OdiaInfo Loading

ଓଡ଼ିଶା ବିଧାନସଭା ଶୀତକାଳୀନ ଅଧିବେଶନ: ବାଚସ୍ପତିଙ୍କ ନେତୃତ୍ୱରେ ବସିଲା ସର୍ବଦଳୀୟ ବୈଠକ ଆରମ୍ଭ

ଓଡ଼ିଶା ବିଧାନସଭାର ଆଗାମୀ ଶୀତକାଳୀନ ଅଧିବେଶନକୁ ଆଖିଆଗରେ ରଖି ରାଜ୍ୟ ରାଜନୀତିରେ ଉଷ୍ମତା ବଢ଼ିବାରେ ଲାଗିଛି। ଗୃହର କାର୍ଯ୍ୟକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ସର୍ବସମ୍ମତି କ୍ରମେ ଆଲୋଚନା ନିମନ୍ତେ ଆଜି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସର୍ବଦଳୀୟ ବୈଠକ ଆରମ୍ଭ ହୋଇଛି।

ଏହି ଉଚ୍ଚସ୍ତରୀୟ ଆଲୋଚନାରେ ଶାସକ ଓ ବିରୋଧୀ ଦଳର ବହୁ ବରିଷ୍ଠ ନେତୃବୃନ୍ଦ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେ. ଭି. ସିଂହଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏବଂ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ପ୍ରମୁଖ ବୈଠକରେ ଉପସ୍ଥିତ ରହି ଗୃହର ସୁପରିଚାଳନା ନେଇ ମତବିନିମୟ କରିଛନ୍ତି।

ଅଧିବେଶନ ସମୟରେ ରାଜ୍ୟର ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠିବାର ସମ୍ଭାବନା ଥିବାରୁ ଗୃହର ମର୍ଯ୍ୟାଦା ରକ୍ଷା କରିବା ସହ ରଚନାତ୍ମକ ବିତର୍କ ବଜାୟ ରଖିବା ପାଇଁ ସମସ୍ତ ଦଳର ନେତାମାନେ ମିଳିତ ସହଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି।

ଅନ୍ୟପଟେ ବୈଠକ ଶେଷ ହେବା ପରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଅଧିବେଶନକୁ ନେଇ ନିଜ ନିଜର ଆଭିମୁଖ୍ୟ ସ୍ପଷ୍ଟ କରାଯାଇଛି। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ବାତ୍ୟା ଓ ବନ୍ୟା ପରିସ୍ଥିତିକୁ ନେଇ ବିଜେଡି ଗୃହରେ ମୋସନ ଆଣିବ ଏବଂ ସମସ୍ତ କାର୍ଯ୍ୟସୂଚୀ ବାତିଲ କରି ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରାଯିବ। ଏହା ସହିତ ଆଇନଶୃଙ୍ଖଳା, ଉଠା ଜଳସେଚନ ସମସ୍ୟା, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ପ୍ରସଙ୍ଗକୁ ମଧ୍ୟ ଗୃହରେ ଉଠାଯିବ ବୋଲି ସେ ସୂଚନା ଦେଇଛନ୍ତି। ସେହିପରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ପ୍ରକାଶ କରିଛନ୍ତି ଯେ କୋଟିଆ ପ୍ରସଙ୍ଗ ସହ ବାତ୍ୟା ଓ ବନ୍ୟା ପ୍ରସଙ୍ଗକୁ କଂଗ୍ରେସ ବିଧାନସଭାରେ ଜୋରଦାର ଭାବେ ଉଠାଇବ ଏବଂ ଆଜି ବସିବାକୁ ଥିବା ବିଧାୟକ ଦଳ ବୈଠକରେ ଦଳର ପରବର୍ତ୍ତୀ ରଣନୀତି ଚୂଡ଼ାନ୍ତ ହେବ।

Leave a Reply

Your email address will not be published. Required fields are marked *