OdiaInfo Loading

ଯୋଗୀଙ୍କୁ ଖୋଲାଖୋଲି ପ୍ରଶଂସା କଲେ ସଞ୍ଜୟ ରାଉତ

ନିଜ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ରାଜ୍ୟ ସଭା ସାଂସଦ ସଞ୍ଜୟ ରାଉତ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି)ର ଏହି ସାଂସଦ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଖୋଲାଖୋଲି ପ୍ରଶଂସା କରିଛନ୍ତି। ରାଜନୈତିକ ଭାବେ ବିପକ୍ଷ ଶିବିରରେ ଥାଇ ମଧ୍ୟ ଯୋଗୀଙ୍କୁ ଜଣେ ଦକ୍ଷ ବ୍ୟକ୍ତି ଏବଂ ହିନ୍ଦୁତ୍ୱର ସବୁଠାରୁ ବଡ଼ ଚେହେରା ବୋଲି କହିଛନ୍ତି । ତାଙ୍କର ଏହି ବୟାନକୁ ନେଇ ଉତ୍ତରପ୍ରଦେଶର ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି।

ସଞ୍ଜୟ ରାଉତ କହିଛନ୍ତି, ଯଦି ଯୋଗୀ ଆଦିତ୍ୟନାଥ ନିଜକୁ ମୁଖ୍ୟମନ୍ତ୍ରୀ ପଦର ଚେହେରା ଭାବେ ଉପସ୍ଥାପନ କରିଛନ୍ତି, ତେବେ ଏହା ପ୍ରଶଂସାଯୋଗ୍ୟ। ସେ ଜଣେ ଦକ୍ଷ ବ୍ୟକ୍ତି ଏବଂ ଆମେ ମଧ୍ୟ ଯୋଗୀଜୀଙ୍କୁ ପସନ୍ଦ କରୁ । ହିନ୍ଦୁତ୍ୱର ସବୁଠାରୁ ଉପରେ ଥିବା ଚେହେରା ହେଉଛନ୍ତି ଯୋଗୀ । ଯୋଗୀ ନଥିଲେ ଉତ୍ତରପ୍ରଦେଶ ମଧ୍ୟ ନାହିଁ ବୋଲି ସେ କହିଛନ୍ତି। ଯୋଗୀଙ୍କର ନିଜ ଦଳ ଉପରେ ପୂର୍ଣ୍ଣ ଭରସା ରହିଛି ଯେ ଉତ୍ତରପ୍ରଦେଶରେ ଦଳ ବହୁମତ ହାସଲ କରିବ। ନିର୍ବାଚିତ ବିଧାୟକଙ୍କ ମଧ୍ୟରୁ ଅଧିକାଂଶ ତାଙ୍କୁ ସମର୍ଥନ କରିବେ ବୋଲି ଯୋଗୀ ଆଶା ରଖିଛନ୍ତି। କାରଣ ବିଧାୟକ ଦଳ ହିଁ ନିଜର ନେତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଥାଏ।

ସଞ୍ଜୟ ରାଉତଙ୍କ ଏହି ବୟାନ ଏଥିପାଇଁ ଗୁରୁତ୍ୱ ବହନ କରୁଛି ଯେ, ତାଙ୍କ ଦଳ ଶିବସେନା (ୟୁବିଟି) ଭାଜପା ବିରୋଧରେ ମୋର୍ଚ୍ଚା ଖୋଲିଥିବା ଇଣ୍ଡିଆ ମେଣ୍ଟର ଅଂଶ। ତଥାପି ଯୋଗୀଙ୍କ ପ୍ରଶଂସା କରିବାକୁ ପଛାଇ ନାହାନ୍ତି ରାଉତ। ତେବେ ଏହା ପ୍ରଥମ ଘଟଣା ନୁହେଁ । ୨୦୨୨ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପାର ବଡ଼ ବିଜୟ ପରେ ମଧ୍ୟ ସେ ଯୋଗୀଙ୍କୁ ପ୍ରଶଂସା କରିଥିଲେ। ଗଣତନ୍ତ୍ରରେ ଯେଉଁ ନେତାଙ୍କ ଉପରେ ଲୋକେ ବିଶ୍ୱାସ କରନ୍ତି, ତାଙ୍କୁ ପ୍ରଶଂସା କରିବା ଉଚିତ ବୋଲି ସେ କହିଥିଲେ । ଏକଦା ଯୋଗୀଙ୍କୁ ନିଜର ଭଲ ବନ୍ଧୁ ବୋଲି ମଧ୍ୟ କହିଥିଲେ ରାଉତ।

ଉତ୍ତରପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ହଲଚଲ ବଢ଼ିବାରେ ଲାଗିଛି । ଯୋଗୀ ଆଦିତ୍ୟନାଥ ୨୦୧୭ରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ୨୦୨୨ରେ ଦ୍ୱିତୀୟ ଥର ପାଇଁ ଏହି ପଦରେ ନିର୍ବାଚିତ ହୋଇଥିଲେ। ଏବେ ଭାଜପା ତୃତୀୟ ଥର ପାଇଁ ସରକାର ଗଠନ ଲକ୍ଷ୍ୟରେ ରହିଥିବା ବେଳେ ମୁଖ୍ୟ ବିରୋଧୀ ଦଳ ସମାଜବାଦୀ ପାର୍ଟି ମଧ୍ୟ ନିଜର ପ୍ରସ୍ତୁତି ଜୋରଦାର କରୁଛି । ଏଭଳି ସମୟରେ ସଞ୍ଜୟ ରାଉତଙ୍କ ଯୋଗୀ ପ୍ରଶଂସା ଇଣ୍ଡିଆ ମେଣ୍ଟ ଭିତରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *