ଭୁବନେଶ୍ବର: ସହରରେ ଆବାସିକ ବ୍ୟବସାୟୀଙ୍କ ବ୍ୟବସାୟୀ ପ୍ରତିଷ୍ଠାନ ଭଙ୍ଗା ହେବନାହିଁ , ଏହି ନିଷ୍ପତ୍ତି ବର୍ତ୍ତମାନ ସରକାରଙ୍କ ଗୃହ ଓ ନଗର ବିଭାଗ ଉପରେ ଅଛି । ଏ ନେଇ ଏକ ସ୍ୱତନ୍ତ୍ର ନିୟମ ଆଣିବାକୁ ଯୋଜନା କରୁଛି ଗୃହ ଓ ନଗର ଉନ୍ନୟନ ବିଭାଗ । କିଭଳି ଭାବରେ ଦୋକାନୀ ଓ ବ୍ୟବସାୟୀମାନଙ୍କ ସମସ୍ୟା ହେବନି ଏବଂ ତାଙ୍କ ବ୍ୟବସାୟ ବାଧାପ୍ରାପ୍ତ ହେବ ନାହିଁ, ଏବଂ ସରକାରଙ୍କ ସ୍ୱାର୍ଥ ମଧ୍ୟ ରହିବ ସେ ନେଇ ଆଲୋଚନା ଚାଲିଛି।କିଛି ବ୍ୟବସାୟୀ ମାନଙ୍କୁ ରେଗୁଲାରାଇଜ ବା ନିୟମିତ କରାଯିବ । ଏହିଭଳି ନିୟମ ଫଳରେ ଦୋକାନୀ ମାନଙ୍କ ଉପରେ ଯେମିତି କିଛି ସମସ୍ୟା ନ ଦେଖା ଯିବ ସେଥିପ୍ରତି ଆମେ ଧ୍ୟାନ ଦେବୁ ବୋଲି କହିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ।
ସୁପ୍ରିମକୋର୍ଟର ଗାଇଡଲାଇନ ଏବଂ ତା’ ସହ ଓଡିଶା ସରକାରଙ୍କର ନିୟମକୁ ଅନୁସରଣ କରି କିଛି ନିୟମରେ ମଧ୍ୟ ପରିବର୍ତ୍ତନ କରାଯିବ। ସରଳୀକରଣ ହେବ, ଯାହାଦ୍ୱାରା ଲୋକମାନେ ଉପକୃତ ହେବେ । ଆମେ ନିଷ୍ପତ୍ତି ନେଇଛୁ କିଛି ବ୍ୟବସାୟ ପ୍ରତିଷ୍ଠାନ ବା ଦୋକାନ ଭଙ୍ଗାଯିବ ନାହିଁ କିମ୍ବା ନୂଆ ଦୋକାନ ମଧ୍ୟ ଖୋଲା ଯିବ ନାହିଁ । ନୂଆ ନୀତିନିୟମ ଚୂଡ଼ାନ୍ତ ହୋଇ ଏକ ସମାଧାନର ରାସ୍ତା ନ ବାହାରିବା ପର୍ଯ୍ୟନ୍ତ କାହା ଉପରେ କୌଣସି ପଦକ୍ଷେପ ନିଆଯିବ ନାହିଁ । ଏହାସହ ପୂର୍ବରୁ ନିର୍ଦ୍ଧାରିତ ଦୋକାନ ଅଞ୍ଚଳର ସୀମା ବର୍ତ୍ତମାନ ବଢ଼ିଥିବାରୁ ଏହାର ପରିବର୍ତ୍ତନ ଆବଶ୍ୟକ କି ନାହିଁ, ସେନେଇ ମଧ୍ୟ ତର୍ଜମା କରାଯାଉଛି ।
ସେହିଭଳି ନୂଆ ଆବାସିକ ଅଞ୍ଚଳରେ ମାର୍କେଟ୍ ବ୍ୟବସ୍ଥା କରିବାକୁ ଯୋଜନା ରହିଛି । ସ୍ଥାନୀୟ ନୂଆ ଆପାର୍ଟମେଣ୍ଟ ନିର୍ମାଣ ସମୟରେ ତଳ ମହଲାରେ କମର୍ସିଆଲ୍ ସ୍ଥାନ ରଖାଯିବ । ଯାହା ଫଳରେ ଆପାର୍ଟମେଣ୍ଟରେ ରହୁଥିବା ଲୋକେ ନିଜର ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ନିଜ ଆଖପାଖ ଅଞ୍ଚଳରୁ କିଣିପାରିବେ ଏବଂ ମୁଖ୍ୟ ବଜାର ଉପରୁ ଭିଡ଼ କମିବ । ତେବେ ଏହି ବ୍ୟବସ୍ଥା କେବଳ ନୂଆ ଆବାସିକ ପ୍ରକଳ୍ପ ପାଇଁ ଲାଗୁ ହେବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର । ଏଭଳି ଏକ ପଲିସି ଆମେ କରୁଛୁ ବର୍ତ୍ତମାନ ବିଭିନ୍ନ ଜାଗାରେ ଗୋଟେ ଅଧିକରୁ ଅଧିକ ସେଠି କିଛି କମର୍ସିଆଲ୍ ମଧ୍ୟ କରାଯିବ, ଯାହାଫଳରେ ସେଇଠି ସେମାନେ ତାଙ୍କର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣିପାରିବେ ।





