ରାଜ୍ୟରେ ବନ୍ୟା ପରିଚାଳନା ଏବଂ ବିଶେଷକରି ଗଞ୍ଜାମ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତିକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଗଞ୍ଜାମ ବନ୍ୟା ସ୍ଥିତି ପାଇଁ ସେ ବିଗତ ୨୪ ବର୍ଷର ସରକାରର ବିଫଳତାକୁ ଦାୟୀ କରିବା ସହ ବିଭିନ୍ନ ନଦୀ ଓ ଡ୍ୟାମର ଜଳ ପରିଚାଳନା ବ୍ୟବସ୍ଥାକୁ ନେଇ ଟାର୍ଗେଟ କରିଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ, ପୂର୍ବରୁ ବିଭିନ୍ନ ନଦୀରେ ଜଳ ଛାଡ଼ିବା ବ୍ୟବସ୍ଥାକୁ ସ୍ୱୟଂଚାଳିତ ରଖାଯାଇଥିଲା। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଓ ବ୍ୟବସ୍ଥା କରାଯାଇଥିଲା। ତେବେ ଆକଳନ ଠାରୁ ମାତ୍ରାଧିକ ବର୍ଷା ହେବାରୁ ହଠାତ୍ ବନ୍ୟା ସ୍ଥିତି ସୃଷ୍ଟି ହୋଇ ପରିସ୍ଥିତି ବିଗିଡ଼ି ଯାଇଥିଲା ।
ବର୍ଷାର ପରିମାଣ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ, ଗତ ୨୮, ୨୯ ଓ ୩୦ ତାରିଖରେ ପ୍ରବଳ ବର୍ଷା ହେବା ଫଳରେ ବନ୍ୟା ପରିସ୍ଥିତି ଉପୁଜିଥିଲା। ଏହି ୩ ଦିନ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ହାରାହାରି ୩୩୨.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ କେବଳ ପାତ୍ରପୁର ବ୍ଲକରେ ୮୦୮.୪ ମିଲିମିଟର ବର୍ଷା ହୋଇଥିଲା। ଏପରିକି ପାତ୍ରପୁରରେ ଗୋଟିଏ ଦିନରେ ୫୪୬ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ସେ ପ୍ରକାଶ କରିଛନ୍ତି। ବନ୍ୟା ସ୍ଥିତିର ସଫଳ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୮ ଜଣ ମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା ଏବଂ ଆଗାମୀ ଦିନରେ ଏଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ବିଭିନ୍ନ ଆଇଆଇଟି (IIT) ସହ ଆଲୋଚନା କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି।
ଏଥି ସହିତ ବିରୋଧୀ ଦଳକୁ କଡ଼ା ଜବାବ ଦେଇ ସୁରେଶ ପୂଜାରୀ କହିଛନ୍ତି ଯେ, ୨୪ ବର୍ଷର ସରକାର ନିଜର ବିଫଳତାକୁ ଲୁଚାଇବା ପାଇଁ ବର୍ତ୍ତମାନର ସରକାରଙ୍କୁ ଦୋଷ ଦେଉଛନ୍ତି। ଆସନ୍ତା ବିଧାନସଭା ଅଧିବେଶନରେ ବିରୋଧୀ ଦଳ ତଥ୍ୟ ସହ ଆଲୋଚନା କରି ଉତ୍ତର ରଖିବାକୁ ସେ ଅନୁରୋଧ କରିଛନ୍ତି।
ପୂର୍ବ ସରକାର ସମୟର ବିପର୍ଯ୍ୟୟ ପରିଚାଳନାକୁ ମନେ ପକାଇ ମନ୍ତ୍ରୀ କହିଛନ୍ତି ଯେ, ବାତ୍ୟା ‘ତିତିଲି’ ସମୟରେ ୬୨ ଜଣ ଏବଂ ‘ଫନି’ ସମୟରେ ୬୫ ଜଣଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ବର୍ତ୍ତମାନର ସରକାର ‘ଜିରୋ କାଜୁଆଲିଟି’ (ଶୂନ୍ୟ ମୃତାହତ) ନୀତିକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି। ତେବେ ପାହାଡ଼ରୁ ଅତଡ଼ା କିମ୍ବା ପଥର ଖସିବା ଭଳି ଘଟଣାର କୌଣସି ପୂର୍ବାନୁମାନ ନଥାଏ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମତବ୍ୟକ୍ତ କରିଛନ୍ତି।





