OdiaInfo Loading

 ମୟୂରଭଞ୍ଜ ଓ ବାଲେଶ୍ୱରକୁ ଆଲର୍ଟ ଜାରି କରି ସତର୍କ ରହିବାକୁ ଅପିଲ୍ କଲେ ରାଜସ୍ୱ ମନ୍ତ୍ରୀ

ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ । ଖାସ୍ କରି ମୟୁରଭଞ୍ଜ, ବାଲେଶ୍ୱର ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପଡିବ । ବାତ୍ୟା ଅକଓ୍ୱାନ୍ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହେବା ପରେ ରାଜ୍ୟର ସ୍ଥିତି ନେଇ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶୁକ୍ରବାର ସକାଳ ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିଛି। ବର୍ତ୍ତମାନ ଏହା ଘଣ୍ଟାପ୍ରତି ୨୪ କିଲୋମିଟର ବେଗରେ ଉତ୍ତର ଦିଗରେ ଗତି କରୁଛି ଏବଂ ଡିପ୍ ଡିପ୍ରେସନରେ ପରିଣତ ହୋଇ ଧୀରେ ଧୀରେ ଦୁର୍ବଳ ହେଉଛି। ଏହା ନୟାଗଡ଼, ଅନୁଗୁଳ ଓ ସମ୍ବଲପୁର ଦେଇ ଝାଡ଼ଖଣ୍ଡ ଆଡ଼କୁ ମୁହାଁଇଛି। ପାଣିପାଗ ବିଭାଗ (IMD) ଓ ଏସଆରସି (SRC)ଙ୍କ ଆଗୁଆ ସତର୍କତା ଏବଂ ପ୍ରଶାସନିକ ତତ୍ପରତା ଯୋଗୁଁ ରାଜ୍ୟରେ ବିଶେଷ କୌଣସି କ୍ଷୟକ୍ଷତି ହୋଇନାହିଁ। ବର୍ତ୍ତମାନ ସୁଦ୍ଧା ମୋଟ ୩ ଲକ୍ଷ ୭୨ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ଦୁଇ ଜିଲ୍ଲାକୁ ରେଡ୍ ଜୋନରେ ରଖାଯାଇଛି। ସେହିପରି କେନ୍ଦୁଝର, କଟକ, ଖୋର୍ଦ୍ଧା, କନ୍ଧମାଳ, ଯାଜପୁର, ଭଦ୍ରକ, ଗଜପତି ଓ ଗଞ୍ଜାମ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ବର୍ଷା ସମ୍ଭାବନା ରହିଛି।

ଅନ୍ୟପଟେ ଝାଡ଼ଖଣ୍ଡରେ ଅଧିକ ବର୍ଷା ହେବାର ସମ୍ଭାବନା ଥିବାରୁ ଓଡ଼ିଶା ସରକାରଙ୍କ ଅଧିକାରୀମାନେ ଝାଡ଼ଖଣ୍ଡ ଜଳସେଚନ ବିଭାଗ ସହ ନିରନ୍ତର ସମ୍ପର୍କରେ ରହିଛନ୍ତି। ବର୍ତ୍ତମାନ ମହାନଦୀ, ବ୍ରାହ୍ମଣୀ, ଇବ୍, ସୁବର୍ଣ୍ଣରେଖା, ବଂଶଧାରା ଓ ଜଳକା ସମେତ ରାଜ୍ୟର ସମସ୍ତ ନଦୀ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ବେଳେ ଆସନ୍ତା ୨୪ ଘଣ୍ଟା ପରେ ରାଜ୍ୟରେ ପାଣିପାଗ ସ୍ୱାଭାବିକ ହେବ ବୋଲି ମନ୍ତ୍ରୀ ଆକଳନ କରିଛନ୍ତି।

Leave a Reply

Your email address will not be published. Required fields are marked *