OdiaInfo Loading

ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ପୁଣି ଝଟକା, ହାଇକୋର୍ଟଙ୍କ ନୋଟିସ୍

କଟକ: କେନ୍ଦ୍ରାପଡ଼ା ଜିଲାର ତିଖିରି ଗ୍ରାମପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ପାଇଁ ପୁଣି ବଢ଼ିଛି ଆଇନଗତ ଅଡ଼ୁଆ। ସରପଞ୍ଚ ପଦବୀକୁ ନେଇ ଚାଲିଥିବା ବିବାଦ ଏବେ ପୁଣି ହାଇକୋର୍ଟରେ ପହଞ୍ଚିଛି। ଏହି ମାମଲାରେ ଚାମେଲି ଓଝାଙ୍କ ସମେତ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ। ରିଟ୍ ଅପିଲର ଶୁଣାଣି କରି ଅଦାଲତ ଏହି ନିର୍ଦ୍ଦେଶ ଦେବା ସହ ସମସ୍ତ ପକ୍ଷଙ୍କୁ ନିଜ ନିଜର ପକ୍ଷ ରଖିବାକୁ ଏବଂ ଜବାବ ଦାଖଲ କରିବାକୁ କହିଛନ୍ତି। ଫଳରେ ଚାମେଲିଙ୍କ ସରପଞ୍ଚ ପଦବୀକୁ ନେଇ ଚାଲିଥିବା ଆଇନଗତ ଲଢ଼େଇ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୫ ତାରିଖରେ ହେବ ବୋଲି ଧାର୍ଯ୍ୟ କରାଯାଇଛି।

ସୂଚନା ଅନୁଯାୟୀ, ଗତ ଅକ୍ଟୋବର ୨୮ ତାରିଖରେ ହାଇକୋର୍ଟଙ୍କ ଏକକ ବିଚାରପତିଙ୍କ ଖଣ୍ଡପୀଠ ଚାମେଲି ଓଝାଙ୍କ ସପକ୍ଷରେ ରାୟ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବକୁ ଅସିଦ୍ଧ ଦର୍ଶାଇବା ସହ ସରପଞ୍ଚ ପଦବୀ କାଏମ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ରାୟ ଚାମେଲିଙ୍କୁ ବଡ଼ ଆଶ୍ୱସ୍ତି ଦେଇଥିଲା। ତେବେ ଏକକ ବିଚାରପତିଙ୍କ ରାୟରେ ସନ୍ତୁଷ୍ଟ ନ ଥିବା ପ୍ରତିପକ୍ଷମାନେ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦୁଇଜଣିଆ ଖଣ୍ଡପୀଠରେ ରିଟ୍ ଅପିଲ ଦାୟର କରିଥିଲେ।

ଏହି ରିଟ୍ ଅପିଲକୁ ନେଇ ଗତ ଅଗଷ୍ଟ ୧୧ ତାରିଖରେ ଶୁଣାଣି ଶେଷ ହୋଇଥିଲା। ଦୁଇଜଣିଆ ଖଣ୍ଡପୀଠ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ନିଜର ରାୟକୁ ସଂରକ୍ଷିତ ରଖିଥିଲେ। ଏବେ ଏହି ମାମଲାରେ ପୁଣି ନୋଟିସ୍ ଜାରି ହେବା ପରେ ଆଇନଗତ ପ୍ରକ୍ରିୟା ଆଗକୁ ବଢ଼ିଛି। ସମସ୍ତ ପ୍ରତିପକ୍ଷଙ୍କ ଜବାବ ଦାଖଲ ପରେ ମାମଲାର ପରବର୍ତ୍ତୀ ଗତି କ’ଣ ହେବ, ତାହା ଉପରେ ନଜର ରହିଛି।

କାହିଁକି ଆରମ୍ଭ ହୋଇଥିଲା ବିବାଦ?

ସୂଚନା ମୁତାବକ, ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ କିଛି ସଦସ୍ୟଙ୍କ ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଥିଲା। ଏହି ପ୍ରସ୍ତାବକୁ ନେଇ ପଞ୍ଚାୟତ ସ୍ତରରେ ରାଜନୈତିକ ଓ ପ୍ରଶାସନିକ ମହଲରେ ଚର୍ଚ୍ଚା ଜୋର ଧରିଥିଲା। ତେବେ ଅନାସ୍ଥା ପ୍ରସ୍ତାବ ଆଗତ ହେବା ପରେ ଚାମେଲି ଓଝା ଏହାର ଆଇନଗତ ବୈଧତାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ଅନୁସରଣ କରାଯାଇଥିବା ପ୍ରକ୍ରିୟା ଆଇନସମ୍ମତ ନୁହେଁ ବୋଲି ସେ ନିଜ ପିଟିସନରେ ଦର୍ଶାଇଥିଲେ।

ଅଗଷ୍ଟ ୧୦ ଓ ୧୧ ତାରିଖରେ ଏହି ମାମଲାର ଲଗାତାର ଦୁଇଦିନ ଧରି ଶୁଣାଣି ହୋଇଥିଲା। ଶୁଣାଣି ସମୟରେ ହାଇକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ଆଦେଶ ଜାରି କରିଥିଲେ। ଏହି ଆଦେଶ ଅନୁଯାୟୀ, ଚାମେଲି ଓଝାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍ ଗ୍ରହଣ କରାଯାଇପାରିବ, କିନ୍ତୁ ଅଦାଲତଙ୍କ ଅନୁମତି ବିନା ଭୋଟ୍‌ର ଫଳାଫଳ ପ୍ରକାଶ କରାଯାଇପାରିବ ନାହିଁ। ଏହାଦ୍ୱାରା ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ନ ଆସିବା ପର୍ଯ୍ୟନ୍ତ ଅନାସ୍ଥା ପ୍ରସ୍ତାବର ଫଳାଫଳ ଘୋଷଣା ଉପରେ ରୋକ୍ ଲାଗିଥିଲା।

ପିଟିସନରେ ଚାମେଲି ଉଠାଇଥିଲେ ଗୁରୁତର ପ୍ରଶ୍ନ

ଚାମେଲି ଓଝା ନିଜ ପିଟିସନରେ ଅଭିଯୋଗ କରିଥିଲେ ଯେ, ଅନାସ୍ଥା ବୈଠକ ଡାକିବା ପୂର୍ବରୁ ଆଇନ ଅନୁଯାୟୀ ଆବଶ୍ୟକ ରିଜୋଲ୍ୟୁସନ୍, ରିକ୍ୱିଜିସନ୍ ଏବଂ ନୋଟିସର ନକଲ ତାଙ୍କୁ ପ୍ରଦାନ କରାଯାଇନଥିଲା। ଏପରିକି ଅନାସ୍ଥା ପ୍ରସ୍ତାବ ସମ୍ପର୍କରେ ଆବଶ୍ୟକୀୟ ତଥ୍ୟ ଓ ଦସ୍ତାବିଜ୍ ଦିଆ ନ ଯାଇ ପ୍ରକ୍ରିୟା ଆଗକୁ ବଢ଼ାଯାଇଥିବା ସେ ଦର୍ଶାଇଥିଲେ। ତାଙ୍କ ଯୁକ୍ତି ଥିଲା ଯେ, ଏଭଳି ପ୍ରକ୍ରିୟା ଓଡ଼ିଶା ଗ୍ରାମପଞ୍ଚାୟତ ଆଇନ ଏବଂ ସମ୍ପୃକ୍ତ ନିୟମାବଳୀର ଉଲ୍ଲଂଘନ କରୁଛି। ତେଣୁ ତାଙ୍କ ବିରୋଧରେ ଜାରି ହୋଇଥିବା ଅନାସ୍ଥା ନୋଟିସ୍ ସହ ଏହା ସମ୍ପର୍କିତ ସମସ୍ତ ପ୍ରକ୍ରିୟାକୁ ରଦ୍ଦ କରିବା ପାଇଁ ସେ ହାଇକୋର୍ଟଙ୍କୁ ନିବେଦନ କରିଥିଲେ।

ହାଇକୋର୍ଟରେ ଶୁଣାଣି ସମୟରେ ଅନାସ୍ଥା ପ୍ରସ୍ତାବ ସମ୍ପର୍କିତ ନୋଟିସ୍ ଜାରି ଓ ବୈଠକ ଡାକିବା ପ୍ରକ୍ରିୟାରେ ଓଡ଼ିଶା ଗ୍ରାମପଞ୍ଚାୟତ ଆଇନ ଏବଂ ନିୟମାବଳୀର ଉଲ୍ଲଂଘନ ହୋଇଥିବା ଦିଗ ଉଠିଥିଲା। ଏହାକୁ ବିଚାରକୁ ନେଇ ଏକକ ବିଚାରପତି ଚାମେଲି ଓଝାଙ୍କ ସପକ୍ଷରେ ରାୟ ଦେଇ ତାଙ୍କ ସରପଞ୍ଚ ପଦବୀକୁ କାଏମ ରଖିଥିଲେ।

ତେବେ ଏହି ରାୟକୁ ନେଇ ପ୍ରତିପକ୍ଷଙ୍କ ପକ୍ଷରୁ ରିଟ୍ ଅପିଲ ଦାୟର ହେବା ପରେ ମାମଲାଟି ପୁଣି ନୂଆ ମୋଡ଼ ନେଇଛି। ବର୍ତ୍ତମାନ ହାଇକୋର୍ଟ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଥିବାରୁ ଆସନ୍ତା ୧୫ ତାରିଖର ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଛି। ଚାମେଲି ଓଝାଙ୍କ ସରପଞ୍ଚ ପଦବୀ ନେଇ ଚାଲିଥିବା ଏହି ବିବାଦରେ ଆଗାମୀ ଶୁଣାଣିରେ କି ପ୍ରକାର ଆଇନଗତ ମୋଡ଼ ଆସୁଛି, ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *