OdiaInfo Loading

ଭାରତ-ପାକିସ୍ତାନ ସମ୍ପର୍କରେ ନୂଆ ମୋଡ଼! ଏସ୍‌ସିଓ ବୈଠକରେ ଯୋଗଦେବେ ପାକିସ୍ତାନ ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଦୀର୍ଘଦିନ ଧରି ଜାରି ରହିଥିବା ତିକ୍ତତା ମଧ୍ୟରେ ଏବେ କୂଟନୈତିକ ସମ୍ପର୍କକୁ ନେଇ ଏକ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ଭାରତରେ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (SCO)ର ସିଭିଲାଇଜେଶନାଲ ଡାଏଲଗ ବୈଠକରେ ପାକିସ୍ତାନର ଜଣେ ମନ୍ତ୍ରୀ ଯୋଗଦେବାକୁ ଯାଉଛନ୍ତି। ପାକିସ୍ତାନ ସରକାର ଶନିବାର ଏନେଇ ଆନୁଷ୍ଠାନିକ ଘୋଷଣା କରିଛନ୍ତି। ପାକିସ୍ତାନର ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ମୁସାଦିକ ମଲିକ ଏହି ବୈଠକରେ ନିଜ ଦେଶର ପ୍ରତିନିଧିତ୍ୱ କରିବେ।

ସୂଚନା ଅନୁଯାୟୀ, ଆସନ୍ତା ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଏହି ଗୁରୁତ୍ୱପୂର୍ଣ୍ଣ ଏସ୍‌ସିଓ ବୈଠକ ଅନୁଷ୍ଠିତ ହେବ। ଏଥିରେ ସଂଗଠନର ସଦସ୍ୟ ରାଷ୍ଟ୍ରଗୁଡ଼ିକ ଅଂଶଗ୍ରହଣ କରିବେ। ଏହି ବୈଠକକୁ ନେଇ ଭାରତ ପୂର୍ବରୁ ହିଁ ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ସମସ୍ତ ସଦସ୍ୟ ଦେଶକୁ ନିମନ୍ତ୍ରଣ ପଠାଯାଇଥିବା ନେଇ ଅକ୍ଟୋବର ୨୮ ତାରିଖରେ ଭାରତ ପକ୍ଷରୁ ଘୋଷଣା କରାଯାଇଥିଲା।

ପାକିସ୍ତାନର ମୁସାଦିକ ମଲିକ ଏହି ବୈଠକରେ ଯୋଗଦେବା ଖବର ସାମ୍ନାକୁ ଆସିବା ପରେ ଭାରତ-ପାକିସ୍ତାନ ସମ୍ପର୍କକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। କାରଣ ଦୁଇ ଦେଶ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ମତଭେଦ ଓ ଉତ୍ତେଜନା ରହିଥିବା ସତ୍ତ୍ୱେ ଏବେ ପାକିସ୍ତାନର ଜଣେ ମନ୍ତ୍ରୀ ଭାରତ ଆସି ଏକ ଆନ୍ତର୍ଜାତୀୟ ବୈଠକରେ ଯୋଗଦେବାକୁ ଯାଉଛନ୍ତି।

ମୁସାଦିକ ମଲିକ ପାକିସ୍ତାନ ସରକାରଙ୍କ ଆନୁଷ୍ଠାନିକ ମତ ଗଣମାଧ୍ୟମରେ ରଖିବା ପାଇଁ ନିୟମିତ ଭାବେ ଟେଲିଭିଜନ ଟକ୍‌ ଶୋ’ରେ ଅଂଶଗ୍ରହଣ କରିଥାନ୍ତି। ତାଙ୍କର ଏହି ଭାରତ ଗସ୍ତକୁ ଏବେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ଦେଖାଯାଉଛି।

ଅନ୍ୟପଟେ ଏହି ଗସ୍ତ ପଛରେ ପାକିସ୍ତାନର ଏକ ବଡ଼ କୂଟନୈତିକ ରଣନୀତି ଥାଇପାରେ ବୋଲି ଆକଳନ କରାଯାଉଛି। ଆସନ୍ତା ବର୍ଷ ପାକିସ୍ତାନର ଇସଲାମାବାଦରେ ଏସ୍‌ସିଓ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯୋଜନା ରହିଛି। ଏହି ସମ୍ମିଳନୀରେ ଭାରତୀୟ ନେତୃତ୍ୱଙ୍କ ଅଂଶଗ୍ରହଣ ପାଇଁ ପାକିସ୍ତାନ ଏବେଠାରୁ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ଚାହୁଁଥାଇପାରେ। ଏଥିପାଇଁ ଭାରତ ସହ ଉତ୍ତେଜନା ହ୍ରାସ କରିବା ଏବଂ କୂଟନୈତିକ ସ୍ତରରେ ଯୋଗାଯୋଗ ବଜାୟ ରଖିବାକୁ ପାକିସ୍ତାନ ଗୁରୁତ୍ୱ ଦେଉଥିବା ଆକଳନ କରାଯାଉଛି।

କ’ଣ ଏହି ସାଂଘାଇ ସହଯୋଗ ସଂଗଠନ (SCO)?

ସାଂଘାଇ ସହଯୋଗ ସଂଗଠନ ବା ଏସ୍‌ସିଓ ହେଉଛି ଏକ ୟୁରେସିଆନ ରାଜନୈତିକ, ଅର୍ଥନୈତିକ ଓ ସୁରକ୍ଷା ସମ୍ପର୍କିତ ଆନ୍ତଃସରକାରୀ ସଂଗଠନ। ଏହାର ଲକ୍ଷ୍ୟ ହେଉଛି ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗ ଏବଂ ପାରସ୍ପରିକ ସମ୍ପର୍କକୁ ମଜଭୁତ କରିବା।

ଏହି ସଂଗଠନରେ ଭାରତ, ଚାଇନା, ରୁଷିଆ, କାଜାଖସ୍ତାନ, କିର୍ଗିଜସ୍ତାନ, ତାଜିକିସ୍ତାନ, ଇରାନ, ଉଜବେକିସ୍ତାନ, ପାକିସ୍ତାନ ଏବଂ ବେଲାରୁଷ ସାମିଲ ଅଛନ୍ତି। ଏହି ଦେଶଗୁଡ଼ିକ ରାଜନୈତିକ, ଅର୍ଥନୈତିକ ଓ ଆଞ୍ଚଳିକ ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥାନ୍ତି।

ତେବେ ନୂଆଦିଲ୍ଲୀରେ ହେବାକୁ ଥିବା ଏହି ବୈଠକରେ ପାକିସ୍ତାନର ମନ୍ତ୍ରୀଙ୍କ ଯୋଗଦାନ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କକୁ କେତେଦୂର ପ୍ରଭାବିତ କରିବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଏହାସହ ଆସନ୍ତା ବର୍ଷ ଇସଲାମାବାଦରେ ହେବାକୁ ଥିବା ଏସ୍‌ସିଓ ଶିଖର ସମ୍ମିଳନୀରେ ଭାରତର ଅଂଶଗ୍ରହଣକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *