OdiaInfo Loading

ରବୀନ୍ଦ୍ର ମଣ୍ଡପରେ ‘ଜାତୀୟ କଣ୍ଢେଇ ନାଟ ଉତ୍ସବ’ ଉଦ୍‌ଘାଟିତ

ଭୁବନେଶ୍ୱର, ୨୭ ନଭେମ୍ବର, ୨୦୨୬: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ‘ଜାତୀୟ କଣ୍ଢେଇ ନାଟ ଉତ୍ସବ’ ଆୟୋଜିତ ହେଉଛି। ଏହି କଣ୍ଢେଇ ନାଟ ଉତ୍ସବ ନଭେମ୍ବର ୨୭ ଓ ୨୮ ତାରିଖ ଅର୍ଥାତ୍‌ ଦୁଇ ଦିନ ଧରି ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ହେବ। ଆଜିର ଉଦ୍‌ଘାଟନୀ ସମାରୋହରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ନିଜର ଅଭିଭାଷଣରେ ସେ କହିଥିଲେ ଯେ, ଆମ ଓଡ଼ିଶାର କଳା ଓ ସଂସ୍କୃତି ହେଉଛି ଆମର ପରିଚୟ। କଣ୍ଢେଇନାଟ ହେଉଛି ଏକ ସମୃଦ୍ଧ ଲୋକନାଟ୍ୟ। କାଠ, କପଡ଼ା ଓ ବିଭିନ୍ନ ସାମଗ୍ରୀରେ ନିର୍ମିତ କଣ୍ଢେଇ ମାଧ୍ୟମରେ କାହାଣୀ, ପୌରାଣିକ ଗାଥା ଓ ସାମାଜିକ ବାର୍ତ୍ତାକୁ ଅତି ଆକର୍ଷଣୀୟ ଢଙ୍ଗରେ ଉପସ୍ଥାପନ କରିବା ଏହି କଳାର ବିଶେଷତ୍ୱ। ସଙ୍ଗୀତ, ସଂଳାପ ଓ କଳାକାରଙ୍କ ନିଖୁଣ କୌଶଳର ସମନ୍ୱୟରେ କଣ୍ଢେଇ ନାଟ ଦର୍ଶକମାନଙ୍କ ମନୋରଞ୍ଜନ କରିବା ସହ ସମସ୍ତଙ୍କୁ ଶିକ୍ଷଣୀୟ ବାର୍ତ୍ତା ମଧ୍ୟ ପ୍ରଦାନ କରିଥାଏ।

ଆଜିର କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ଉପସ୍ଥିତି ଏହି ଉତ୍ସବକୁ ଆହୁରି ଆକର୍ଷଣୀୟ କରିଛି। କଣ୍ଢେଇ ନାଟ ଭଳି ସମୃଦ୍ଧ ନାଟ୍ୟ ପରମ୍ପରାକୁ ସଂରକ୍ଷଣ କରିବା ସହ ଏହାର ବହୁଳ ପ୍ରଚାର ଓ ପ୍ରସାର କରିବା ନିମନ୍ତେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଜାତୀୟ କଣ୍ଢେଇ ନାଟ ଉତ୍ସବର ଆୟୋଜନ ହେବା ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମତପ୍ରକାଶ କରିଛନ୍ତି।

କଣ୍ଢେଇ ନାଟକୁ ଯୁବପିଢ଼ିଙ୍କ ମଧ୍ୟରେ ଲୋକପ୍ରିୟ କରାଇବା ଦିଗରେ ଜାତୀୟ ‘କଣ୍ଢେଇ ନାଟ ଉତ୍ସବ’ ଏକ ପ୍ରମୁଖ ଭୂମିକା ନିର୍ବାହ କରୁଛି ବୋଲି ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ କହିଛନ୍ତି।

ଆଜିର ଉଦ୍‌ଘାଟନୀ ସମାରୋହରେ ରଙ୍ଗପୁଥିଲୀ ପପେଟିୟରସ୍, ବେଙ୍ଗାଲୁରୁ ‘କାଠି ଓ ସୂତା କଣ୍ଢେଇ’, ଶ୍ରୀ ନଟରାଜ ନିଳୟ ଚର୍ମଚିତ୍ର କଳା ପ୍ରଦର୍ଶନ କମିଟି, ଆନ୍ଧ୍ରପ୍ରଦେଶ ‘ଥୋଲବୋମାଲଥ : ଛାୟା କଣ୍ଢେଇ ନାଟ’, ଦେବଶିଳ୍ପୀ ବିଶ୍ୱକର୍ମା କଣ୍ଢେଇ ନାଚ, କେନ୍ଦୁଝର ‘ରାମଲୀଳା କଣ୍ଢେଇ ନାଟ’, ଶ୍ରୀରାମ ଛାୟାନାଟକ ଗବେଷଣା ପରିଷଦ, ଅନୁଗୋଳ ‘ରାବଣଛାୟା’, ଜୟ ଭାରତ କଣ୍ଢେଇ କଳା ପରିଷଦ, ଢେଙ୍କାନାଳ ‘ଗୋପଲୀଳା କଣ୍ଢେଇ ନାଟ’ (ସୂତା କଣ୍ଢେଇ ନାଟ), ବୁଦ୍ଧମ୍ ପପେଟ୍ରି, ବୌଦ୍ଧ ‘ସମକାଳୀନ କଣ୍ଢେଇ ନାଟ’ ପରିବେଷଣ କରିଥିଲେ।

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଆଜି ‘କଣ୍ଢେଇନାଟ : ଏକ ସଂସ୍କୃତିଯାତ୍ରା’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *