ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଅକୱାନ’ର ମୁକାବିଲା ଓ ପ୍ରସ୍ତୁତି ନେଇ ଆଜି ପୁଣି ଥରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ।ଗତକାଲି ପରି ଆଜି ମଧ୍ୟ ବାତ୍ୟା ପ୍ରସ୍ତୁତି ସଂପର୍କରେ ବିସ୍ତୃତ ଆଲୋଚନା ହୋଇଥିବା ବେଳେ ରାଜ୍ୟ ପ୍ରଶାସନ, ଜିଲ୍ଲା ପ୍ରଶାସନ ଏବଂ କେନ୍ଦ୍ର ସରକାରଙ୍କ ସମ୍ପୃକ୍ତ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରି ‘ଜିରୋ କାଜୁଆଲ୍ଟି’ ଲକ୍ଷ୍ୟ ନେଇ ସମସ୍ତ ପଦକ୍ଷେପ ନିଆଯାଉଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଅଛି। ଏହି ଲକ୍ଷ୍ୟ ନିଶ୍ଚିତ ଭାବେ ହାସଲ ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ବିଶ୍ୱାସ ପ୍ରକାଶ କରିଛନ୍ତି ।
ପ୍ରସ୍ତୁତି ସମୀକ୍ଷା ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ବାତ୍ୟା ‘ଅକୱାନ’ ଆସନ୍ତାକାଲି (୨୦ ନଭେମ୍ବର) ମଧ୍ୟାହ୍ନରେ, ଗୋପାଳପୁର ନିକଟରେ ହରିପୁର ଠାରେ ସ୍ଥଳଭାଗ (ଲ୍ୟାଣ୍ଡଫଲ୍) ଛୁଇଁବାର ସମ୍ଭାବନା ରହିଛି । ଏହାର ମୁକାବିଲା ପାଇଁ ରାଜ୍ୟର ୨୦ଟି ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି ଓ ମୁକାବିଲା ପଦକ୍ଷେପ ଗ୍ରହଣ କରାଯାଇଛି ।
ବର୍ତ୍ତମାନ ସୁଦ୍ଧା ପ୍ରାୟ ୩ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଏହା ସହିତ ୪,୧୭୦ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି, ଯେଉଁମାନଙ୍କ ମଧ୍ୟରୁ ୧,୩୧୭ ଜଣ ମହିଳା ନବଜାତ ଶିଶୁଙ୍କୁ ଜନ୍ମ ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟରେ ମୋଟ ୯,୩୪୧ଟି ବାତ୍ୟା ଆଶ୍ରୟସ୍ଥଳକୁ ପ୍ରସ୍ତୁତ ରଖାଯାଇଥିବା ବେଳେ ସେଥିମଧ୍ୟରୁ ୨,୬୨୩ଟିକୁ କାର୍ଯ୍ୟକ୍ଷମ କରାଯାଇଛି ।
କ୍ଷେତ୍ରସ୍ତରରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ମୋଟ ୪୧୮ଟି ଟିମ୍ ନିୟୋଜିତ ହୋଇଛନ୍ତି । ଏଥିରେ ୬୦ଟି ଓଡ୍ରାଫ୍ (ODRAF), ୧୪ଟି ଏନଡିଆରଏଫ (NDRF), ୨୧୬ଟି ଅଗ୍ନିଶମ ସେବା ଟିମ୍ ଏବଂ ଓଏଫଡିସି (OFDC)ର ୧୨୮ଟି ଗଛ କଟାଳୀ ଟିମ୍ ସାମିଲ ଅଛନ୍ତି । ଅଗ୍ନିଶମ ବିଭାଗର ବିଭାଗର ଅଧିକ ୨୮ଟି ଟିମ୍ କୁ ପ୍ରସ୍ତୁତ ରଖାଯାଇଛି। ଏହାଛଡ଼ା ବାତ୍ୟା ସମୟରେ ଟେଲି ଯୋଗାଯୋଗକୁ ଜାରି ରଖିବା ପାଇଁ ୧୭ଟି ସାଟେଲାଇଟ୍ ଫୋନ୍, ସେଲ୍ ଅନ୍ ହ୍ୱିଲ୍ସ (Cell on Wheels) ଏବଂ ଟେଲିକମ୍ ବ୍ୟାକ୍ଅପ୍ ବ୍ୟବସ୍ଥା କରାଯାଇଛି ।
ଅନ୍ୟପକ୍ଷରେ, ଓର୍ସାକ୍ (ORSAC) ଜରିଆରେ ୬ଟି ଜିଲ୍ଲାର ମୋଟ ୯୪୧ଟି ଭୂ-ସ୍ଖଳନ ଆଶଙ୍କା ପ୍ରବଣ ଗାଁ’କୁ ଚିହ୍ନଟ କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ହେଉଛି—ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ମାଲକାନଗିରି ଓ କୋରାପୁଟ । ଏହି ସବୁ ଗାଁ’ରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ବ୍ୟବସ୍ଥା କରାଯାଇଛି । କନ୍ଧମାଳ ଓ ଗଜପତି ଜିଲ୍ଲାରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ହୋଇଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଭୂ-ସ୍ଖଳନ ପ୍ରବଣ ଅଞ୍ଚଳର ଲୋକ।
ଆନ୍ଧ୍ର ପ୍ରଦେଶର କିଛି ମତ୍ସ୍ୟଜୀବୀ ଓଡ଼ିଶା ଉପକୂଳ ନିକଟରେ ଫସିକି ରହିଥିବା ବିଷୟରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଷ୍ଟ ଗାର୍ଡ ସହାୟତାରେ ସେମାନଙ୍କ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ସୁରକ୍ଷିତ ଭାବେ ଗଞ୍ଜାମ ଜିଲ୍ଲାକୁ ଆଣିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି ସମୀକ୍ଷା ସମୟରେ ମୁଖ୍ୟମନ୍ତ୍ରୀ ଫୋନ୍ ଯୋଗେ ପୁରୀ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ପରିସ୍ଥିତି ଓ ପ୍ରସ୍ତୁତି ସମ୍ପର୍କରେ ପଚାରି ବୁଝିଥିଲେ। ହବିଷ୍ୟାଳୀ ମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୪୭ ଟି ଟ୍ରେନ କୁ ବାତିଲ କରାଯାଇଛି ଏବଂ ୨୮ ଟି ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି। ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ (ରେସ୍କ୍ୟୁ ଅପରେସନ୍) ପାଇଁ କୋଷ୍ଟଗାର୍ଡ ବାହିନୀ ଏବଂ ରେଲ୍ କୋ-ଅର୍ଡିନେସନ୍ ସେଲ୍ ସକ୍ରିୟ ରହିଥିବା ବେଳେ ରାଜ୍ୟବାସୀଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ସମସ୍ତ ବିଭାଗ ସତର୍କ ଓ ପ୍ରସ୍ତୁତ ରହିଥିବା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।
ଏହି ସମୀକ୍ଷାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଉପସ୍ଥିତ ଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢୀ, ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ
