ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଅକଭାନ୍’କୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲାରେ ବନ୍ୟା ମୁକାବିଲା ଓ ଜନସୁରକ୍ଷା ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ପାରଳାଖେମୁଣ୍ଡିସ୍ଥିତ ଜଳ ସମ୍ପଦ ଭବନଠାରେ ଗଜପତି ଜଳସେଚନ ଡିଭିଜନ ପକ୍ଷରୁ ଏକ ୨୪ ଘଣ୍ଟିଆ ବନ୍ୟା ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରାଯାଇଛି। ଏହା ମାଧ୍ୟମରେ ବାତ୍ୟାର ଗତିପଥ, ବର୍ଷାର ପରିମାଣ, ନଦୀ ଜଳସ୍ତର ଓ ଜଳପ୍ରବାହ ଉପରେ ନିରନ୍ତର ନଜର ରଖାଯାଉଛି।
ଅଧୀକ୍ଷଣ ଯନ୍ତ୍ରୀଙ୍କ ନେତୃତ୍ୱରେ କ୍ଷେତ୍ରୀୟ ଯନ୍ତ୍ରୀ ଓ ଅଧିକାରୀମାନେ ବଂଶଧାରା ଓ ମହେନ୍ଦ୍ରତନୟା ନଦୀ ସମେତ ଏହାର ଶାଖା ଜଳପଥଗୁଡ଼ିକର ବିଭିନ୍ନ ବିପଦସଂକୁଳ ସ୍ଥାନ ପରିଦର୍ଶନ କରି ନଦୀବନ୍ଧ ଓ ବନ୍ୟା ସୁରକ୍ଷା ବ୍ୟବସ୍ଥାର ସ୍ଥିତି ଯାଞ୍ଚ କରୁଛନ୍ତି। ନଦୀବନ୍ଧ ଓ ନଦୀକୂଳ ଅଞ୍ଚଳରେ ୨୪ ଘଣ୍ଟିଆ ନିରୀକ୍ଷଣ ସହ ରାତ୍ରିକାଳୀନ ପାଟ୍ରୋଲିଂକୁ ଜୋରଦାର କରାଯାଇଛି।
ବିପଦସଂକୁଳ ସ୍ଥାନଗୁଡ଼ିକରେ ବାଲିବସ୍ତା, ଖାଲି ସିମେଣ୍ଟ ବସ୍ତା, ବାଉଁଶ ଖୁଣ୍ଟ ଓ ଅନ୍ୟାନ୍ୟ ଜରୁରୀକାଳୀନ ସାମଗ୍ରୀ ମହଜୁଦ ରଖାଯାଇଛି। ଏଥିସହ କ୍ଷେତ୍ରୀୟ ଅଧିକାରୀମାନେ ସ୍ଥାନୀୟ ଲୋକପ୍ରତିନିଧି ଓ ପଞ୍ଚାୟତିରାଜ ସଂସ୍ଥାର ପ୍ରତିନିଧିମାନଙ୍କ ସହ ଆଲୋଚନା କରି ସତର୍କତାମୂଳକ ପଦକ୍ଷେପ ସମ୍ପର୍କରେ ସଚେତନ କରୁଛନ୍ତି।
ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନ ସହ ନିୟମିତ ସମନ୍ୱୟ ରକ୍ଷା କରାଯାଇ ବର୍ଷା ରେକର୍ଡ, ନଦୀ ଜଳସ୍ତର ଓ କ୍ଷେତ୍ରସ୍ତରୀୟ ରିପୋର୍ଟ ଆଦାନପ୍ରଦାନ କରାଯାଉଛି। ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିଜ ନିଜ ମୁଖ୍ୟାଳୟରେ ରହି ନିରନ୍ତର ସତର୍କତା ଓ କାର୍ଯ୍ୟକ୍ଷମ ପ୍ରସ୍ତୁତି ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଛୁଟି ଓ ମୁଖ୍ୟାଳୟ ଛାଡ଼ିବା ଉପରେ କଟକଣା ଜାରି କରାଯାଇଛି।





