କାଲି ସନ୍ଧ୍ୟାରେ ବାତ୍ୟା ଆଶଙ୍କା କଲାଣି ପାଣିପାଗ ବିଭାଗ ! ସମୁଦ୍ର ଭିତରେ ବଢ଼ୁଛି ବଳ, ଆଉ କିଛି ଘଣ୍ଟା ପରେ ବଦଳିଯିବ ରୂପ! ଓଡ଼ିଶାରେ କେବେଠୁ ବଢ଼ିବ ବର୍ଷା? କେଉଁ ଜିଲ୍ଲାରେ ରହିଛି ବଡ଼ ଚେତାବନୀ? ଅର୍ଣ୍ଣବ ଦୁଃଖକୁ ଲୋକେ ଏଯାଏଁ ଭୁଲି ନଥିବା ବେଳେ ‘ଅକଭାନ୍’ ପୁଣି ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି ।
ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅଧିକ ଶକ୍ତିଶାଳୀ ହୋଇ ଅବପାତରେ ପରିଣତ ହୋଇଛି । ସମୁଦ୍ର ଭିତରେ ଏହା ଧୀରେ ଧୀରେ ବଳ ଗୋଟାଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ଆସନ୍ତାକାଲି ସନ୍ଧ୍ୟା ବେଳକୁ ଏହା ଆହୁରି ଭୟଙ୍କର ହୋଇ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି । ସମୁଦ୍ର ଭିତରେ ପାଗ ଅନୁକୂଳ ଥିବାରୁ ଏହାର ଶକ୍ତି ବଢ଼ିବାରେ ଲାଗିଛି, ଯାହା ଏବେ ଓଡ଼ିଶା ଓ ଆନ୍ଧ୍ରର ଉପକୂଳ ଅଞ୍ଚଳର ଲୋକଙ୍କ ମନରେ ଏବେ ଟିକିଏ ଛନକା ପଶିଲାଣ ।
ତେବେ ବାତ୍ୟା ହେବା ପରେ ଏହା କେଉଁଠି ସ୍ଥଳଭାଗ ଛୁଇଁବ, ସେନେଇ ପାଣିପାଗ ବିଶେଷଜ୍ଞମାନେ ବଡ଼ ସୂଚନା ଦେଇଛନ୍ତି । ଆକଳନ କରାଯାଉଛି ଯେ, ଆସନ୍ତା ୨୦ ତାରିଖ ସକାଳ ସୁଦ୍ଧା ବାତ୍ୟା ‘ଅକଭାନ୍’ ସ୍ଥଳଭାଗ ଅତିକ୍ରମ କରିପାରେ । କିଛି ପାଣିପାଗ ବିଜ୍ଞାନୀଙ୍କ କହିବା ଅନୁସାରେ, ୧୯ ତାରିଖ ରାତି କିମ୍ବା ୨୦ ତାରିଖ ସକାଳ ଭିତରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଓ ମଚ୍ଛଲିପଟନମ୍ ମଝିରେ ଏହା ସ୍ଥଳଭାଗରେ ମାଡ଼ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଯଦିଓ ଏହି ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳରେ ମାଡ଼ ହେବ, ତଥାପି ଓଡ଼ିଶା ଉପରୁ ବିପଦ ଟଳିନାହିଁ ।
ବାତ୍ୟା ‘ଅକଭାନ୍’ ପ୍ରଭାବରେ ଆସନ୍ତା ୧୮ ତାରିଖରୁ ଓଡ଼ିଶାରେ ପାଗ ବଦଳିବା ସହ ବର୍ଷା ଆରମ୍ଭ ହୋଇଯିବ । ୧୮ ତାରିଖ ଏବଂ ୧୯ ତାରିଖ ସକାଳ ସୁଦ୍ଧା ରାଜ୍ୟର ଉପକୂଳ, ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର ଅନେକ ଜାଗାରେ ବର୍ଷା ହେବାର ଆଶଙ୍କା ରହିଛି । ଆଗକୁ ବର୍ଷା ବଢ଼ିବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ୧୮ ତାରିଖ ପାଇଁ ଓଡ଼ିଶାର ୧୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ବା ସତର୍କ ସୂଚନା ଜାରି କରାଯାଇଛି ।





