OdiaInfo Loading

ଆଉ ଦେଖିବାକୁ ମିଳିବନି ମାହିଙ୍କ ହେଲିକପ୍ଟର ସଟ୍! IPLରୁ ଅବସର ନେଲେ ଧୋନି

ଆଇପିଏଲ୍ ସିଜିନ  ପାଖେଇବା ମାତ୍ରେ କ୍ରିକେଟ୍ ପ୍ରେମୀଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରୁ ଆସୁଥିଲା ଯେ, ମହେନ୍ଦ୍ର ସିଂ ଧୋନି  ଏହି ସଂସ୍କରଣ ଖେଳିବେ ତ ? କଣ ଏହା ଧୋନିଙ୍କ ଶେଷ ଆଇପିଏଲ୍ ସିଜିନ ? ଗତ କିଛି ସିଜିନରେ ଏମିତି ଅନେକ ପ୍ରଶ୍ନ ଓ କଳ୍ପନା ଜଳ୍ପନା ଲାଗି ରହୁଥିଲା। କେବଳ ଏତିକି ନୁହେଁ ଧୋନିଙ୍କ ଆଇପିଏଲ୍ ୨୦୨୭ ସଂସ୍କରଣ ଖେଳିବା ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଥିଲା। ଏସବୁ ପ୍ରଶ୍ନ, ଆକଳନ ଏବଂ କଳ୍ପନା ଜଳ୍ପନା ଉପରେ ପଡ଼ିଛି ପୂର୍ଣ୍ଣଛେଦ। ଆଇପିଏଲରୁ ସନ୍ନ୍ୟାସ ଘୋଷଣା କରିଛନ୍ତି  ମହେନ୍ଦ୍ର ସିଂ ଧୋନି। ଏବେ ଚେନ୍ନାଇ ସୁପର କିଙ୍ଗ୍ସ(CSK) ପାଇଁ ନୂଆ ଅବତାରରେ ନଜର ଆସିବେ ମାହି। IPL 2027 ପୂର୍ବରୁ ଫ୍ରାଞ୍ଚାଇଜ ଧୋନିଙ୍କୁ ଟିମର ମେଣ୍ଟର ଭାବେ ନିଯୁକ୍ତ କରିଛି। ମଙ୍ଗଳବାର CSK ଏହାର ଘୋଷଣା କରିଛି। ଏହା ସହିତ ଧୋନିଙ୍କ ଖେଳାଳି ଭାବେ କ୍ୟାରିୟର ଉପରେ ବିରାମ ଲାଗିଛି।

ସୂଚନାଯୋଗ୍ୟ, ମଙ୍ଗଳବାର ଆଇପିଏଲର ସମସ୍ତ ଟିମକୁ ନିଜ ନିଜର ରିଲିଜ୍ ଏବଂ ରିଟେନ୍ ଖେଳାଳିଙ୍କ ତାଲିକା ଜାରି କରିବାର ଅଛି। ତେଣୁ ଚେନ୍ନାଇ ରିଟେସନ ତାଲିକା ଜାରି କରିବା ପୂର୍ବରୁ ଏମଏସ ଧୋନିଙ୍କ ସନ୍ନ୍ୟାସ ନେବା ଏବଂ ଦଳର ମେଣ୍ଟର ଭାବେ ନିଯୁକ୍ତ ସୂଚନା ଏକ୍ସରେ ପୋଷ୍ଟ କରି ଦେଇଛି। ଏହି ଖବର ଥାଲାଙ୍କ ପ୍ରଶଂସକଙ୍କ ପାଇଁ ବଡ଼ ଝଟକା ହୋଇଛି। ତାଙ୍କ ପ୍ରଶଂସକ ଆଶା ରଖିଥିଲେ ଯେ, ଅନ୍ତତଃ ୨୦୨୭ ସଂସ୍କରଣରେ ଧୋନି ଖେଳିବେ। ଖାସ୍ ଧୋନିଙ୍କୁ ଦେଖିବା ପାଇଁ ଷ୍ଟାଡିୟମରେ ଦର୍ଶକ ସୂଅ ଛୁଟିଥାଏ। ହେଲେ ଏବେ ଧୋନିଙ୍କୁ CSKରେ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ।

ଧୋନି ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ବହୁତ ଖାସ୍ ସଂପର୍କ ରହିଛି। ତାଙ୍କ ଅଧିନାୟକତ୍ଵରେ ଚେନ୍ନାଇ ଅନେକ ସ୍ମରଣୀୟ ସଫଳତା ପାଇଛି। ଚେନ୍ନାଇ ଜିତିଥିବା ୫ଟି ଟାଇଟଲ ଧୋନିଙ୍କ ନେତୃତ୍ଵରେ ଜିତିଛି। କିନ୍ତୁ ଏବେ ଧୋନିଙ୍କ ଭୂମିକା ବଦଳିଛି। ଏବେ ସେ ଦଳକୁ ମାର୍ଗଦର୍ଶନ ଦେବେ। ପରିସ୍ଥିତି ଅନୁସାରେ କେମିତି ଖେଳିବାକୁ ହେବ, ଚାପର କେମିତି ମୁକବିଲା କରିବ ତା ଉପରେ ଖେଳାଳିଙ୍କୁ ଦେବେ ଟିପ୍ସ।

ଚେନ୍ନାଇ ସୁପର କିଙ୍ଗ୍ସର ମାଲିକ ଏନ ଶ୍ରୀନିବାସନ କହିଛନ୍ତି, ମହେନ୍ଦ୍ର ସିଂ ଧୋନିଙ୍କ ବିନା CSK କିଛି ନୁହେଁ. ପ୍ରାୟ ଦୁଇ ଦଶନ୍ଧି ଧରି ଆମେ ତାଙ୍କ ସହ ଏହି ଯାତ୍ରାରେ ଆଗକୁ ବଢିଛୁ। ଏହି ସମୟରେ ଆମେ ଜିତିଛୁ, ମୁସ୍କିଲ ସମୟ ଦେଖିଛୁ ଏବଂ ସବୁ ପ୍ରକାରର ଉତଥାନ ପତନ ଦେଖିଛୁ। ଆମ ସଂପର୍କ ମଜବୁତ ହେବାର ସବୁଠୁ ବଡ଼ କାରଣ ଆମେ ପରସ୍ପରର ଉଦ୍ଦେଶ୍ୟ ଏବଂ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଉନି। ଏହି ଭରସା ହିଁ ଆମର ଦୀର୍ଘ ଯାତ୍ରାକୁ ସଫଳ କରିଛି।

ଶ୍ରୀନିବାସନ ୨୦୦୮ରେ ଧୋନିଙ୍କ ଚେନ୍ନାଇରେ ସାମିଲ୍ ହେବାର ନିଷ୍ପତ୍ତିକୁ ମଧ୍ୟ ମନେ ପକାଇଛନ୍ତି। ସେ କହିଛନ୍ତି, ୨୦୦୮ରେ ମୁଁ ଜୋର ଦେଇଥିଲି ଯେ, ଯେମିତି ହେଲେ ଧୋନି ଚେନ୍ନାଇ ସୁପର କିଙ୍ଗ୍ସର ଅଂଶ ହେବେ। ଏହା ମୋର ସବୁଠୁ ଭଲ ନିଷ୍ପତ୍ତି ଭାବେ ପ୍ରମାଣିତ ହୋଇଛି। ଏହା କେବଳ ଫ୍ରାଞ୍ଚାଇଜ ପାଇଁ ତାଙ୍କର ଉପଲବ୍ଧତା କାରଣରୁ ନୁହେଁ ବରଂ ସେ ଯେଉଁଭଳି ମଣିଷ ତାହା ହିଁ ତାଙ୍କୁ ବଡ଼ କରିଛି। ଧୋନି ସର୍ବଦା ଆମ ପରିଚୟର ଅଂଶ ହୋଇ ରହିବେ। CSK ସର୍ବଦା ତାଙ୍କର ଘର ହୋଇ ରହିବ।

ଧୋନିଙ୍କ IPL କ୍ୟାରିୟର

ଏମଏସ ଧୋନି ନିଜର IPL କ୍ୟାରିୟରରେ ୨୭୮ଟି ମ୍ୟାଚ୍ ଖେଳି ୨୪୨ ଇନିଂସରେ ୫ ହଜାର ୪୩୯ ରନ କରିଛନ୍ତି। ଏଥିରେ ୨୪ ଅର୍ଦ୍ଧଶତକ ସାମିଲ୍। ଏହି ସମୟରେ ତାଙ୍କର ବ୍ୟାଟିଂ ହାର ୩୮.୩୦ ଏବଂ ଷ୍ଟ୍ରାଇକ ରେଟ୍ ୧୩୭.୪୫ ରହିଛି। ୮୪ ରନ ହେଉଛି ଧୋନିଙ୍କ ସର୍ବୋଚ୍ଚ ସ୍କୋର। ମାହି ଆଇପିଏଲରେ କେବେ ଶତକ ହାସଲ କରି ପାରି ନାହାନ୍ତି। ତାଙ୍କ ବ୍ୟାଟରୁ ବାହାରିଛି ୩୭୫ ଚୌକା ଓ ୨୬୪ ଛକା।

ଓ୍ଵିକେଟ୍ ପଛରେ ଧୋନିଙ୍କ ଜଲଓ୍ଵା

ଧୋନିଙ୍କ ପରିଚୟ କେବଳ ଜଣେ ବ୍ୟାଟର ଭାବେ ସୀମିତ ନୁହେଁ। ଓ୍ଵିକେଟ୍ ପଛରେ ସେ କ୍ରିକେଟ୍ ଜଗତରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। IPL କ୍ୟାରିୟରରେ ସେ ୧୫୮ କ୍ୟାଚ୍ ଓ ୪୭ ଷ୍ଟମ୍ପିଂ କରିଛନ୍ତି। ୧୦୦ଟି ଇନିଂସରେ ସେ ଅପରାଜିତ ରହିଛନ୍ତି। ଏବେ ଖେଳାଳି ଭାବେ ତାଙ୍କର IPL କ୍ୟାରିୟରର ଅନ୍ତ ଘଟିଛି। ଏବେ ସେ ଚେନ୍ନାଇ ସୁପର କିଙ୍ଗ୍ସରେ ମେଣ୍ଟର ଭାବେ ନୂଆ ଭୂମିକାରେ ନଜର ଆସିବେ।

ସଫଳ ଅଧିନାୟକ, ୨୪୪ଟି ମ୍ୟାଚରେ କ୍ୟାପଟେନ

ଏମଏସ ଧୋନି ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଭାବେ ୨୦୦୮ରୁ ୨୦୨୫ ପର୍ଯ୍ୟନ୍ତ ମୋଟ୍ ୨୪୪ଟି ମ୍ୟାଚରେ ଦଳର ନେତୃତ୍ଵ ନେଇଛନ୍ତି। ଏଥିରୁ CSK ୧୪୫ଟି ମ୍ୟାଚ୍ ଜିତିଥିବା ବେଳେ ୯୬ଟି ମ୍ୟାଚ୍ ହାରିଛି। ଗୋଟିଏ ମ୍ୟାଚ୍ ଟାଇ ରହିଥିବା ବେଳେ ଦୁଇଟି ମ୍ୟାଚ୍ ଫଳାଫଳ ଶୂନ୍ୟ ରହିଛି। ଧୋନିଙ୍କ ନେତୃତ୍ଵରେ ଚେନ୍ନାଇର ବିଜୟ ପ୍ରତିଶତ ୫୯.୪୨ ରହିଛି। ଧୋନି ନିଜ ଅଧିନାୟକତ୍ଵରେ ଚେନ୍ନାଇକୁ ପାଞ୍ଚ ଥର ଟାଇଟଲ୍ ଜିତାଇଛନ୍ତି।

Leave a Reply

Your email address will not be published. Required fields are marked *