OdiaInfo Loading

୮୦ ବର୍ଷର ଅପେକ୍ଷାର ଅନ୍ତ; ମୋହନ ମାଝୀଙ୍କ ହସ୍ତକ୍ଷେପ ପରେ ପୂଜାରୀବମ୍ବୁ ଗ୍ରାମକୁ ଆରମ୍ଭ ହେଲା ରାସ୍ତା ନିର୍ମାଣ

ରାୟଗଡ଼ା: ଦୀର୍ଘ ୮୦ ବର୍ଷର ଅପେକ୍ଷାର ଅନ୍ତ ଘଟିଛି। ଶେଷରେ ପୂଜାରୀବମ୍ବୁ ଗ୍ରାମକୁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତକ୍ଷେପ ଯୋଗୁଁ ଜିଲ୍ଲା ପ୍ରଶାସନ ରାସ୍ତା ନିର୍ମାଣ ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରିଛନ୍ତି। ମେସିନ ଲଗାଇ ରାସ୍ତା କାମ ଆରମ୍ଭ କରାଯାଇଛି। ଗ୍ରାମବାସୀଙ୍କ ବହୁଦିନର ସ୍ୱପ୍ନ ସାକାର ହେବାକୁ ଯାଉଛି। ଏଥିପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି ଗ୍ରାମବାସୀ ଓ ବିଜେପି ଯୁବନେତା ଗୋପାଳ ଖୁରା।

ରାୟଗଡ଼ା ସଦର ମହକୁମାଠାରୁ ମାତ୍ର ୬ କିଲୋମିଟର ଦୂରରେ ଥିବା ରାୟଗଡ଼ା ବ୍ଲକ ଅନ୍ତର୍ଗତ ବାଇଶିଙ୍ଗ ଗ୍ରାମପଞ୍ଚାୟତର ପୂଜାରୀବମ୍ବୁ ଗ୍ରାମ ଦୀର୍ଘ ବର୍ଷ ଧରି ରାସ୍ତା ସମସ୍ୟାର ସମ୍ମୁଖୀନ ହୋଇଆସୁଥିଲା। ଗ୍ରାମକୁ ସବୁଦିନିଆ ରାସ୍ତା ନଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା, ଦୈନନ୍ଦିନ ଯାତାୟାତ ଓ ଜରୁରୀ ସ୍ୱାସ୍ଥ୍ୟସେବା ଗୁରୁତର ଭାବେ ପ୍ରଭାବିତ ହେଉଥିଲା। ଏନେଇ ଗ୍ରାମବାସୀ ବାରମ୍ବାର ଦାବି ଜଣାଇ ଆସୁଥିଲେ।

ଗ୍ରାମବାସୀଙ୍କ ଅଭିଯୋଗ ପାଇବା ପରେ ବିଜେପିର ବରିଷ୍ଠ ନେତା ଛୋଟେଲାଲ ମହାନ୍ତଙ୍କ ନିର୍ଦ୍ଦେଶକ୍ରମେ ଗତ ୨୨ ତାରିଖ ଦିନ ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲି । ଏହାପରେ ଗ୍ରାମର ରାସ୍ତା ସମସ୍ୟା ସମ୍ପର୍କରେ ଛୋଟେଲାଲ ମହାନ୍ତଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସରକାରଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ପ୍ରଶାସନ ତ୍ୱରିତ ପଦକ୍ଷେପ ଗ୍ରହଣ କରିଛି।

ଅତିରିକ୍ତ ଜିଲ୍ଲାପାଳଙ୍କ ଉପସ୍ଥିତିରେ ରାୟଗଡ଼ା ବ୍ଲକ ପ୍ରଶାସନ ପକ୍ଷରୁ ପ୍ରୋକ୍ଲେନ୍‌ ମେସିନ୍‌ ନିୟୋଜିତ କରାଯାଇ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ମାଟି ସମତଳ କରିବା ସହ ରାସ୍ତା ନିର୍ମାଣ କାମ ଆଗେଇ ଚାଲିଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ପ୍ରକାଶ ପାଇଛି ବୋଲି ବିଜେପି ଯୁବ ନେତା ଖୁରା କହିଛନ୍ତି ।

ରାସ୍ତା ନିର୍ମାଣ ଶେଷ ହେଲେ ଗ୍ରାମବାସୀ ସହଜରେ ରାୟଗଡ଼ା ସହରକୁ ଯାତାୟାତ କରିପାରିବେ। ଛାତ୍ରଛାତ୍ରୀଙ୍କ ଶିକ୍ଷାଗ୍ରହଣ ସୁଗମ ହେବା ସହ ଜରୁରୀ ସମୟରେ ଚିକିତ୍ସା ସେବା ମଧ୍ୟ ଶୀଘ୍ର ପହଞ୍ଚିପାରିବ। ଏହା ଗ୍ରାମର ବିକାଶ ପାଇଁ ଏକ ନୂତନ ଅଧ୍ୟାୟ ବୋଲି ଗ୍ରାମର ପ୍ରମୁଖ ବ୍ୟକ୍ତି ଦୁର୍ଲଭ କଲକା ଭାବବିହ୍ୱଳ ହୋଇ କହିଥିବା ବେଳେ ଗ୍ରାମବାସୀ ମଧ୍ୟ ସରକାରଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି ।

ଏହି ଅବସରରେ ଗୋପାଳ ଖୁରା କହିଛନ୍ତି ଯେ, ଦୀର୍ଘ ବର୍ଷ ଧରି ଶାସନ କରିଥିବା ପୂର୍ବ ସରକାରଗୁଡ଼ିକ ଗ୍ରାମବାସୀଙ୍କ ଏହି ମୌଳିକ ସମସ୍ୟାର ସମାଧାନ କରିପାରିନଥିଲେ। ବର୍ତ୍ତମାନର ସରକାର ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ତ୍ୱରିତ ପଦକ୍ଷେପ ନେଇଥିବାରୁ ଲୋକଙ୍କ ମନରେ ସରକାରଙ୍କ ପ୍ରତି ଆସ୍ଥା ବଢ଼ିଛି। ବିଶେଷକରି ସମ୍ବେଦନଶୀଳ ପରିସ୍ଥିତିକୁ ଧୈର୍ଯ୍ୟ ଓ ସଂଯମତାର ସହ ପରିଚାଳନା କରିଥିବା ପୁଲିସ ଓ ପ୍ରଶାସନର ଭୂମିକା ପ୍ରଶଂସନୀୟ ବୋଲି ସେ କହିଛନ୍ତି।


ଏସଡିସି ଚେୟାରମେନ ବିଦ୍ୟା ଧର ଶବର, ଭାଇସ ଚେୟାରମେନ ମଞ୍ଜୁଳା ମିନିୟକା,ବିଜେପି ନେତା ବସନ୍ତ ଉଲାକା ପ୍ରମୁଖ ରାସ୍ତା ନିର୍ମାଣ ଆରମ୍ଭ ହେବାକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି। ଗ୍ରାମବାସୀଙ୍କ ଦୀର୍ଘଦିନର ଦାବି ପୂରଣ ଦିଗରେ ସରକାରଙ୍କ ତ୍ୱରିତ ପଦକ୍ଷେପ ଜିଲ୍ଲାର ଲୋକଙ୍କ ମଧରେ ସକାରାତ୍ମକ ସନ୍ଦେଶ ଦେଇଛିବୋଲି କହିଛନ୍ତି ।

ପୂଜାରୀବମ୍ବୁ ଗ୍ରାମକୁ ରାସ୍ତା ନିର୍ମାଣ ଆରମ୍ଭ ହେବା କେବଳ ଏକ ଯୋଗାଯୋଗ ବ୍ୟବସ୍ଥାର ବିକାଶ ନୁହେଁ, ବରଂ ଦୀର୍ଘଦିନ ଧରି ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀଙ୍କ ଜୀବନରେ ନୂତନ ଆଶା ସଞ୍ଚାର କରିଛି। ପୂଜାରୀବମ୍ବୁ ଘଟଣା ମୋହନ ମାଝୀ ସରକାରଙ୍କୁ ପୁଣି ଥରେ ଲୋକଙ୍କ ସରକାର ବୋଲି ପ୍ରମାଣିତ କରିଛି ବୋଲି ବିଜେପି ନେତାମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *