OdiaInfo Loading

ବନ୍ୟା ବିପନ୍ନଙ୍କ ସହ ଦୀପାବଳି ପାଳିବେ ଜିଲ୍ଲାପାଳ ଓ ଅଧିକାରୀ, ସହାୟତା ବଣ୍ଟନରେ ସ୍ୱଚ୍ଛତା ଉପରେ ଗୁରୁତ୍ୱ

ଛତ୍ରପୁର, ୦୭/୧୧: ବନ୍ୟା ବିପନ୍ନଙ୍କ ଦୁଃଖ ଓ ଦୁର୍ଦ୍ଦଶାରେ ସାମିଲ ହୋଇ ନବରତ୍ନପୁର ଜାହାଡ଼ା ଆଦି ଗ୍ରାମର ବନ୍ୟା ପ୍ରଭାବିତ ଲୋକଙ୍କ ସହ ଚଳିତ ବର୍ଷ ଦୀପାବଳି ପାଳନ କରିବେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ। ବନ୍ୟା ବିପନ୍ନ ପରିବାର ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ସମ୍ବଳିତ ସ୍ୱତନ୍ତ୍ର ପ୍ୟାକେଟ୍ ପ୍ରସ୍ତୁତ କରାଯାଇଛି। ଏହି ସାମଗ୍ରୀଗୁଡ଼ିକୁ ପ୍ରଭାବିତ ପରିବାରଙ୍କ ନିକଟରେ ପହଞ୍ଚାଇବା ସହ ସେମାନଙ୍କ ସହ ଦୀପାବଳି ପାଳନ କରାଯିବ।

ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଓସୱାନ୍ ମାଧ୍ୟମରେ ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର, କ୍ଷୟକ୍ଷତି ଆକଳନ ଓ ସହାୟତା ବଣ୍ଟନ ସମ୍ପର୍କିତ ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଡିଓମାନଙ୍କୁ ପ୍ରଭାବିତ ଗ୍ରାମଗୁଡ଼ିକରେ ଆସନ୍ତାକାଲି ଖାଦ୍ୟ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ବନ୍ୟା ପ୍ରଭାବିତ ପରିବାରଙ୍କ ନିକଟରେ ପ୍ରଶାସନିକ ସହାୟତା ପହଞ୍ଚାଇବା ପାଇଁ ଅଧିକାରୀମାନେ ଆନ୍ତରିକତାର ସହ ଦିନରାତି କାର୍ଯ୍ୟ କରିବା ସହ ଘରଦ୍ୱାରକୁ ଯାଇ ସହାୟତା ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ପ୍ରଭାବିତ ପରିବାରଙ୍କୁ ୫୦ କିଲୋଗ୍ରାମ ଚାଉଳ ଓ ୨୫୦୦ ଟଙ୍କାର ସହାୟତା ପ୍ରଦାନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ସହ କୌଣସି ଯୋଗ୍ୟ ହିତାଧିକାରୀ ଯେପରି ସହାୟତାରୁ ବଞ୍ଚିତ ନ ହୁଅନ୍ତି, ତାହା ସୁନିଶ୍ଚିତ କରିବାକୁ ବିଡିଓମାନଙ୍କୁ କୁହାଯାଇଥିଲା।

ସହାୟତା ରାଶି ବଣ୍ଟନରେ ସ୍ୱଚ୍ଛତା ଓ ନିୟମିତ ତଦାରଖ ଉପରେ ଗୁରୁତ୍ୱ ଦେଇ ଜିଲ୍ଲାପାଳ ପ୍ରତ୍ୟେକ ବିଡିଓଙ୍କୁ ଦୈନିକ ବ୍ୟାଙ୍କରୁ ସହାୟତା ରାଶିର ରିକନସିଲିଏସନ୍ ଷ୍ଟେଟମେଣ୍ଟ ସଂଗ୍ରହ କରି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କେଉଁ ବ୍ୟାଙ୍କ ଖାତାକୁ ସହାୟତା ରାଶି ଯାଇଛି ଏବଂ କାହା ଖାତାକୁ ଯାଇନାହିଁ, ତାହାର ସବିଶେଷ ତଥ୍ୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।

ବନ୍ୟାରେ ଗିଡ଼ିପାବାଲି ଅଞ୍ଚଳର ପ୍ରଭାବିତ ଲୋକଙ୍କ ସ୍ଥିତି ସମ୍ପର୍କରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ। ସେଠାରେ ପ୍ରଭାବିତ ପରିବାରଙ୍କ ଥଇଥାନ ପାଇଁ ଏକ କଲୋନୀ ନିର୍ମାଣ ନିମନ୍ତେ ଆବଶ୍ୟକ ପ୍ରୟାସକୁ ତ୍ୱରାନ୍ୱିତ କରିବାକୁ ସେ ସମ୍ପୃକ୍ତ ଅଧିକାରୀଙ୍କୁ କହିଥିଲେ।

ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ଆଲୋଚନା କରି ଜିଲ୍ଲାପାଳ ପ୍ରଭାବିତ ଅଞ୍ଚଳରେ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ଶିବିର ଆୟୋଜନ, ପାନୀୟ ଜଳ ଉତ୍ସର ବିଶୋଧନ ଏବଂ ସଂକ୍ରାମକ ରୋଗର ନିରାକରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସିଡିଏମ୍‌ଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷକରି ଝାଡ଼ାବାନ୍ତି ଭଳି ଜଳବାହିତ ରୋଗ ଯେପରି ଆଦୌ ନ ବ୍ୟାପେ, ସେଥିପାଇଁ ସମସ୍ତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଜଳସେଚନ ବିଭାଗର କାର୍ଯ୍ୟ ସମ୍ପର୍କରେ ମଧ୍ୟ ଜିଲ୍ଲାପାଳ ସମୀକ୍ଷା କରିଥିଲେ। ବିଶେଷକରି ଭଞ୍ଜନଗର ଜଳସେଚନ ଡିଭିଜନ୍ ଅଧୀନରେ ଥିବା ଅଞ୍ଚଳରେ ପୁନରୁଦ୍ଧାର ଓ ମରାମତି କାର୍ଯ୍ୟକୁ ବ୍ୟାପକ ଭାବେ ତ୍ୱରାନ୍ୱିତ କରିବାକୁ କୁହାଯାଇଥିଲା। ପ୍ରତ୍ୟେକ ବ୍ରିଜ୍ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଚାଲିଥିବା କାର୍ଯ୍ୟର ଅଗ୍ରଗତିକୁ ଆସନ୍ତା ମଙ୍ଗଳବାର ଜିଲ୍ଲାପାଳ ସମୀକ୍ଷା କରିବେ।

ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ସ୍ୱାଭାବିକ କାର୍ଯ୍ୟକ୍ରମ ପୁନଃଆରମ୍ଭ ନିମନ୍ତେ ପ୍ରସ୍ତୁତି ଉପରେ ମଧ୍ୟ ଆଲୋଚନା ହୋଇଥିଲା। ୬ରୁ ୭ଟି ବିଦ୍ୟାଳୟକୁ ବାଦ୍ ଦେଲେ ଅନ୍ୟାନ୍ୟ ବିଦ୍ୟାଳୟଗୁଡ଼ିକର ସଫେଇ କାର୍ଯ୍ୟ ପ୍ରାୟ ଶେଷ ହୋଇଥିବା ଜଣାପଡ଼ିଥିଲା। ଆସନ୍ତାକାଲି ସୁଦ୍ଧା ବିଡିଓମାନଙ୍କ ଦସ୍ତଖତ ସହିତ ବିଦ୍ୟାଳୟଗୁଡ଼ିକର ପ୍ରସ୍ତୁତି ସମ୍ପର୍କିତ ପ୍ରମାଣପତ୍ର ଦାଖଲ କରିବାକୁ କୁହାଯାଇଥିଲା। ସ୍ଥିତି ଅନୁକୂଳ ରହିଲେ ଆସନ୍ତା ସୋମବାରଠାରୁ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ତେବେ କୌଣସି ପରିସ୍ଥିତିରେ ଅସୁରକ୍ଷିତ ସ୍ଥାନରେ ଥିବା ବିଦ୍ୟାଳୟ କିମ୍ବା ଅଙ୍ଗନବାଡ଼ି କେନ୍ଦ୍ର ଖୋଲାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ।

ବନ୍ୟାରେ କ୍ଷତିଗ୍ରସ୍ତ ମତ୍ସ୍ୟଜୀବୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ବନ୍ୟା ସମୟରେ ଉଦ୍ଧାର, ରିଲିଫ୍ ଓ ଅନ୍ୟାନ୍ୟ ସହାୟତା କାର୍ଯ୍ୟରେ ସହଯୋଗର ହାତ ବଢ଼ାଇଥିବା ବିଭିନ୍ନ ଅନୁଷ୍ଠାନ ଓ ସଂଗଠନକୁ ଜିଲ୍ଲାପାଳ ଧନ୍ୟବାଦ ଓ ସାଧୁବାଦ ଜଣାଇଥିଲେ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଦେବଦତ୍ତ ପଣ୍ଡା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ବିଭିନ୍ନ ଜିଲ୍ଲାରୁ ଆସିଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀ, ଉପଜିଲ୍ଲାପାଳ, ବିଡିଓ, ତହସିଲଦାର ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *