ଭୁବନେଶ୍ବର: ଚଳିତ ବର୍ଷ ପ୍ରାକୃତିକ ବିପର୍ଯ୍ୟୟରେ ଗଲାଣି ୪୭୪ ଜଣଙ୍କ ଜୀବନ। ବନ୍ୟାଠାରୁ ଆରମ୍ଭ କରି ବଜ୍ରପାତ, ବାତ୍ୟା, କାଳବୈଶାଖୀ, ଘୂର୍ଣ୍ଣିଝଡ଼, ସାପ କାମୁଡ଼ା ଓ ପାଣିରେ ବୁଡ଼ି ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହୋଇଛି। ଏହି ମୃତ୍ୟୁ ସଂଖ୍ୟାକୁ ନେଇ ବିଧାନସଭାରେ ତଥ୍ୟ ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ତେବେ ଏହାରି ଭିତରେ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପାଇଁ ଆସିଛି ବଡ଼ ଆଶ୍ୱସ୍ତିକର ଖବର। ଅନୁକମ୍ପାମୂଳକ ସହାୟତା ରାଶିକୁ ୪ ଲକ୍ଷରୁ ବଢ଼ାଇ ୮ ଲକ୍ଷ ଟଙ୍କା କରାଯାଇଛି।
ବିଧାନସଭାରେ ବିଧାୟକ ଚକ୍ରଧର କହଁରଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହି ତଥ୍ୟ ଦେଇଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଚଳିତ ବର୍ଷ ବନ୍ୟା, ବାତ୍ୟା, କାଳବୈଶାଖୀ, ଘୂର୍ଣ୍ଣିଝଡ଼, ବଜ୍ରପାତ, ସାପ କାମୁଡ଼ା ଓ ପାଣିରେ ବୁଡ଼ିବା ଭଳି ବିଭିନ୍ନ କାରଣରୁ ମୋଟ୍ ୪୭୪ ଜଣଙ୍କ ମୃତ୍ୟୁ ଘଟିଛି। ବନ୍ୟାଜଳରେ ଭାସିଯାଇ ୭ ଜଣ ପ୍ରାଣ ହରାଇଛନ୍ତି। ସେହିପରି ଭୂସ୍ଖଳନରେ ଗଞ୍ଜାମ ଜିଲ୍ଲାରେ ୭ ଜଣଙ୍କ ଜୀବନ ଯାଇଥିବାବେଳେ ୬ ଜଣ ଏବେ ବି ନିଖୋଜ ଅଛନ୍ତି। କନ୍ଧମାଳ ଜିଲ୍ଲାରେ ଭୂସ୍ଖଳନ ଯୋଗୁଁ ଆଉ ୩ ଜଣଙ୍କ ମୃତ୍ୟୁ ହୋଇଛି।
ଏହି ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ପୂର୍ବରୁ ମୃତକ ପିଛା ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଦିଆଯାଇଛି। ଏଥିସହ ଲୁ ପ୍ରଭାବରେ ମୃତ୍ୟୁ ଘଟଣାରେ ୪୦ ହଜାର ଟଙ୍କା ସହାୟତା ଦେବାର ବ୍ୟବସ୍ଥା ରହିଛି। ଏପର୍ଯ୍ୟନ୍ତ ମୋଟ୍ ୧୮୪୨ ଲକ୍ଷ ଟଙ୍କା ଅର୍ଥାତ୍ ୧୮ କୋଟି ୪୨ ଲକ୍ଷ ଟଙ୍କା ସହାୟତା ବଣ୍ଟନ କରାଯାଇଛି।
ତେବେ କେନ୍ଦ୍ର ସରକାରଙ୍କ ସଂଶୋଧିତ ନିୟମ ଅନୁସାରେ ଏବେ ଅନୁକମ୍ପାମୂଳକ ସହାୟତା ରାଶିକୁ ୮ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ସବୁଠାରୁ ବଡ଼ କଥା ହେଉଛି, ଏହି ନୂଆ ନିୟମ ୧ ଏପ୍ରିଲ ୨୦୨୬ରୁ ପିଛିଲା ଭାବେ ଲାଗୁ ହେବ। ଅର୍ଥାତ୍ ଏହି ତାରିଖ ପରଠାରୁ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ଯୋଗ୍ୟ ମୃତକଙ୍କ ପରିବାର ଏବେ ଅତିରିକ୍ତ ୪ ଲକ୍ଷ ଟଙ୍କା ପାଇବେ। ଏଥିପାଇଁ ଜିଲ୍ଲା ପ୍ରଶାସନଗୁଡ଼ିକୁ ବକେୟା ୪ ଲକ୍ଷ ଟଙ୍କା ଯୋଗ୍ୟ ପରିବାରଙ୍କୁ ତୁରନ୍ତ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଫଳରେ ପୂର୍ବରୁ ୪ ଲକ୍ଷ ଟଙ୍କା ପାଇଥିବା ପରିବାର ନୂଆ ନିୟମ ଅନୁସାରେ ଆଉ ୪ ଲକ୍ଷ ଟଙ୍କା ପାଇବେ। ଏହି ନିଷ୍ପତ୍ତି ବିପର୍ଯ୍ୟୟରେ ନିଜ ପରିଜନଙ୍କୁ ହରାଇଥିବା ପରିବାରଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାରେ ଏକ ବଡ଼ ପଦକ୍ଷେପ ହେବ।





