୍ଷେପ ନେଇ ୨୪ ଘଣ୍ଟିଆ ଡ୍ୟୁଟିରେ ୧୦ ବରିଷ୍ଠ IAS ଅଧିକାରୀ

ଭୁବନେଶ୍ୱର, ୧୮ ନଭେମ୍ବର ୨୦୨୬: ସମ୍ଭାବ୍ୟ ବାତ୍ୟା ‘ଅକୱାନ’ର ମୁକାବିଲା ଏବଂ ଏହାର ସମସ୍ତ ପ୍ରସ୍ତୁତି ପର୍ବକୁ ନେଇ ଆଜି ରାଜ୍ୟ ଏସ.ଆର୍.ସି. (SRC) କଣ୍ଟ୍ରୋଲ ରୁମ୍‌ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ତଥା ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ବୈଠକରେ ଅଧ୍ୟକ୍ଷତା କରି ସମଗ୍ର ସ୍ଥିତିର ସମୀକ୍ଷା କରିଥିବାବେଳେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ମଧ୍ୟ ଉପସ୍ଥିତ ରହି ବିଭିନ୍ନ ବିଭାଗର ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି ।

ଏହି ଅବସରରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ରାଜ୍ୟ ସରକାର ଏହାର ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ପ୍ରତିଥର ଭଳି ଏଥର ମଧ୍ୟ ଆମର ଲକ୍ଷ୍ୟ ହେଉଛି’ଜିରୋ କାଜୁଆଲଟି’ । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚାଇବା ପାଇଁ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକ ପ୍ରସ୍ତୁତ କରାଯାଇଛି । ବିଶେଷକରି ପାହାଡ ତଳି ଅଞ୍ଚଳରେ ଥିବା ସବୁ ଲୋକଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ସେ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବାତ୍ୟା ପାଇଁ SRCଙ୍କ କଣ୍ଟ୍ରୋଲ ରୁମ୍‌ରେ ଆଜିଠାରୁ ଜଣେ ଲେଖାଏଁ ଅଭିଜ୍ଞ ଅଧିକାରୀଙ୍କ ପରିଚାଳନାରେ ୨୪ ଘଣ୍ଟିଆ ମନିଟରିଙ୍ଗ୍ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଆଜି ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ମନିଟରିଙ୍ଗ୍ ଦାୟିତ୍ୱରେ ଅଛନ୍ତି ।
ପାଣିପାଗ ବିଭାଗର ସୂଚନା ଓ ଆକଳନ ଅନୁଯାୟୀ, ଏହି ବାତ୍ୟାଟି ଆସନ୍ତା ନଭେମ୍ବର ୨୦ ତାରିଖ ମଧ୍ୟାହ୍ନରେ ଉତ୍ତର ଆନ୍ଧ୍ରପ୍ରଦେଶର ନର୍ସାପୁର ଏବଂ ପୁରୀ ମଧ୍ୟରେ ସ୍ଥଳଭାଗ (ଲ୍ୟାଣ୍ଡଫଲ୍) ଅତିକ୍ରମ କରିବାର ସମ୍ଭାବନା ରହିଛି ।

ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହିତ ଘଣ୍ଟାପ୍ରତି ୯୦ ରୁ ୧୦୦ କିଲୋମିଟର ଏବଂ କେତେକ ସ୍ଥାନରେ ୧୧୦ କିଲୋମିଟର ପର୍ଯ୍ୟନ୍ତ ପ୍ରବଳ ଝଟକା ପବନ ବହିବାର ଆଶଙ୍କା ରହିଛି। ୧୧ଟି ଜିଲ୍ଲାକୁ ରେଡୱାର୍ଣ୍ଣିଙ୍ଗ୍ ଅଛି । ଏହି ଜିଲ୍ଲାଗୁଡ଼ିକ ହେଲା- ମାଲକାନଗିରି, କୋରାପୁଟ, ରାୟଗଡା, କଳାହାଣ୍ଡି, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ପୁରୀ, ନୟାଗଡ଼ ଏବଂ ଖୋର୍ଦ୍ଧା । ଏହି ଜିଲ୍ଲାମାନଙ୍କରେ ୧୯ ଓ ୨୦ ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ଗୁଡ଼ିକରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି ।

ବର୍ତ୍ତମାନ ସୁଦ୍ଧା ୪୪୮ ଟି ବାତ୍ୟା ଆଶ୍ରୟ ସ୍ଥଳୀ କାର୍ଯ୍ୟକ୍ଷମ କରାଯାଇଛି । ୩ ହଜାରରୁ ଅଧିକ ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ କରାଯାଉଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା କାର୍ଯ୍ୟ ଆରମ୍ଭ ହୋଇଗଲାଣି । ରେଡ ୱାର୍ଣ୍ଣିଙ୍ଗ୍ ଥିବା ଜିଲ୍ଲା ଗୁଡିକରୁ ୪୭ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇସାରିଛି । ଗଞ୍ଜାମରେ ସର୍ବାଧିକ ୨୫ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଜଗତସିଂହପୁରରେ ୧୧ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ଚିହ୍ନଟ କରାଯାଇଛି । ଆଜି ରାତି ସୁଦ୍ଧା ସେମାନଙ୍କୁ ସ୍ଥାନାନ୍ତରିତ କରାଯିବ । ୧୩୧୩ ଜଣ ଗର୍ଭବତୀ ମହିଳାମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି ।

ଉଦ୍ଧାର କାର୍ଯ୍ୟ ପାଇଁ ୬୦ଟି ଓଡ୍ରାଫ୍ ଏବଂ ୧୪ଟି NDRF ସମୁଦାୟ ୭୪ଟି ଟିମ୍ ନିୟୋଜିତ କରାଯାଇଛି । ଅଧିକ ୨୦ଟି ଟିମ୍‌କୁ ମଧ୍ୟ ଆଲର୍ଟରେ ରଖାଯାଇଛି ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଉଦ୍ଧାର ଓ ରିଲିଫ୍‌କାର୍ଯ୍ୟ ପରିଚାଳନା ପାଇଁ ଆଗୁଆ ପାଣ୍ଠି ଯୋଗାଇ ଦିଆଯାଇଛି । ଗଞ୍ଜାମ ଜିଲ୍ଲାକୁ ୫ କୋଟି ଏବଂ ଅନ୍ୟ ୧୫ଟି ଜିଲ୍ଲାକୁ ୧ କୋଟି ଟଙ୍କା ଲେଖାଏଁ, ମାଲକାନଗିରି ଜିଲ୍ଲାକୁ ୫୦ ଲକ୍ଷ ଟଙ୍କା- ସମୁଦାୟ ୨୦.୫ କୋଟି ଟଙ୍କା ଆଗୁଆ ଦିଆଯାଇଛି ।

ଜିଲ୍ଲାୱାରୀ ନିୟୋଜିତ ହେଲେ ବରିଷ୍ଠ ଯନ୍ତ୍ରୀ ଅଧିକାରୀ

ବନ୍ୟା ନିୟନ୍ତ୍ରଣ ଓ ନଦୀବନ୍ଧର ସୁରକ୍ଷା ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ବରିଷ୍ଠ ଯନ୍ତ୍ରୀ ଅଧିକାରୀଙ୍କୁ ସମ୍ବେଦନଶୀଳ ଜିଲ୍ଲାଗୁଡ଼ିକରେ ନିୟୋଜିତ କରାଯାଇଛି । ନଭେମ୍ବର ୧୯ରୁ ୨୧ ତାରିଖ ଯାଏଁ ଅଧିକାରୀମାନେ ନିଜ ଦାୟିତ୍ୱପ୍ରାପ୍ତ ଜିଲ୍ଲାରେ ରହି ନଦୀବନ୍ଧ, ଦୁର୍ବଳ ସ୍ଥାନ ଓ ବନ୍ୟା ପ୍ରସ୍ତୁତିର ତଦାରଖ କରିବେ। ବାଲେଶ୍ୱର ଓ ଭଦ୍ରକ ପାଇଁ ଇଂ. ନିରଞ୍ଜନ ରାଉତ, କେନ୍ଦୁଝର ପାଇଁ ଇଂ. ଦୀପକ ମୁର୍ମୁ, ପୁରୀ ପାଇଁ ଇଂ. ଅମୀୟ କୁମାର ସେଠ ଏବଂ କେନ୍ଦ୍ରାପଡ଼ା ପାଇଁ ଇଂ. ସନ୍ଦୀପ କୁମାରଙ୍କୁ ଦାୟିତ୍ୱ ଦିଆଯାଇଛି ।

ଏହାସହ ସମ୍ବେଦନଶୀଳ ନଦୀ ଅବବାହିକା, ଡ୍ୟାମ୍ ଓ ନଦୀବନ୍ଧରେ ୨୪ ଘଣ୍ଟିଆ ନିରୀକ୍ଷଣ ଏବଂ ରାତ୍ରିକାଳୀନ ପାଟ୍ରୋଲିଂକୁ କଡ଼ାକଡ଼ି କରିବାକୁ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ନିର୍ଦ୍ଦେଶ ଦେଇଛନ୍ତି । ଜନସାଧାରଣ ଓ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କଠାରୁ ମିଳୁଥିବା ପ୍ରତ୍ୟେକ ସତର୍କ ସୂଚନା ଉପରେ ତୁରନ୍ତ ପଦକ୍ଷେପ ନେବାକୁ ମଧ୍ୟ କୁହାଯାଇଛି ।

୬୦ ଓଡ୍ରାଫ୍ ଟିମ୍ ମୁତୟନ; ଗଞ୍ଜାମରେ ସର୍ବାଧିକ ୧୨

ବାତ୍ୟା ସମୟରେ ଜରୁରୀ ଉଦ୍ଧାର ଓ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୋଟ ୬୦ଟି ଓଡ୍ରାଫ୍ ଟିମ୍ ନିୟୋଜିତ କରାଯାଇଛି । ଏଥିମଧ୍ୟରୁ ୫୪ଟି ଟିମ୍ ବିଭିନ୍ନ ସ୍ଥାନରେ ମୁତୟନ ହୋଇଥିବା ବେଳେ ଅବଶିଷ୍ଟ ୬ଟି ଟିମ୍‌କୁ ରିଜର୍ଭରେ ରଖାଯାଇଛି । ଟିମ୍ ମୁତୟନ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ଗଞ୍ଜାମରେ ୧୨ଟି ଓ ପୁରୀରେ ୯ଟି ଓଡ୍ରାଫ୍ ଟିମ୍ ମୁତୟନ ହୋଇଛନ୍ତି । ସେହିପରି ଗଜପତି ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ୬ଟି ଲେଖାଏଁ ଟିମ୍ ନିୟୋଜିତ ହୋଇଛନ୍ତି ।

ଅନ୍ୟପଟେ କନ୍ଧମାଳ, ଜଗତସିଂହପୁର, ମାଲକାନଗିରି, ନବରଙ୍ଗପୁର, ବାଲେଶ୍ୱର, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ୩ଟି ଲେଖାଏଁ ଟିମ୍ ମୁତୟନ କରାଯାଇଛି । ଏହାବ୍ୟତୀତ କୋରାପୁଟ OSAP ତୃତୀୟ ବାଟାଲିୟନରେ ୩ଟି ଏବଂ କଟକ OSAP ଷଷ୍ଠ ବାଟାଲିୟନରେ ୩ଟି ଟିମ୍ ରିଜର୍ଭ ରଖାଯାଇଛି । ବାତ୍ୟା ସମୟରେ ଜଳବନ୍ଦୀ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର, ରାସ୍ତା ଅବରୋଧ ହଟାଇବା, ବିପଦପୂର୍ଣ୍ଣ ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତର ଏବଂ ଜରୁରୀକାଳୀନ ସହାୟତା ଯୋଗାଇବାରେ ଏହି ଟିମ୍‌ଗୁଡ଼ିକ ନିୟୋଜିତ ହେବେ ।

ପବନର ବେଗ ୯୦ କିମି; ରେଡ୍ ଜୋନ୍‌ରେ ୫ ଜିଲ୍ଲା

ବାତ୍ୟାର ଗତିପଥ ନେଇ ଭାରତୀୟ ପାଣିପାଗ ବିଭାଗ (IMD)ର ନୂଆ ଆକଳନ ପରେ ଉପକୂଳ ଓଡ଼ିଶାରେ ଚିନ୍ତା ବଢ଼ିଛି। ପୂର୍ବରୁ ପବନର ବେଗ ଘଣ୍ଟାପ୍ରତି ୭୦ କିଲୋମିଟର ରହିବା ଆକଳନ କରାଯାଉଥିବା ବେଳେ ନୂଆ ଆକଳନ ଅନୁସାରେ ଏହା ୯୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିବା ଆଶଙ୍କା ରହିଛି । ପ୍ରଦତ୍ତ ପାଣିପାଗ ଆକଳନ ଅନୁଯାୟୀ, ନଭେମ୍ବର ୧୯ରୁ ପୁରୀ, ଗଞ୍ଜାମ, କେନ୍ଦ୍ରାପଡ଼ା, କନ୍ଧମାଳ ଓ ଗଜପତି ଜିଲ୍ଲାକୁ ରେଡ୍ ଜୋନ୍‌ରେ ରଖାଯାଇଛି ।ସେହିପରି କୋରାପୁଟ, ରାୟଗଡ଼ା, ନୟାଗଡ଼, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲା ଅରେଞ୍ଜ ଜୋନ୍‌ରେ ରହିଛି । ଅନ୍ୟପଟେ ନବରଙ୍ଗପୁର, କଳାହାଣ୍ଡି, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ଜୋନ୍‌ରେ ରଖାଯାଇଛି ।

ଜଳ ସମ୍ପଦ ବିଭାଗର ୨୪ ଘଣ୍ଟିଆ ନିରୀକ୍ଷଣ; ଜଳଭଣ୍ଡାରରେ ଆଗୁଆ ଜଳ ନିଷ୍କାସନ

ବାତ୍ୟାଜନିତ ବର୍ଷା ଯୋଗୁଁ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ବରିଷ୍ଠ ଯନ୍ତ୍ରୀ ଅଧିକାରୀଙ୍କୁ ସମ୍ବେଦନଶୀଳ ଜିଲ୍ଲାରେ ନିୟୋଜିତ କରାଯାଇଛି । ବାଲେଶ୍ୱର ଓ ଭଦ୍ରକ ପାଇଁ ଇଂ. ନିରଞ୍ଜନ ରାଉତ, କେନ୍ଦୁଝର ପାଇଁ ଇଂ. ଦୀପକ ମୁର୍ମୁ, ପୁରୀ ପାଇଁ ଇଂ. ଅମୀୟ କୁମାର ସେଠ ଏବଂ କେନ୍ଦ୍ରାପଡ଼ା ପାଇଁ ଇଂ. ସନ୍ଦୀପ କୁମାରଙ୍କୁ ଦାୟିତ୍ୱ ଦିଆଯାଇଛି । ଏଥିସହ ନଦୀବନ୍ଧ, ଡ୍ୟାମ୍ ଓ ସମ୍ବେଦନଶୀଳ ନଦୀ ଅବବାହିକାରେ ୨୪ ଘଣ୍ଟିଆ ନିରୀକ୍ଷଣ ସହ ରାତ୍ରିକାଳୀନ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି । ଜଳଭଣ୍ଡାରରେ ବର୍ଷାଜଳ ଗଚ୍ଛିତ ରଖିବା ପାଇଁ ଆଗୁଆ ଯୋଜନାବଦ୍ଧ ଓ ନିୟନ୍ତ୍ରିତ ଜଳ ନିଷ୍କାସନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।

ସହରାଞ୍ଚଳ ପ୍ରସ୍ତୁତିର ସମୀକ୍ଷା; ଅବହେଳା ଗ୍ରହଣୀୟ ନୁହେଁ

ଗୃହ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ସମସ୍ତ ମହାନଗର ନିଗମ କମିଶନର ଓ ପୌର ନିର୍ବାହୀ ଅଧିକାରୀଙ୍କ ସହ ବାତ୍ୟା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ସହରାଞ୍ଚଳରେ ଡ୍ରେନ୍, କଲଭର୍ଟ ଓ ବର୍ଷାଜଳ ନିଷ୍କାସନ ନାଳ ସଫା କରିବା ସହ ଜଳବନ୍ଦୀ ହେବାର ଆଶଙ୍କା ଥିବା ଅଞ୍ଚଳ ଚିହ୍ନଟ କରିବାକୁ କୁହାଯାଇଛି । ଜଳ ନିଷ୍କାସନ ପମ୍ପ, ଜେନେରେଟର, ଯନ୍ତ୍ରପାତି ଓ ଆବଶ୍ୟକ ମାନବ ସମ୍ବଳ ପ୍ରସ୍ତୁତ ରଖିବା ସହ ସମସ୍ତ ସହରାଞ୍ଚଳରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ ରଖିବାକୁ ନିର୍ଦ୍ଦେଶ ରହିଛି । ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଏହି ଜରୁରୀ ପରିସ୍ଥିତିରେ କର୍ତ୍ତବ୍ୟ ପାଳନରେ କୌଣସି ଅବହେଳାକୁ ବରଦାସ୍ତ କରାଯିବ ନାହିଁ । ଏସିଏସ୍ ଉଷା ପାଢ଼ୀ ମଧ୍ୟ ଉପରୁ ନିର୍ଦ୍ଦେଶକୁ ଅପେକ୍ଷା ନକରି ନିଜ ଅଧିକାର ପରିସରରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ କହିଛନ୍ତି ।

ସ୍ୱାସ୍ଥ୍ୟସେବା ପାଇଁ ଆଗୁଆ ପ୍ରସ୍ତୁତି; ଔଷଧ ଓ ଆମ୍ବୁଲାନ୍ସ ସଜାଗ

ବାତ୍ୟା ସମୟରେ ସ୍ୱାସ୍ଥ୍ୟସେବା ଯେପରି ବ୍ୟାହତ ନହୁଏ, ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ଜିଲ୍ଲାକୁ ସତର୍କ ରହିବାକୁ କହିଛି । ହସ୍ପିଟାଲଗୁଡ଼ିକରେ ଡିଜି ସେଟ୍, ଇନଭର୍ଟର, ଇନ୍ଧନ, ପାଣି ଓ ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥା ପ୍ରସ୍ତୁତ ରଖାଯିବ । ପାରାସିଟାମଲ୍, ଆଣ୍ଟିବାୟୋଟିକ୍, ଓଆର୍‌ଏସ୍, କ୍ଲୋରିନ୍ ଟାବଲେଟ୍, ସାପ କାମୁଡ଼ା ପ୍ରତିଷେଧକ ଔଷଧ ଓ ଅନ୍ୟାନ୍ୟ ଜରୁରୀ ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ରହିଛି । ଆମ୍ବୁଲାନ୍ସ, ମୋବାଇଲ୍ ହେଲ୍‌ଥ ୟୁନିଟ୍ ଓ ରାପିଡ୍ ରେସପନ୍ସ ଟିମ୍‌କୁ ମଧ୍ୟ ଆବଶ୍ୟକ ସ୍ଥଳେ ତୁରନ୍ତ ନିୟୋଜନ ପାଇଁ ପ୍ରସ୍ତୁତ ରଖାଯିବ । ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ପ୍ରସବ କେନ୍ଦ୍ରକୁ ସ୍ଥାନାନ୍ତର କରିବା ଓ ତଳିଆ ଅଞ୍ଚଳରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରର ଔଷଧକୁ ସୁରକ୍ଷିତ ସ୍ଥାନକୁ ନେବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।

ବସୁଧା ହେଲ୍ପଲାଇନ୍ ୧୯୧୬ ଜରିଆରେ ପାନୀୟ ଜଳ ବ୍ୟବସ୍ଥାର ଯାଞ୍ଚ

ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ସ୍ୱାଭାବିକ ରଖିବା ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ବସୁଧା ହେଲ୍ପଲାଇନ୍ ୧୯୧୬ ମାଧ୍ୟମରେ ଜିଲ୍ଲାୱାରୀ ପ୍ରସ୍ତୁତିର ଯାଞ୍ଚ କରୁଛି । ଜଳ ଟ୍ୟାଙ୍କର, ପାନୀୟ ଜଳ ବୋତଲ, ବ୍ଲିଚିଂ ପାଉଡର, ପମ୍ପ, ପାଇପ୍, ଡିଜି ସେଟ୍ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀର ଉପଲବ୍ଧତା ଯାଞ୍ଚ କରାଯାଉଛି। ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାଏକ ଦୁର୍ଗମ ଓ ସମ୍ବେଦନଶୀଳ ଅଞ୍ଚଳରେ ମଧ୍ୟ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ଗୁରୁତ୍ୱ ଦେଇଛନ୍ତି ।

ନଭେମ୍ବର ୧୮ରୁ ୨୨ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ବାତ୍ୟା ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ନଭେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି । ଛୁଟିରେ ଥିବା କର୍ମଚାରୀମାନଙ୍କୁ ତୁରନ୍ତ ନିଜ ନିଜ କାର୍ଯ୍ୟସ୍ଥଳରେ ଯୋଗଦେବାକୁ ନିର୍ଦ୍ଦେଶ ରହିଛି । ସମସ୍ତ ବିଭାଗକୁ ସମନ୍ୱୟ ରଖି କାର୍ଯ୍ୟ କରିବା, ଜିଲ୍ଲା ଓ ବ୍ଲକ୍ ସ୍ତରରେ କଣ୍ଟ୍ରୋଲ ରୁମ୍ ସକ୍ରିୟ ରଖିବା ଏବଂ ଯେକୌଣସି ଜରୁରୀ ସୂଚନା ମିଳିଲେ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି ।

୮ ଜିଲ୍ଲାରେ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି

ବାତ୍ୟାର ସମ୍ଭାବ୍ୟ ପ୍ରଭାବ ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୮ଟି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରାଯାଇଛି । ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC)ଙ୍କ ପକ୍ଷରୁ ଗଞ୍ଜାମ, ଗଜପତି, ପୁରୀ, କେନ୍ଦ୍ରାପଡ଼ା, କନ୍ଧମାଳ ଓ ଜଗତସିଂହପୁର ଜିଲ୍ଲାରେ ନଭେମ୍ବର ୧୯ରୁ ୨୧ ତାରିଖ ଯାଏଁ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା କରାଯାଇଛି ।

ସେହିପରି ଖୋର୍ଦ୍ଧା ଓ ମାଲକାନଗିରି ଜିଲ୍ଲାରେ ଜିଲ୍ଲାପାଳଙ୍କ ପକ୍ଷରୁ ନଭେମ୍ବର ୧୯ ଓ ୨୦ ତାରିଖରେ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ଘୋଷଣା କରାଯାଇଛି ।ଏହି ପଦକ୍ଷେପ ଦ୍ୱାରା ବାତ୍ୟା ପ୍ରଭାବିତ ହେବାର ଆଶଙ୍କା ଥିବା ଅଞ୍ଚଳରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ଯାତାୟାତଜନିତ ବିପଦକୁ ଏଡ଼ାଇବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି ।

ମୋଟାମୋଟି ଭାବେ, ବାତ୍ୟା ‘ଅକଭାନ୍‌’କୁ ମୁକାବିଲା କରିବା ପାଇଁ ଓଡ଼ିଶା ସରକାର ପ୍ରଶାସନିକ, ବୈଷୟିକ ଓ ଉଦ୍ଧାରକାରୀ ସ୍ତରରେ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । ୬୦ ଓଡ୍ରାଫ୍ ଟିମ୍ ମୁତୟନଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ବନ୍ଦ, ଜଳଭଣ୍ଡାର ପରିଚାଳନା, ହସ୍ପିଟାଲ୍ ପ୍ରସ୍ତୁତି ଓ ୨୪ ଘଣ୍ଟିଆ ନିରୀକ୍ଷଣ ପର୍ଯ୍ୟନ୍ତ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ଏବେ ସମସ୍ତଙ୍କ ନଜର ବାତ୍ୟାର ପରବର୍ତ୍ତୀ ଗତିପଥ ଓ ପାଣିପାଗ ବିଭାଗର ନୂଆ ଆକଳନ ଉପରେ ।

Leave a Reply

Your email address will not be published. Required fields are marked *