ରାଜ୍ୟରେ ନୂଆ ରାସନ କାର୍ଡ ବଣ୍ଟନକୁ ନେଇ ବିଧାନସଭାରେ ବଡ଼ ତଥ୍ୟ ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଗତ ଦୁଇ ବର୍ଷ ମଧ୍ୟରେ ୭ ଲକ୍ଷ ୭୬ ହଜାର ୮୧୪ଟି ପରିବାରର ୧୫ ଲକ୍ଷ ୩୮ ହଜାର ୯୨ ଜଣ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ପ୍ରଦାନ କରାଯାଇଛି। ଅନ୍ୟପଟେ, ନୂଆ ରାସନ କାର୍ଡ ପାଇଁ ଆବେଦନ ଓ ଯାଞ୍ଚ ପ୍ରକ୍ରିୟାରେ ରହିଛି ଏକାଧିକ ପର୍ଯ୍ୟାୟ।
ନୂଆ ରାସନ କାର୍ଡ ପାଇଁ ରାଜ୍ୟରେ ମୋଟ ୨୩ ଲକ୍ଷ ୧୫ ହଜାର ୯୪୬ ଜଣ ଆବେଦନ କରିଥିଲେ। ସେଥିମଧ୍ୟରୁ ୧୮ ଲକ୍ଷ ୬ ହଜାର ୧୬୯ଟି ଆବେଦନର ଯାଞ୍ଚ ଶେଷ ହୋଇଛି। ଆବେଦନଗୁଡ଼ିକର ଯାଞ୍ଚ ପରେ ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଉଛି। କ୍ଷେତ୍ରସ୍ତରୀୟ ଯାଞ୍ଚ ପରେ ୧୦ ଲକ୍ଷ ୨୯ ହଜାର ୩୫୫ଟି ଆବେଦନକୁ ଅଯୋଗ୍ୟ ବିବେଚିତ କରାଯାଇଛି। ଅନ୍ୟପଟେ, ୫ ଲକ୍ଷ ୯ ହଜାର ୭୭୭ଟି ଆବେଦନର କ୍ଷେତ୍ର ଯାଞ୍ଚ ଏବେ ବି ଜାରି ରହିଛି। ତେଣୁ ନୂଆ ରାସନ କାର୍ଡ ପାଇଁ ଆବେଦନ କରିଥିବା ଅନେକଙ୍କ ଆବେଦନ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଆସିବା ବାକି ରହିଛି।
ଏହି ସମସ୍ତ ତଥ୍ୟ ବିଧାନସଭାରେ ଲିଖିତ ଉତ୍ତର ମାଧ୍ୟମରେ ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଦୁଇ ବର୍ଷରେ ୧୫ ଲକ୍ଷରୁ ଅଧିକ ହିତାଧିକାରୀ ନୂଆ ରାସନ କାର୍ଡ ପାଇଥିବା ବେଳେ, ଆବେଦନଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ମଧ୍ୟ ଜାରି ରହିଛି। ବିଧାନସଭାରେ ଉପସ୍ଥାପିତ ଏହି ତଥ୍ୟ ରାଜ୍ୟର ରାସନ କାର୍ଡ ବଣ୍ଟନ ଓ ଯାଞ୍ଚ ପ୍ରକ୍ରିୟାର ପୂରା ଚିତ୍ର ସାମ୍ନାକୁ ଆଣିଛି।





