OdiaInfo Loading

ଅକବାନ୍‌”ବାତ୍ୟାପ୍ରସ୍ତୁତିନେଇ  ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜାରି ରହିଛି – ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ                                                                                             

‘ଅକବାନ୍‌’ ବାତ୍ୟା ପ୍ରସ୍ତୁତି ସଂପର୍କରେ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି  ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି । ଆଜି ସକାଳେ  ସ୍ଵତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ  ସ୍ଥିତି ଅନୁଧ୍ୟାନ କରି ମୁଖ୍ୟ ଶାସନ ସଚିବ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।   

          ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି ) ପକ୍ଷରୁ ଆକଳନ ଅନୁସାରେ ‘ଅକବାନ’ ବାତ୍ୟାର ସମ୍ଭାବ୍ୟ ଗତିପଥ ପୁରୀ ଓ ଗୋପାଳପୁର ମଝିରେ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି ଓ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ  କରାଯାଇଛି । ଏ ନେଇ ସମ୍ଭାବ୍ୟ ପ୍ରଭାବିତଙ୍କୁ ସୁରକ୍ଷିତ  ସ୍ଥାନକୁ ବିସ୍ଥାପନ କରାଯାଉଛି ।

         ସଦ୍ୟତମ ସୂଚନା ଅନୁସାରେ ସମ୍ବେଦନଶୀଳ ୬୧୦୯ ସ୍ଥାନ ଚିହ୍ନଟ କରାଯାଇ ସେସବୁ ସ୍ଥାନରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ବିସ୍ଥାପନ କରାଯାଉଛି । କାଲି ସଂଧ୍ୟାରେ ବିସ୍ଥାପନ କାର୍ଯ୍ୟ ଜାରି ରହିରହିଥିବା ବେଳେ ଆଜି ସକାଳୁ ମଧ୍ୟ ଏହି କାର୍ଯ୍ୟ ଚାଲିଛି ।  ଆମେ ଯେତେ ଅଧିକ ଆବଶ୍ୟକ, ସେତେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବୁ । ଏଥିପାଇଁ  ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାରେ ୯୨୯୯  ବାତ୍ୟା ଆଶ୍ରୟସ୍ଥଳ ଚିହ୍ନଟ କରାଯାଇଛି ।  ସେଠାରେ ଲୋକମାନଙ୍କର ଏବଂ ଶିଶୁମାନଙ୍କର ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟର  ବ୍ୟବସ୍ଥା , ଜରୁରୀ ଔଷଧ, ପିଇବା ପାଣି,  ସାନିଟାରୀ ନାପକିନ୍ ସୁବିଧା ଏବଂ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଉଛି । ଆଶା ଓ ଅଙ୍ଗନବାଡି କର୍ମୀମାନଙ୍କୁ ନିୟୋଜିତ  କରାଯାଇଛି । ଆଗୁଆ ପଦକ୍ଷେପ ସ୍ୱରୂପ ୩୦ ନଭେମ୍ବର ସୁଦ୍ଧା ଆସନ୍ନ ପ୍ରସବା ଥିବା ଗର୍ଭବତୀ ମହିଳାମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରଣ କରାଯାଇଛି ।

          ଅଦ୍ୟାବଧି ପ୍ରାୟ ୧,୦୫,୩୦୪ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି ଓ ଏହି ପ୍ରକ୍ରିୟା ଜାରି ରହିଛି । ସେମାନଙ୍କୁ ୧୨୨୪ ଟି ବାତ୍ୟା-ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି ।  ଗଂଜାମ ଜିଲ୍ଲାର ୪୫ ୩୬୪  ଏବଂ  ଗଜପତି ଜିଲ୍ଲାର ୧୮ ୦୦୦ ଲୋକ ଙ୍କୁ ସ୍ଥାନାନ୍ତରଣ କରାଯାଇଛି ଓ ଏହି ପ୍ରକ୍ରିୟା ଜାରି ରହିଛି । ଗଜପତି ଓ କନ୍ଧମାଳ ଜିଲ୍ଲାରେ ଅଂଚଳରୁ  ଭୁସ୍ଖଳନ ସମ୍ଭାବନା ଥିବା ଅଂଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି ।  ପାହାଡତଳି ଅଂଚଳର ଗ୍ରାମବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । 

          ନେଟ୍ଓ୍ୱାର୍କ ସମସ୍ୟା ରହୁଥିବା ଅଂଚଳରେ ଟେଲିକମ ବିଭାଗ ତରଫରୁ ଅତିରିକ୍ତ ସାଟେଲାଇଟ୍ ଫୋନ୍ ଏବଂ ସେଲ ଅନ୍ ହୁଇଲ୍ ବ୍ୟବସ୍ଥା ମାଧ୍ୟମରେ ସୂଚନା ପ୍ରଦାନ କରାଯାଉଛି । ୬୦ଟି ଓଡ୍ରାଫ୍ ଟିମ୍, ୧୪ ଏନ୍‌ଡିଆରଏଫ୍‌ ଟିମ୍  ୨୨୧ ଟି   ଅଗ୍ନିଶମ  ବିଭାଗ ଟିମ୍ ବିଭିନ୍ନ ଜିଲ୍ଲାରେ ମୁତୟନ ହୋଇଛନ୍ତି ।  ଆବଶ୍ୟକ ସ୍ଥଳେ ଅଧିକ ବ୍ୟବସ୍ଥା             କରାଯିବ । ବାତ୍ୟା ପ୍ରଭାବରେ  ରାସ୍ତା ଅବରୋଧକୁ ଦୃଷ୍ଟିରେ ରଖି ଓଏଫଡିସି ପକ୍ଷରୁ ୧୦୦  ଟିମ୍ ନିୟୋଜିତ ହୋଇଛନ୍ତି । ଗୋପାଳପୁର, ପୁରୀ , ସାତପଡା, ଚିଲିକା ସମେତ ସବୁ ସମୁଦ୍ରକୂଳକୁ ପର୍ଯ୍ୟଟକମାନଙ୍କୁ ଯିବାକୁ ବାରଣ କରାଯାଇଛି । ଉପକୂଳ ଅଂଚଳର ସତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ଯେଉଁମାନେ ପୂର୍ବରୁ ଯାଇଛନ୍ତି ସେମାନେ ଫେରି ଆସିଛନ୍ତି ।

          କଳିଙ୍ଗା ଘାଟି ଓ ଗଜଲବାଡି ରାସ୍ତା ରେ ଲୋକମାନଙ୍କୁ  ନଯିବା ପାଇଁ  ଅନୁରୋଧ ସହ ରାସ୍ତା ବନ୍ଦ             କରାଯାଇଛି  ।  ଭାରତୀୟ ତଟରକ୍ଷୀ ବାହିନୀ କର୍ତ୍ତୃପକ୍ଷଙ୍କ ସହିତ ନିୟମିତ ଯୋଗାଯୋଗ ରଖାଯାଇଛି । ଆବଶ୍ୟକ ସ୍ଥଳେ ହେଲିକପ୍ଟର ଓ କ୍ରେନ୍ ସହାୟତା ନିଆଯିବା ପାଇଁ ପ୍ରସ୍ତୁତି ରହିଛି । ରେଳ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ ରଖାଯାଇଛି । କେତେକ ଟ୍ରେନ୍ ର ଚଳାଚଳ ପୁନଃ ସମୟ ନିର୍ଦ୍ଧାରଣ କରାଯାଇଛି , କେତେକ ବାତିଲ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।  ବାତ୍ୟା ଫଳରେ ଲଗାଣ ବର୍ଷା ହେଲେ ବନ୍ୟାସ୍ଥିତି ଉପୁଜିବାକୁ ଦୃଷ୍ଟିରେ ରଖି ଜଳ ନିଷ୍କାସନ ବ୍ୟବସ୍ଥା ପାଇଁ ପ୍ରସ୍ତୁତି କରାଯାଇଛି । ଜଳ ସମ୍ପଦ ବିଭାଗ ପକ୍ଷରୁ ରାତ୍ରୀକାଳୀନ ପେଟ୍ରୋଲିଂ ଏବଂ ୨୪  ଘଣ୍ଚିଆ ନିରୀକ୍ଷଣ ସହ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରୁଛି । ବରିଷ୍ଠ ଯନ୍ତ୍ରୀମାନେ  ବିଭିନ୍ନ ନଦୀବନ୍ଧ ଓ ଜଳଭଣ୍ଡାର ଅଂଚଳରେ ମୁତୟନ ହୋଇଛନ୍ତି । ସ୍ଥାନୀୟ ଜନସାଧାରଣ ଓ ବିଭିନ୍ନ ଗୋଷ୍ଠୀମାନଙ୍କ ସହାୟତାରେ ଆମେ ପ୍ରସ୍ତୁତିକୁ ତ୍ୱରାନିତ କରିଛୁ ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଛନ୍ତି ।  

`        ଗଞ୍ଜାମ,ଗଜପତି, ପୁରୀ, କନ୍ଧମାଳ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା,  ବାଲେଶ୍ୱର, ମୟୂରଭଞ୍ଜ ଆଦି ଉପକୂଳବର୍ତ୍ତୀ ଜିଲ୍ଲା ସହ ଅନ୍ୟ ଜିଲ୍ଲାଗୁଡ଼ିକ, ବିଶେଷ କରି ଯେଉଁଗୁଡିକ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅରେଂଜ ଓ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି , ସେ ସବୁ ଜିଲ୍ଲା  ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ।  ପ୍ରଭାବିତ  ହେବାକୁ  ଥିବା ଜିଲ୍ଲାମାନଙ୍କୁ ପୂର୍ବରୁ ଅଭିଜ୍ଞତା ଥିବା ବରିଷ୍ଠ ଆଇଏଏସ୍‌ ଅଧିକାରୀମାନଙ୍କୁ ମୁତୟନ କରାଯାଇଛି । ସେହି ସବୁ ଜିଲ୍ଲାରେ ସରକାରୀ ଅଧିକାରୀମାନଙ୍କର ଛୁଟି ବାତିଲ କରାଯାଇଛି ।  ସଂପୃକ୍ତ ଜିଲ୍ଲାପାଳମାନେ ତତ୍ପରତାର  ସହିତ ସମସ୍ତ କାର୍ଯ୍ୟ କରୁଛନ୍ତି ।  ସମସ୍ତ ଜିଲ୍ଲାରେ  ୨୪ ଘଣ୍ଟିଆ  କଣ୍ଟ୍ରୋଲ  ରୁମ କାର୍ଯ୍ୟ କରୁଛି । ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଙ୍କ କାର୍ଯ୍ୟାଳୟରେ ନିୟମିତ  ପ୍ରସ୍ତୁତି ସମୀକ୍ଷା  ଓ ପଦକ୍ଷେପ ଗ୍ରହଣ କରାଯାଉଛି ।  ଜିରୋ କାଜୁଆଲିଟି ହେଉଛି ଓଡ଼ିଶା ସରକାରଙ୍କ ପ୍ରାଥମିକତା । ଏହି  ଲକ୍ଷ୍ୟରେ ଆମେ କାର୍ଯ୍ୟ କରୁଛୁ ଓ ରାଜ୍ୟ ସରକାରଙ୍କ ତରଫରୁ ବାତ୍ୟା ମୁକାବିଲା ନେଇ ସମସ୍ତ ପ୍ରସ୍ତୁତି କରାଯାଉଛି ବୋଲି ମୁଖ୍ୟ ସଚିବ  ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *