ଆଜି ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ‘ପ୍ରଜ୍ଞା ପ୍ରେରଣା : ଜାତୀୟ ଶିକ୍ଷା ନୀତି-୨୦୨୦ର କାର୍ଯ୍ୟକାରିତା ଏବଂ କାର୍ଯ୍ୟାନ୍ଵୟନ କର୍ମଶାଳା’ର ଦ୍ଵିତୀୟ ସଂସ୍କରଣ ଆୟୋଜିତ ହୋଇଯାଇଛି।
ଏହି କର୍ମଶାଳାରେ ଦେଶର ବିଶିଷ୍ଟ ଶିକ୍ଷାବିତ୍, ରାଜ୍ୟର ବିଭିନ୍ନ ବିଶ୍ୱ ବିଦ୍ୟାଳୟର କୁଳପତି, ରେଜିଷ୍ଟ୍ରାର, ପିଜି କାଉନସିଲ ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଓ ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ଯୋଗଦେଇଥିଲେ। ଉଚ୍ଚଶିକ୍ଷାରେ ଜାତୀୟ ଶିକ୍ଷା ନୀତି-୨୦୨୦ର ପ୍ରଣୟନ, ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥାରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପ ଏବଂ ଏକ ଗୁଣାତ୍ମକ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ଆବଶ୍ୟକ ରହୁଥିବା ବିଭିନ୍ନ ପଦକ୍ଷେପ ସମ୍ବନ୍ଧରେ ଆଜିର କର୍ମଶାଳାରେ ସବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।
ଆଜିର ‘ପ୍ରଜ୍ଞା ପ୍ରେରଣା’ କର୍ମଶାଳାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ ସେ କହିଥିଲେ ଯେ, ଆମ ସରକାର ଆସିବା ପରେ ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି-୨୦୨୦କୁ ପ୍ରଣୟନ କରାଯାଇଛି। ଜାତୀୟ ଶିକ୍ଷା ନୀତି ଆଧାରରେ ସ୍ନାତକ ପାଠ୍ୟକ୍ରମରେ Multiple Entry & Exit ବ୍ୟବସ୍ଥା ରହିବା ସହ ପାଠ୍ୟକ୍ରମକୁ Multidisciplinary କରିବା ନିମନ୍ତେ ପଦକ୍ଷେପ ନିଆଯାଇଛି।ସ୍ନାତକ ପାଠ୍ୟକ୍ରମରେ Value Added Course, Skill Enhancement Course ଆଦିକୁ ଅନ୍ତର୍ଭୁକ୍ତ କରାଯାଇଛି। ଏଥିସହ ସ୍ନାତକ ପାଠ୍ୟକ୍ରମରେ ଅଧ୍ୟୟନରତ ୧ ଲକ୍ଷ ୬୦ ହଜାର ୭୦୭ ଜଣ ଛାତ୍ରଛାତ୍ରୀମାନଙ୍କୁ ଇଣ୍ଟର୍ନସିପ୍ ସୁଯୋଗ ପ୍ରଦାନ କରାଯାଇଛି। ଏଥିସହ ଚଳିତ ବର୍ଷ ରାଜ୍ୟରେ ଜ୍ଞାନୋଦୟ- କେଜିରୁ ପିଜି ନିଃଶୁଳ୍କ ଶିକ୍ଷାଦାନ ଯୋଜନା ଲାଗୁ କରାଯାଇଛି। କେଜିରୁ ପିଜି ପର୍ଯ୍ୟନ୍ତ ନିଃଶୁଳ୍କ ଶିକ୍ଷାଦାନ ଯୋଜନା ଲାଗୁ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ। ଜ୍ଞାନୋଦୟ ଯୋଜନା ଲାଗୁ ହେବା ପରେ ଚଳିତ ବର୍ଷ ସ୍ନାତକ ପାଠ୍ୟକ୍ରମ ରେଗୁଲାର କୋର୍ସରେ ୧୪,୭୫୮ ଜଣ ଅଧିକ ଛାତ୍ରଛାତ୍ରୀ ନାମଲେଖାଇଛନ୍ତି। ଏଥିସହ ଜ୍ଞାନୋଦୟ ଯୋଜନା ଅଧୀନରେ ଚଳିତ ବର୍ଷ ଆକାଂକ୍ଷୀ ଜିଲ୍ଲାରେ ନାମଲେଖା ପ୍ରତିଶତ ସର୍ବାଧିକ ରହିଛି। କଳାହାଣ୍ଡି ଜିଲ୍ଲାରେ ୯୯.୦୯%, କୋରାପୁଟ ଜିଲ୍ଲାରେ ୯୮.୮୨%, ବଲାଙ୍ଗୀର ଜିଲ୍ଲାରେ ୯୫.୫୭%, ମାଲକାନଗିରି ଜିଲ୍ଲାରେ ୯୫.୩୭% ଓ ନବରଙ୍ଗପୁର ଜିଲ୍ଲାରେ ୯୪.୬୪% ନାମଲେଖା ପ୍ରତିଶତ ରହିଛି।
‘ଓଡିଶା ଶିକ୍ଷା ନେଟ୍’ ଯୋଜନା ମାଧ୍ୟମରେ ରାଜ୍ୟର ସରକାରୀ ଓ ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ମାଗଣା ୱାଇଫାଇ ଯୋଗାଇଦେବା ପାଇଁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ଏଥିନିମନ୍ତେ ଆଗାମୀ ୩ ବର୍ଷ ପାଇଁ ୩୯୩.୬୨ କୋଟି ଟଙ୍କାର ବଜେଟ୍ ପ୍ରାବଧାନ ରହିଛି। ଏହା ମାଧ୍ୟମରେ କଲେଜ କ୍ୟାମ୍ପସରେ ପ୍ରତ୍ୟେକ ଦିନ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ 1 GB ଡାଟା ଉପଲବ୍ଧ କରାଯିବ। ରାଜ୍ୟରେ ପ୍ରଥମ ଥର ପାଇଁ ରାଜ୍ୟ ସ୍ତରୀୟ ନବ ସୃଜନ ଓ ନୂତନ ଉଦ୍ୟମ ପ୍ରତିଯୋଗିତାର ଆୟୋଜନ କରାଯାଇ ରାଜ୍ୟ ସ୍ତରରେ ଶ୍ରେଷ୍ଠତା ହାସଲ କରିଥିବା ୧୦ ଟି ପ୍ରକଳ୍ପକୁ ୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ରାଶି ପ୍ରଦାନ କରାଯାଇଛି। ରାଜ୍ୟରେ ଏକ ସମାବେଶୀ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ସହ ‘ସମସ୍ତଙ୍କ ପାଇଁ ଶିକ୍ଷା, ସମସ୍ତଙ୍କ ପାଇଁ ଉଚ୍ଚଶିକ୍ଷା’ ଲକ୍ଷ୍ୟ ନେଇ କାର୍ଯ୍ୟ କରାଯାଉଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।
ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି ପ୍ରଣୟନ ହେବା ସହ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ଉପରେ ଗୁରୁତ୍ୱାରୋପ କରାଯାଉଛି। ଏଥିସହ ଓଡ଼ିଶାର ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍କୁ ପ୍ରୋତ୍ସାହିତ କରାଯିବା ସହ ଉଚ୍ଚକୋଟୀର ଗବେଷଣା ଉପରେ ପ୍ରାଧାନ୍ୟ ଦିଆଯାଉଛି ବୋଲି ବିଶିଷ୍ଟ ଶିକ୍ଷାବିତ୍ ପଦ୍ମଶ୍ରୀ ପ୍ରଫେସର ଏମ୍. ଜଗଦୀଶ କୁମାର କହିଛନ୍ତି।
ଆଜିର କର୍ମଶାଳାରେ ଓଡ଼ିଶାରେ ଜାତୀୟ ଶିକ୍ଷାନୀତି-୨୦୨୦ର କାର୍ଯ୍ୟକାରିତା, ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ, ଆଧୁନିକ ପାଠ୍ୟକ୍ରମରେ ଭାରତୀୟ ଜ୍ଞାନ ପ୍ରଣାଳୀର ସଂଯୋଗୀକରଣ, ଉଚ୍ଚଶିକ୍ଷାରେ ନବ ସୃଜନ, ଉଚ୍ଚକୋଟୀର ଗବେଷଣା ଆଦି ବିଭିନ୍ନ ବିଷୟବସ୍ତୁକୁ ନେଇ ଶିକ୍ଷାବିତ୍ମାନେ ଆଲୋଚନା କରିଥିଲେ।
ଆଜିର କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଜାତୀୟ ଶିକ୍ଷା ନୀତି-୨୦୨୦ର ପ୍ରଣୟନକୁ ନେଇ ବିଭାଗ ପକ୍ଷରୁ କରାଯାଇଥିବା କାର୍ଯ୍ୟ ସମ୍ବନ୍ଧରେ ସବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ବିଦ୍ୟା ଭାରତୀ ଉଚ୍ଚଶିକ୍ଷା ସଂସ୍ଥାନର ସାଙ୍ଗଠନିକ ସମ୍ପାଦକ ଶ୍ରୀ କେ.ଏନ୍. ରଘୁନନ୍ଦନ, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଶ୍ରୀ କାଳୀ ପ୍ରସନ୍ନ ମହାପାତ୍ର ପ୍ରମୁଖ ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।





