OdiaInfo Loading

ଆସନ୍ତକାଲିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତକୁ ନେଇ ରାଜ୍ୟରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଷ୍ଟ୍ରପତିଙ୍କ ଏହି ଗସ୍ତ ସମୟରେ ଓଡ଼ିଶାରେ ଅନେକ ଗୁରୁତ୍ୱପୂର୍ଣ୍ଣ ଓ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି।

ଗସ୍ତର ପ୍ରଥମ ଦିନ ଅର୍ଥାତ୍ ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଟକ ଗସ୍ତ କରିବେ। ସେଠାରେ ଐତିହାସିକ ବାଲିଯାତ୍ରା ମହୋତ୍ସବରେ ଯୋଗଦେବା ସହ ଏହି ମହୋତ୍ସବର ଗୌରବମୟ ପରମ୍ପରା ଓ ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ଇତିହାସ ସହ ଜଡ଼ିତ କାର୍ଯ୍ୟକ୍ରମରେ ସାମିଲ ହେବେ। ବାଲିଯାତ୍ରା ଓଡ଼ିଶାର ଐତିହ୍ୟ, ପରମ୍ପରା ଏବଂ ପ୍ରାଚୀନ ନୌବାଣିଜ୍ୟର ସ୍ମୃତି ବହନ କରୁଥିବା ଏକ ପ୍ରମୁଖ ଉତ୍ସବ। ରାଷ୍ଟ୍ରପତିଙ୍କ ଉପସ୍ଥିତି ଏହି ମହୋତ୍ସବର ଗୁରୁତ୍ୱକୁ ଆହୁରି ବୃଦ୍ଧି କରିବ ବୋଲି ଆଶା କରାଯାଉଛି।

ସେହିପରି ଗସ୍ତର ଦ୍ୱିତୀୟ ଦିନ ଅର୍ଥାତ୍ ଆସନ୍ତା ୨୫ ତାରିଖ, ବୁଧବାର ରାଷ୍ଟ୍ରପତି ଭୁବନେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ହୋମିଓପାଥୀ ଉପରେ ଜାତୀୟ ବୈଜ୍ଞାନିକ ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଏହି ସମ୍ମିଳନୀରେ ଦେଶର ବିଭିନ୍ନ ପ୍ରାନ୍ତରୁ ହୋମିଓପାଥୀ କ୍ଷେତ୍ରର ବିଶେଷଜ୍ଞ, ଗବେଷକ, ଚିକିତ୍ସକ ଓ ଶିକ୍ଷାବିତ୍‌ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ମିଳନୀରେ ହୋମିଓପାଥୀ ଚିକିତ୍ସା ପଦ୍ଧତିର ବିଭିନ୍ନ ଦିଗ, ଗବେଷଣା, ବୈଜ୍ଞାନିକ ଆଲୋଚନା ଏବଂ ଭବିଷ୍ୟତର ସମ୍ଭାବନା ସମ୍ପର୍କରେ ଆଲୋଚନା ହେବ। ରାଷ୍ଟ୍ରପତିଙ୍କ ଏହି ଦୁଇଦିନିଆ ଓଡ଼ିଶା ଗସ୍ତକୁ ନେଇ ପ୍ରଶାସନିକ ସ୍ତରରେ ଆବଶ୍ୟକ ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥା କରାଯାଉଛି। ଏହି ଗସ୍ତ ମାଧ୍ୟମରେ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଓ ଜାତୀୟ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ଆଲୋଚନାକୁ ଆହୁରି ପ୍ରୋତ୍ସାହନ ମିଳିବ ବୋଲି ଆଶା ପ୍ରକାଶ କରାଯାଉଛି।

Leave a Reply

Your email address will not be published. Required fields are marked *