OdiaInfo Loading

ଗୋପାଳପୁର ନିକଟରେ ସ୍ଥଳଭାଗ ଅତିକ୍ରମ କଲା ବାତ୍ୟା ‘ଅକଭାନ୍’

ଗୋପାଳପୁର ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି ବାତ୍ୟା ‘ଅକଭାନ୍’। ଲ୍ୟାଣ୍ଡଫଲ୍ ସମୟରେ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିଥିବାବେଳେ ଝଟକା ପବନର ବେଗ ୯୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିଥିଲା। ତେବେ ବାତ୍ୟାର ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା ଆହୁରି ପ୍ରାୟ ଦୁଇ ଘଣ୍ଟା ଧରି ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ଏହି ସୂଚନା ଦେଇଛନ୍ତି।

ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ଆଜି ସକାଳ ୧୧ଟା ୩୦ ସୁଦ୍ଧା ବାତ୍ୟାଟି ଗଭୀର ଅବପାତରେ ଏବଂ ସନ୍ଧ୍ୟା ୫ଟା ୩୦ ସୁଦ୍ଧା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ମଧ୍ୟରାତ୍ରି ସୁଦ୍ଧା ଏହା ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ।

ବାତ୍ୟାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିବ। ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଏବଂ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଧୀରେ ଧୀରେ ପବନର ବେଗ ହ୍ରାସ ପାଇବ। ଉପକୂଳ ଅଞ୍ଚଳରେ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନର ବେଗ ୮୦ କିଲୋମିଟର ରହିପାରେ। ଆଜି ଅପରାହ୍ନ ସୁଦ୍ଧା ପବନଜନିତ ବିପଦ ଅନେକାଂଶରେ ହ୍ରାସ ପାଇବା ସମ୍ଭାବନା ଥିବାବେଳେ ବର୍ଷା ଜାରି ରହିବ। ଆଗାମୀ ୨୪ ଘଣ୍ଟା ପରେ ବର୍ଷାର ପରିମାଣ କମିପାରେ।

ଅନ୍ୟପକ୍ଷରେ ବାତ୍ୟା ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ପାତ୍ରପୁରରେ ସର୍ବାଧିକ ୨୦୯ ମିଲିମିଟର, ହିଞ୍ଜିଳିରେ ୨୦୭ ମିଲିମିଟର, ଚିକିଟିରେ ୧୯୯ ମିଲିମିଟର, ଗୋପାଳପୁରରେ ୧୯୦ ମିଲିମିଟର ଏବଂ ଛତ୍ରପୁରରେ ୧୪୯ ମିଲିମିଟର ବର୍ଷା ହୋଇଛି।

ସେହିପରି ଚାନ୍ଦବାଲିରେ ୧୧୯ ମିଲିମିଟର, ତିହିଡ଼ିରେ ୧୦୦ ମିଲିମିଟର, କୁଜଙ୍ଗରେ ୯୭ ମିଲିମିଟର, ପାରାଦୀପରେ ୯୩ ମିଲିମିଟର, ରାଜକନିକା ଓ ରାଜନଗରରେ ୮୨ ମିଲିମିଟର, ପୁରୀରେ ୭୯ ମିଲିମିଟର, ପଟ୍ଟାମୁଣ୍ଡାଇରେ ୭୬ ମିଲିମିଟର ଏବଂ ଜି. ଉଦୟଗିରିରେ ୭୫ ମିଲିମିଟର ବର୍ଷା ରେକର୍ଡ ହୋଇଛି।

Leave a Reply

Your email address will not be published. Required fields are marked *