OdiaInfo Loading

କୃଷି ଓ ପାନୀୟ ଜଳ କ୍ଷେତ୍ରରେ ବଡ଼ ପଦକ୍ଷେପ, DIL-India ସହ ହାତ ମିଳାଇଲେ ଓଡ଼ିଶା ସରକାର

ଭୁବନେଶ୍ୱର, ୧୮/୧୧/୨୦୨୬: କୃଷି ଓ ଗ୍ରାମୀଣ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ନୂତନ ଜ୍ଞାନକୌଶଳ ଏବଂ ଅଭିନବ ପଦକ୍ଷେପର ବ୍ୟାପକ ପ୍ରସାର ପାଇଁ ଓଡ଼ିଶା ସରକାର ଓ ଡେଭଲପମେଣ୍ଟ ଇନୋଭେସନ୍ ଲ୍ୟାବ୍-ଇଣ୍ଡିଆ (DIL-India) ମଧ୍ୟରେ ଦୁଇ ବର୍ଷିଆ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଏହି ସହଭାଗିତା ମାଧ୍ୟମରେ ‘ବିକଶିତ ଓଡ଼ିଶା ଭିଜନ୍ ୨୦୩୬ ସହ ୨୦୪୭’ର ଲକ୍ଷ୍ୟ ପୂରଣ ଦିଗରେ ପ୍ରମାଣଭିତ୍ତିକ ଗବେଷଣା, ନୂତନ ଉଦ୍ଭାବନର ପରୀକ୍ଷଣ ଏବଂ ସଫଳ ଯୋଜନାଗୁଡ଼ିକର ବ୍ୟାପକ କାର୍ଯ୍ୟକାରିତାକୁ ଗୁରୁତ୍ୱ ଦିଆଯିବ।

ଲୋକସେବା ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦା, ଆଇଏଏସ୍ ଏବଂ ୟୁନିଭର୍ସିଟି ଅଫ୍ ଚିକାଗୋ ଟ୍ରଷ୍ଟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡଃ ଲେନି ଚୌଧୁରୀ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। ଏହି ଅବସରରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଆଇଏଏସ୍ ଏବଂ ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂହଙ୍କ ସମେତ ସମ୍ପୃକ୍ତ ବିଭାଗର ବରିଷ୍ଠ ସଚିବମାନେ ଉପସ୍ଥିତ ଥିଲେ।

ନୋବେଲ ପୁରସ୍କାର ବିଜେତା ପ୍ରଫେସର ମାଇକେଲ୍ କ୍ରେମରଙ୍କ ଅର୍ଥନୀତିଭିତ୍ତିକ ଗବେଷଣା ପଦ୍ଧତିକୁ ଆଧାର କରି DIL-India ବିଭିନ୍ନ ଅଭିନବ ଯୋଜନାର ଚିହ୍ନଟ, ପରୀକ୍ଷଣ, ସଂଶୋଧନ ଏବଂ ବ୍ୟାପକ ପ୍ରସାର ଦିଗରେ କାର୍ଯ୍ୟ କରିଥାଏ। ୨୦୨୩ ମସିହାରୁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସହ DIL-Indiaର ଚାଲିଥିବା ବୈଷୟିକ ସହଯୋଗକୁ ଏହି MoU ଆନୁଷ୍ଠାନିକ ରୂପ ଦେଇଛି।

ଏହି ସହଯୋଗର ପ୍ରାଥମିକ କ୍ଷେତ୍ରଗୁଡ଼ିକ ମଧ୍ୟରେ କୃଷକମାନଙ୍କୁ କୃତ୍ରିମ ବୁଦ୍ଧିମତ୍ତା (AI) ଆଧାରିତ ସ୍ଥାନୀୟ ପାଣିପାଗ ସୂଚନା ଓ କୃଷି ପରାମର୍ଶ ପ୍ରଦାନ, ଗ୍ରାମାଞ୍ଚଳର ପାଇପ୍‌ ଜଳ ଯୋଗାଣ ଯୋଜନାରେ ନିରାପଦ ପାନୀୟ ଜଳ ସୁନିଶ୍ଚିତ କରିବା ଏବଂ ପ୍ରମାଣଭିତ୍ତିକ ଗବେଷଣା ଆଧାରରେ ନୀତିଗତ ନୂତନତ୍ୱ ଓ ତଦାରଖ ବ୍ୟବସ୍ଥାକୁ ସୁଦୃଢ଼ କରିବା ଅନ୍ତର୍ଭୁକ୍ତ ରହିଛି।

ଏହି ସହଭାଗିତା ସମ୍ପର୍କରେ ୟୁନିଭର୍ସିଟି ଅଫ୍ ଚିକାଗୋ ଟ୍ରଷ୍ଟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡଃ ଲେନି ଚୌଧୁରୀ କହିଛନ୍ତି ଯେ, ଓଡ଼ିଶା ସରକାରଙ୍କ ସହ ଏହି ସହଭାଗିତାକୁ ଆହୁରି ସୁଦୃଢ଼ କରି ସେମାନେ ଆନନ୍ଦିତ। ସରକାରଙ୍କ ସହ ମିଶି ରାଜ୍ୟର ବିଭିନ୍ନ ଅଭିନବ ଓ ପ୍ରାଥମିକତାଭିତ୍ତିକ କାର୍ଯ୍ୟକ୍ରମ ପାଇଁ ପ୍ରୟୋଗମୂଳକ ଗବେଷଣା ଓ ପ୍ରମାଣଭିତ୍ତିକ ତଥ୍ୟ ଯୋଗାଇବା ଦିଗରେ ସଂସ୍ଥା କାର୍ଯ୍ୟ କରିବ।

ସେହିପରି DIL-Indiaର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡଃ ୟାମିନୀ ଆତ୍ମଭିଲାସ କହିଛନ୍ତି ଯେ, ପ୍ରମାଣଭିତ୍ତିକ ନୀତି ନିର୍ଦ୍ଧାରଣ ପାଇଁ ଓଡ଼ିଶା ସରକାରଙ୍କ ନିରନ୍ତର ପ୍ରତିବଦ୍ଧତା ରହିଛି। କୌଣସି ଅଭିନବ ଯୋଜନାକୁ ବ୍ୟାପକ ଭାବେ ଲାଗୁ କରିବା ପୂର୍ବରୁ ତାହାର ବୈଜ୍ଞାନିକ ପରୀକ୍ଷଣ ଓ ଆବଶ୍ୟକ ସଂଶୋଧନ ଅତ୍ୟନ୍ତ ଜରୁରୀ। ସରକାରୀ ଅନୁଷ୍ଠାନଗୁଡ଼ିକ ସହ ମିଶି ଗବେଷଣା କରିବା ଦ୍ୱାରା ଏହାର ପ୍ରକୃତ ସୁଫଳ ଲୋକଙ୍କ ନିକଟରେ ପହଞ୍ଚିପାରିବ।

ଏହି ସହଯୋଗର ସଫଳ ରୂପାୟନ ପାଇଁ ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଷ୍ଟିୟରିଂ କମିଟି ଗଠନ କରାଯିବ। ଏଥିରେ ସମ୍ପୃକ୍ତ ବିଭାଗର ବରିଷ୍ଠ ସରକାରୀ ଅଧିକାରୀ ଏବଂ DIL-Indiaର ବରିଷ୍ଠ ପ୍ରତିନିଧିମାନେ ସଦସ୍ୟ ରହିବେ। ଏହି କମିଟି ପ୍ରତିବର୍ଷ ଦୁଇଥର ବୈଠକ କରି ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି, ନିର୍ଦ୍ଧାରିତ ଲକ୍ଷ୍ୟ ଏବଂ ଗବେଷଣାଭିତ୍ତିକ ମୂଲ୍ୟାୟନର ସମୀକ୍ଷା କରିବ।

ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଥିଲେ ଯେ, ଏହି ସହଭାଗିତା ତଥ୍ୟଭିତ୍ତିକ ଶାସନ ବ୍ୟବସ୍ଥା ଓ ଜଳବାୟୁ ସହନଶୀଳତାକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ‘କୃଷି ସମୃଦ୍ଧି’ ଏବଂ ‘କୃଷି ୩୬୦’ ଢାଞ୍ଚା ଅଧୀନରେ AI ଆଧାରିତ ମୌସୁମୀ ପୂର୍ବାନୁମାନକୁ ଆଧାର କରି କୃଷକମାନଙ୍କୁ ସ୍ଥାନୀୟ ପାଣିପାଗ ସୂଚନା, କୃଷି ପରାମର୍ଶ ଏବଂ ଉତ୍ତାପ ସମ୍ପର୍କିତ ପୂର୍ବ ସତର୍କ ସୂଚନା ପ୍ରଦାନ କରାଯିବ। ଏଥିସହ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ଗ୍ରାମୀଣ ଏକକ ଜଳ ଯୋଗାଣ ଯୋଜନା (Single Village Schemes) ଗୁଡ଼ିକରେ ଇନ୍‌ଲାଇନ୍ କ୍ଲୋରିନେସନ୍ ବ୍ୟବସ୍ଥାର ସମ୍ପ୍ରସାରଣ, ପ୍ରଶିକ୍ଷଣ ଓ ନିରୀକ୍ଷଣ ବ୍ୟବସ୍ଥା ସୁଦୃଢ଼ କରିବାରେ ସହଯୋଗ କରାଯିବ।

ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂହ କହିଥିଲେ ଯେ, ଏହି ସହଯୋଗ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମକୁ ବୈଷୟିକ ସହାୟତା ଓ ଗବେଷଣା ମାଧ୍ୟମରେ ଆହୁରି ଶକ୍ତିଶାଳୀ କରିବ। ଭବିଷ୍ୟତରେ ଆବଶ୍ୟକତା ଅନୁଯାୟୀ ରାଜ୍ୟର ଅନ୍ୟ ବିଭାଗଗୁଡ଼ିକ ମଧ୍ୟ ଏହି ବୁଝାମଣାପତ୍ର ଅଧୀନରେ DIL-India ସହ ସହଭାଗିତା ସ୍ଥାପନ କରିପାରିବେ।

ଏହି ପଦକ୍ଷେପ ଦ୍ୱାରା କୃଷି କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳର ବ୍ୟବହାର, କୃଷକଙ୍କୁ ସଠିକ୍ ସମୟରେ ପାଣିପାଗ ସୂଚନା ପ୍ରଦାନ ଏବଂ ଗ୍ରାମାଞ୍ଚଳରେ ନିରାପଦ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାର ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *