ଭୁବନେଶ୍ୱର/ପୁରୀ: ସମ୍ଭାବ୍ୟ ବାତ୍ୟା ‘ଅକବାନ୍’ର ସଫଳ ମୁକାବିଲା ଏବଂ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆଜି ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ପୁରୀ ଜିଲ୍ଲାର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳ ଗସ୍ତ କରି ବାତ୍ୟା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ବିପର୍ଯ୍ୟୟ ସମୟରେ ଜନସୁରକ୍ଷା ଆମ ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି ।

ଗସ୍ତ ଅବସରରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ପ୍ରଥମେ କୋଣାର୍କର ୮ ନଂ ୱାର୍ଡଠାରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସେଠାରେ ସ୍ଥାନୀୟ ମତ୍ସ୍ୟଜୀବୀ ବର୍ଗର ଜନସାଧାରଣଙ୍କ ପାଇଁ କରାଯାଇଥିବା ସମସ୍ତ ବ୍ୟବସ୍ଥା ବାବଦରେ ପଚାରି ବୁଝିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ଏସ୍ଓପି (SOP)କୁ ମାନି ପ୍ରଶାସନକୁ ପୂର୍ଣ୍ଣ ସହଯୋଗ କରିବା ପାଇଁ ସେ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।

ଏହାପରେ ବାତ୍ୟାର ମୁକାବିଲା ଓ ଆବଶ୍ୟକୀୟ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିବା ପାଇଁ ଉପ-ମୁଖ୍ୟମନ୍ତ୍ରୀ ଗୋପ ଏବଂ ନିମାପଡ଼ାଠାରେ ଆୟୋଜିତ ପୃଥକ ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ଏହି ବୈଠକଗୁଡ଼ିକରେ ସ୍ଥାନୀୟ ଜନପ୍ରତିନିଧି ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ । ଏହାସହ ନିମାପଡ଼ା-ଗୋପ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବଡ଼ଶିରିବିଳାଠାରେ ବାତ୍ୟା ‘ଅକବାନ୍’ର ମୁକାବିଲା ପାଇଁ କରାଯାଇଥିବା ପ୍ରସ୍ତୁତିର ତଦାରଖ କରି ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପ୍ରତି ଆମ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି ବୋଲି ସେ ପ୍ରକାଶ କରିଥିଲେ ।

ଶେଷରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ପିପିଲିଠାରେ ପହଞ୍ଚି ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଥିଲେ, ଯେଉଁଠାରେ ପିପିଲିର ମାନ୍ୟବର ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ ଏବଂ ପ୍ରଶାସନିକ ଅଧିକାରୀବୃନ୍ଦ ଉପସ୍ଥିତ ରହି ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ । ଆମ ସରକାର ହେଉଛି ଲୋକଙ୍କ ସରକାର ଏବଂ ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସରକାର ସବୁବେଳେ ଲୋକଙ୍କ ସାଥିରେ ରହିଛନ୍ତି ବୋଲି ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।





