OdiaInfo Loading

ବାଲିଯାତ୍ରାରେ ଅଘଟଣ ପରେ ବଡ଼ ନିଷ୍ପତ୍ତି; ବନ୍ଦ ରହିବ ସମସ୍ତ ଦୋଳି

କଟକ: ବାଲିଯାତ୍ରାରେ ଅଘଟଣ ପରେ ପ୍ରଶାସନର ବଡ଼ ନିଷ୍ପତ୍ତି। ଆଜି ବନ୍ଦ ରହିବ ବାଲିଯାତ୍ରା ପଡ଼ିଆରେ ଥିବା ସମସ୍ତ ଦୋଳି। ଗୁରୁବାର ରାମଦୋଳିରୁ ଖସିପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହେବା ପରେ ସୁରକ୍ଷା ଦୃଷ୍ଟିରୁ ଏଭଳି କଡ଼ା ପଦକ୍ଷେପ ନେଇଛି ପ୍ରଶାସନ। ଘଟଣାକୁ ଗୁରୁତ୍ୱର ସହ ନେଇ ବାଲିଯାତ୍ରା ପଡ଼ିଆରେ ଲାଗିଥିବା ସମସ୍ତ ଦୋଳିର ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯିବ।

ଦୋଳିଗୁଡ଼ିକର ସୁରକ୍ଷା ବ୍ୟବସ୍ଥା, ଆବଶ୍ୟକୀୟ ଅନୁମତି ଏବଂ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ପୁଣିଥରେ ଯାଞ୍ଚ କରାଯିବ। ଏହା ସହିତ ଦୋଳିଗୁଡ଼ିକର ଯାନ୍ତ୍ରିକ ସ୍ଥିତି ମଧ୍ୟ ଯାଞ୍ଚ କରିବେ ବୈଷୟିକ ଟିମ୍। ଟେକ୍ନିକାଲ୍ ଟିମ୍‌ର ଯାଞ୍ଚ ଏବଂ ମତାମତ ଆସିବା ପରେ ହିଁ ଦୋଳି ଚାଲିବା ନେଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ଏନେଇ ଏସିପି ଗିରିଜା ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି।

ପ୍ରକାଶଥାଉକି, ଗୁରୁବାର କଟକର ପ୍ରସିଦ୍ଧ ବାଲିଯାତ୍ରାର ତଳ ପଡ଼ିଆରେ ଏକ ଅଘଟଣ ଘଟିଥିଲା। ରାମଦୋଳିରେ ଚଢ଼ିଥିବା ସମୟରେ ଜଣେ ଯୁବକ ହଠାତ୍ ଦୋଳିରୁ ଖସିପଡ଼ିଥିଲେ। ଏହା ଦେଖି ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଆତଙ୍କ ଓ ଭୟର ପରିବେଶ ସୃଷ୍ଟି ହୋଇଥିଲା। ତୁରନ୍ତ ଅଗ୍ନିଶମ ବାହିନୀ ଏବଂ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଯୁବକଙ୍କୁ ଉଦ୍ଧାର କରିଥିଲେ।

ପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ ବା ଏସ୍‌ସିବି ମେଡିକାଲକୁ ନିଆଯାଇଥିଲା। ହେଲେ ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ଯୁବକଙ୍କ ଜୀବନ ବଞ୍ଚାଯାଇପାରିନଥିଲା। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ଏହି ଦୁଃଖଦ ଘଟଣା ପରେ ବାଲିଯାତ୍ରାରେ ଦୋଳିର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି।

ବାଲିଯାତ୍ରାକୁ ପ୍ରତିଦିନ ହଜାର ହଜାର ଲୋକ ଆସୁଥିବାବେଳେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଅନେକ ଲୋକ ବିଭିନ୍ନ ପ୍ରକାରର ଦୋଳିର ମଜା ନେଇଥାନ୍ତି। ତେଣୁ ଏଭଳି ଅଘଟଣ ପରେ ଦୋଳିର ସୁରକ୍ଷା ଯାଞ୍ଚକୁ ଅଧିକ ଗୁରୁତ୍ୱ ଦିଆଯାଉଛି। କୌଣସି ପ୍ରକାରର ଅବହେଳା ଯେପରି ଆଉ ନହୁଏ, ସେଥିପ୍ରତି ପ୍ରଶାସନ ସତର୍କ ରହିଛି।

ତେବେ ବୈଷୟିକ ଟିମ୍‌ର ଯାଞ୍ଚ ପରେ ଦୋଳିଗୁଡ଼ିକ ପୁଣିଥରେ ଚାଲିବ କି ନାହିଁ, ତାହା ସ୍ପଷ୍ଟ ହେବ। ସେପର୍ଯ୍ୟନ୍ତ ବାଲିଯାତ୍ରା ପଡ଼ିଆରେ ସମସ୍ତ ଦୋଳି ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।

Leave a Reply

Your email address will not be published. Required fields are marked *