ଓଡ଼ିଶାରେ ପ୍ରଥମ ଥର ପାଇଁ ଝାରସୁଗୁଡ଼ା ଜିଲ୍ଲାରେ ପିପିପି ମୋଡ୍ରେ ଏକ ଅତ୍ୟାଧୁନିକ ସ୍ୱତନ୍ତ୍ର ହୃଦ୍ରୋଗ ହସ୍ପିଟାଲ୍ ଏବଂ କ୍ରିଟିକାଲ୍ କେୟାର ୟୁନିଟ୍ ଆରମ୍ଭ ହୋଇ ରାଜ୍ୟ ତଥା ସମଗ୍ର ପଶ୍ଚିମ ଓଡ଼ିଶାବାସୀଙ୍କ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ିଛି। ଝାରସୁଗୁଡ଼ାବାସୀଙ୍କ ଦୀର୍ଘଦିନର ପ୍ରତୀକ୍ଷା ଓ ଦାବିର ପରିସମାପ୍ତି ଘଟାଇ ଆଜି ସ୍ଥାନୀୟ ‘ବି.ଏମ୍.ଆର୍.ସି. ହୃଦ୍ରୋଗ ଚିକିତ୍ସାଳୟ’ ଆନୁଷ୍ଠାନିକ ଭାବେ ଲୋକାର୍ପିତ ଓ କାର୍ଯ୍ୟକ୍ଷମ ହୋଇଛି। ଭାରତ ସରକାରଙ୍କ ଉଦ୍ୟୋଗ ମହାନଦୀ କୋଲଫିଲ୍ଡସ୍ ଲିମିଟେଡର ସି.ଏସ୍.ଆର୍ ପାଣ୍ଠିରୁ ୨୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମିତ ହୋଇଥିବା ବେଳେ, କଲିକତାର ବି.ଏମ୍.ଆର୍.ସି ଏହାକୁ ଅପରେସନାଲ ମୋଡ୍ରେ ସଫଳତାର ସହ ପରିଚାଳନା କରୁଅଛି। ଏହି ଗୌରବମୟ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏବଂ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଅତ୍ୟାଧୁନିକ ହୃଦ୍ରୋଗ ଚିକିତ୍ସା କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି। କାର୍ଯ୍ୟକ୍ରମରେ ବରଗଡ଼ ଲୋକସଭା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ, ଝାରସୁଗୁଡ଼ା ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ, ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ଶକ୍ତି ପ୍ରକାଶ ପାଢ଼ୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ୱାଗତ କରାଯିବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ ଏବଂ ଫଳକ ଉନ୍ମୋଚନ ମାଧ୍ୟମରେ ହସ୍ପିଟାଲର କାର୍ଯ୍ୟାରମ୍ଭ କରାଯାଇଥିଲା।
ଏହି ଅବସରରେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି ଯେ, “ଆଜି ଝାରସୁଗୁଡ଼ା ପାଇଁ ଏକ ଐତିହାସିକ ଦିନ। ରାଜ୍ୟର ପ୍ରଥମ ପିପିପି ମୋଡ୍ରେ କାର୍ଯ୍ୟକ୍ଷମ ଏହି ହୃଦ୍ରୋଗ ହସ୍ପିଟାଲ ଏବଂ କ୍ରିଟିକାଲ୍ କେୟାର ୟୁନିଟ୍ ସ୍ୱାସ୍ଥ୍ୟସେବାକୁ ଲୋକଙ୍କ ହାତପାହାନ୍ତାରେ ପହଞ୍ଚାଇବା ଦିଗରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବାକୁ ସମ୍ପୂର୍ଣ୍ଣ ସୁଗମ କରିବା ଉଦ୍ଦେଶ୍ୟରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଗ୍ୟାରେଣ୍ଟି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଜୀଙ୍କ ନେତୃତ୍ୱରେ ଏଠାରେ ଆୟୁଷ୍ମାନ ଭାରତ–ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅନ୍ତର୍ଗତ ‘ବୟୋବନ୍ଦନ ଯୋଜନା’ କାର୍ଯ୍ୟକାରୀ ହେବ।ଏହାଦ୍ୱାରା ରୋଗୀମାନେ ମାଗଣାରେ ଉତ୍ତମ ଚିକିତ୍ସା ସେବା ପାଇପାରିବେ। ପୂର୍ବରୁ ହୃଦ୍ରୋଗ ଭଳି ଜଟିଳ ଚିକିତ୍ସା ପାଇଁ ପଶ୍ଚିମ ଓଡ଼ିଶାର ରୋଗୀମାନଙ୍କୁ କଟକ, ଭୁବନେଶ୍ୱର କିମ୍ବା ରାଜ୍ୟ ବାହାରକୁ ଯିବାକୁ ପଡ଼ୁଥିଲା, ଯାହାଦ୍ୱାରା ବହୁମୂଲ୍ୟ ‘ଗୋଲ୍ଡେନ୍ ଆୱାର’ ନଷ୍ଟ ହେଉଥିଲା। ଏବେ ନିଜ ଘର ପାଖରେ ବିଶ୍ୱସ୍ତରୀୟ ଚିକିତ୍ସା ଉପଲବ୍ଧ ହେବ।”
ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ନିଜ ବକ୍ତବ୍ୟରେ ଆନନ୍ଦ ପ୍ରକାଶ କରି କହିଛନ୍ତି ଯେ, “ଆଜି ଝାରସୁଗୁଡ଼ାଠାରେ ଅତ୍ୟାଧୁନିକ ‘କାର୍ଡିଆକ୍ କେୟାର ହସ୍ପିଟାଲ’ର ଆନୁଷ୍ଠାନିକ କାର୍ଯ୍ୟକ୍ଷମ କାର୍ଯ୍ୟକ୍ରମରେ ଯୋଗଦେଇ ଅତ୍ୟନ୍ତ ଆନନ୍ଦିତ। ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ଦ୍ୱାରା ଝାରସୁଗୁଡ଼ା ସମେତ ସମଗ୍ର ପଶ୍ଚିମ ଓଡ଼ିଶାବାସୀଙ୍କୁ ଏବେ ନିଜ ଅଞ୍ଚଳରେ ହିଁ ଉନ୍ନତମାନର ହୃଦ୍ରୋଗ ଚିକିତ୍ସା ସୁବିଧା ମିଳିପାରିବ। ଆମ ସରକାର ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ପ୍ରତ୍ୟେକ ନାଗରିକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ସର୍ବଦା ପ୍ରତିଶ୍ରୁତିବଦ୍ଧ।”
ବରଗଡ଼ ଲୋକସଭା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଏହି ପଦକ୍ଷେପକୁ ସ୍ୱାଗତ କରି କହିଛନ୍ତି ଯେ, “ଶିଳ୍ପ ସମୃଦ୍ଧ ଝାରସୁଗୁଡ଼ା ଜିଲ୍ଲାରେ ଏକ ସ୍ୱତନ୍ତ୍ର ହୃଦ୍ରୋଗ ଚିକିତ୍ସାଳୟର ଅଭାବ ଦୀର୍ଘ ଦିନରୁ ଅନୁଭୂତ ହେଉଥିଲା। ଆଜି ଏହି ହସ୍ପିଟାଲର ଶୁଭାରମ୍ଭ କେବଳ ଝାରସୁଗୁଡ଼ା ନୁହେଁ, ବରଂ ସମଗ୍ର ବରଗଡ଼ ଲୋକସଭା କ୍ଷେତ୍ର ଏବଂ ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଏକ ବଡ଼ ଉପହାର। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ମାଧ୍ୟମରେ ସାଧାରଣ ଲୋକଙ୍କ ଜୀବନ ରକ୍ଷା ଦିଗରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ସାବ୍ୟସ୍ତ ହେବ।”
ଝାରସୁଗୁଡ଼ା ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ, “ଝାରସୁଗୁଡ଼ାବାସୀଙ୍କ ଦୀର୍ଘଦିନର ପ୍ରତୀକ୍ଷା ଓ ଦାବିର ପରିସମାପ୍ତି ଘଟାଇ ଆଜି ମାନ୍ୟବର ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏବଂ ମାନ୍ୟବର ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କ ଗରିମାମୟ ଉପସ୍ଥିତିରେ ଏହାର ଶୁଭାରମ୍ଭ କରାଗଲା। ଏହି ଅତ୍ୟାଧୁନିକ ହୃଦ୍ରୋଗ ଚିକିତ୍ସା କେନ୍ଦ୍ରର ଶୁଭାରମ୍ଭ ଝାରସୁଗୁଡ଼ା ଜିଲ୍ଲାବାସୀଙ୍କ ପାଇଁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂତନ ଆଶାର କିରଣ। ଏହାଦ୍ୱାରା ଅଞ୍ଚଳବାସୀଙ୍କୁ ଉନ୍ନତ ହୃଦ୍ରୋଗ ଚିକିତ୍ସା ସେବା ନିଜ ଅଞ୍ଚଳରେ ଉପଲବ୍ଧ ହେବା ସହ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ ଦିଗରେ ଆଉ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଯୋଡ଼ି ହୋଇଛି। ଜନସାଧାରଣଙ୍କ ସ୍ୱାସ୍ଥ୍ୟ, ସୁରକ୍ଷା ଓ ସୁସ୍ଥ ଜୀବନ ସୁନିଶ୍ଚିତ କରିବା ଦିଗରେ ଏହି ପଦକ୍ଷେପ ନିଶ୍ଚିତ ଭାବେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।”
ଏହି ଅବସରରେ ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ଜିଲ୍ଲା ପ୍ରଶାସନର ଆଭିମୁଖ୍ୟ ସ୍ପଷ୍ଟ କରି “ସୁସ୍ଥ ଝାରସୁଗୁଡ଼ା, ସମୃଦ୍ଧ ଝାରସୁଗୁଡ଼ା”ର ବାର୍ତ୍ତା ଦେଇଥିଲେ। ସେ କହିଥିଲେ ଯେ ଜିଲ୍ଲାବାସୀଙ୍କୁ ତ୍ୱରିତ ଓ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ପ୍ରଶାସନ ସର୍ବଦା ତତ୍ପର ରହିଛି ଏବଂ ଏହି ହସ୍ପିଟାଲ ଜିଲ୍ଲାର ସ୍ୱାସ୍ଥ୍ୟ ମାନଚିତ୍ରକୁ ଆହୁରି ସମୃଦ୍ଧ କରିବ।
ଝାରସୁଗୁଡ଼ା ସ୍ୱାସ୍ଥ୍ୟସେବା ଇତିହାସରେ ନୂଆ କୀର୍ତ୍ତିମାନ- ଏଠାରେ ଉଲ୍ଲେଖଯୋଗ୍ୟ ଯେ, ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ସହ ଝାରସୁଗୁଡ଼ା ଜିଲ୍ଲାରେ ପ୍ରଥମ ଥର ପାଇଁ ‘ଡୁଆଲ୍-ଚାମ୍ବର ପେସମେକର ପ୍ରତିରୋପଣ’ ଭଳି ଜଟିଳ ଓ ଜୀବନ ରକ୍ଷାକାରୀ ଅପରେସନ୍ ସଫଳତାର ସହ ସମ୍ପନ୍ନ ହୋଇଛି। ଡାକ୍ତର ବିକ୍ରମାଦିତ୍ୟ ପାଢ଼ୀଙ୍କ ଦ୍ୱାରା ‘କମ୍ପ୍ଲିଟ୍ ହାର୍ଟ ବ୍ଲକ୍’ ରୋଗରେ ପୀଡ଼ିତ ଜଣେ ୭୫ ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କଠାରେ ଏହି ସଫଳ ଅସ୍ତ୍ରୋପଚାର କରାଯାଇଛି ଏବଂ ବର୍ତ୍ତମାନ ରୋଗୀ ଜଣକ ସମ୍ପୂର୍ଣ୍ଣ ସୁସ୍ଥ ଓ ସ୍ଥିର ଅଛନ୍ତି। ପୂର୍ବରୁ କେବଳ ବଡ଼ ମେଟ୍ରୋ ସହରଗୁଡ଼ିକରେ ଉପଲବ୍ଧ ହେଉଥିବା ଏହି ଅତ୍ୟାଧୁନିକ ଚିକିତ୍ସା ଏବେ ଝାରସୁଗୁଡ଼ାରେ ୨୪x୭ ଜରୁରୀକାଳୀନ ହୃଦ୍ରୋଗ ସେବା (ଜରୁରୀକାଳୀନ ଯୋଗାଯୋଗ ନମ୍ବର: ୮୨୬୬୦୭୪୮୪୪) ସହ ଉପଲବ୍ଧ ହୋଇପାରିଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ସି.ଡି.ଏମ୍.ଓ ଡ. ଶକ୍ତି ପ୍ରକାଶ ପାଢ଼ୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପରିଶେଷରେ ବି.ଏମ୍.ଆର୍.ସି.ର ପରିଚାଳନା ନିର୍ଦ୍ଦେଶିକା ସୁଶ୍ରୀ ମିତା ଦାସ ସମସ୍ତ ଅତିଥି ଓ ଉପସ୍ଥିତ ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।





