ରାଜଧାନୀ ଭୁବନେଶ୍ୱରର ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ି ହେବାକୁ ଯାଉଛି ଏକ ନୂତନ ଅଧ୍ୟାୟ। କୁଆଖାଇ ଏବଂ କୁଶଭଦ୍ରା ନଦୀ ମଧ୍ୟରେ ପ୍ରାକୃତିକ ଭାବେ ସୃଷ୍ଟି ହୋଇଥିବା ଏକ ମନୋରମ ଦ୍ୱୀପକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ ଓ ସାଂସ୍କୃତିକ ସ୍ଥଳୀରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ ୮୦ କୋଟି ଟଙ୍କା ବ୍ୟୟରେ ‘ପାଣ୍ଡରା ରିଭରଫ୍ରଣ୍ଟ ପ୍ରକଳ୍ପ’ ହାତକୁ ନିଆଯାଇଛି। ଜଳ ସମ୍ପଦ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଏହି ପ୍ରକଳ୍ପରେ ପର୍ଯ୍ୟଟନ, ସାଂସ୍କୃତିକ ଐତିହ୍ୟ, ପରିବେଶ ସଂରକ୍ଷଣ ଏବଂ ଆଧୁନିକ ମନୋରଞ୍ଜନ ସୁବିଧାର ସମନ୍ୱୟ ଦେଖିବାକୁ ମିଳିବ।
ଏହି ପଦକ୍ଷେପ ରାଜ୍ୟ ସରକାରଙ୍କ ୨,୨୪୦ କୋଟି ଟଙ୍କାର ‘ମହାନଦୀ ରିଭରଫ୍ରଣ୍ଟ ବିକାଶ ଯୋଜନା’ର ଏକ ଅଂଶ, ଯାହାର ଲକ୍ଷ୍ୟ ହେଉଛି ମହାନଦୀ ଅବବାହିକାର ପର୍ଯ୍ୟଟନ ଓ ଅର୍ଥନୈତିକ ସମ୍ଭାବନାକୁ ଆଗକୁ ବଢ଼ାଇବା।
ଏହି ପ୍ରକଳ୍ପ ଅଧୀନରେ ପର୍ଯ୍ୟଟକଙ୍କ ପାଇଁ ଅନେକ ଅତ୍ୟାଧୁନିକ ଓ ନିଆରା ସୁବିଧା ଉପଲବ୍ଧ କରାଯିବ। ନଦୀ କୂଳରେ ୧.୫ କିଲୋମିଟର ଲମ୍ବର ସୁନ୍ଦର ଚଲାପଥ (ପ୍ରୋମେନାଡ୍), ଘାଟ, ଭାସମାନ ଜେଟି, ଭ୍ୟୁଇଙ୍ଗ ଡେକ୍ ଏବଂ ସାଇକେଲ ଚଳାଇବା ଓ ଚାଲିବା ପାଇଁ ସ୍ୱତନ୍ତ୍ର ଟ୍ରାକ୍ ନିର୍ମାଣ କରାଯିବ। ଏହି ପ୍ରକଳ୍ପର ସବୁଠାରୁ ବଡ଼ ଆକର୍ଷଣ ହେବ ଦୁଇ କିଲୋମିଟରରୁ ଅଧିକ ଲମ୍ବର ଏକ ଉଚ୍ଚ ‘ଟ୍ରି ୱାକ୍’, ଯେଉଁଠାରେ ଚାଲିଚାଲି ପର୍ଯ୍ୟଟକମାନେ ଗଛ ଉପରୁ ଚତୁଃପାର୍ଶ୍ୱର ନଦୀ ଓ ସବୁଜିମାର ମନୋରମ ଦୃଶ୍ୟ ଉପଭୋଗ କରିପାରିବେ।
କେବଳ ପ୍ରାକୃତିକ ସୌନ୍ଦର୍ଯ୍ୟ ନୁହେଁ, ବରଂ ଓଡ଼ିଶାର କଳା ଓ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଏଠାରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ। ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ମୁକ୍ତାକାଶ ରଙ୍ଗମଞ୍ଚ, ଥିମ୍ ଆଧାରିତ ଉଦ୍ୟାନ, ପିକନିକ୍ ସ୍ପଟ୍, ଆଡଭେଞ୍ଚର ଜୋନ୍, ଯୋଗ କେନ୍ଦ୍ର ଏବଂ ସୁସ୍ୱାଦୁ ଖାଦ୍ୟ ପାଇଁ ଫୁଡ୍ କୋର୍ଟ ନିର୍ମାଣ ହେବ। ଏହା ସହିତ ରାଜ୍ୟର ପାରମ୍ପରିକ ହସ୍ତଶିଳ୍ପ, କଳା ଓ ଲୋକନୃତ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ତଥା ସ୍ଥାନୀୟ କାରିଗରଙ୍କୁ ରୋଜଗାର ଯୋଗାଇବା ଉଦ୍ଦେଶ୍ୟରେ ଏଠାରେ ଏକ ‘ଓଡ଼ିଶା ହାଟ’ ଏବଂ ‘ହେରିଟେଜ୍ ଭିଲେଜ୍’ ସ୍ଥାପନ କରାଯିବ।
ପରିବେଶ ସନ୍ତୁଳନ ରକ୍ଷା ଉପରେ ଏହି ପ୍ରକଳ୍ପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏଠାରେ ସ୍ଥାନୀୟ ପ୍ରଜାତିର ବୃକ୍ଷରୋପଣ ସହ ଘଞ୍ଚ ମିୟାୱାକି ଜଙ୍ଗଲ, ପ୍ରଜାପତି ଉଦ୍ୟାନ, ବନ୍ୟପ୍ରାଣୀ ଅଞ୍ଚଳ ଏବଂ ନେଚର ଟ୍ରେଲ୍ ବିକଶିତ କରାଯିବ। ମୋଟ ବ୍ୟୟବରାଦରୁ କେବଳ ନଦୀତଟ ଘାଟ ଓ ନଦୀବନ୍ଧ ସୁରକ୍ଷା କାର୍ଯ୍ୟ ପାଇଁ ୫୪ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଆନୁଷଙ୍ଗିକ ଭିତ୍ତିଭୂମି ଭାବେ ଏଠାରେ ସେତୁ, ଆଭ୍ୟନ୍ତରୀଣ ରାସ୍ତା, ପାର୍କିଂ ବ୍ୟବସ୍ଥା, ସୌରଚାଳିତ ଆଲୋକ, ସିସିଟିଭି ନଜର ଏବଂ ଇଲେକ୍ଟ୍ରିକ୍ ଯାନ ଚାର୍ଜିଂ ଷ୍ଟେସନ ଭଳି ସୁବିଧା ରହିବ।
ଇପିସି ମୋଡରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପକୁ ୨୪ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ଏବଂ ନିର୍ମାଣ ପରେ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ କରାଯିବ। ସମ୍ବଲପୁରର ମଣ୍ଡଳିଆରୁ ଚଉଁରପୁର ସେତୁ ପର୍ଯ୍ୟନ୍ତ ୧୬୦ କୋଟି ଟଙ୍କାରେ ନିର୍ମିତ ହେଉଥିବା ମହାନଦୀ ରିଭରଫ୍ରଣ୍ଟ ପ୍ରକଳ୍ପର ପରିପୂରକ ଭାବେ ପାଣ୍ଡରା ପ୍ରକଳ୍ପ କାର୍ଯ୍ୟ କରିବ। ଆଗାମୀ ଦିନରେ ଏହି ଦୁଇଟି ପ୍ରକଳ୍ପ ମହାନଦୀ ଅବବାହିକାକୁ ପର୍ଯ୍ୟଟନ, ସାଂସ୍କୃତିକ ବିନିମୟ, ପରିବେଶ ସଂରକ୍ଷଣ ଏବଂ ସ୍ଥାୟୀ ଆର୍ଥିକ ଅଭିବୃଦ୍ଧିର ଏକ ପ୍ରମୁଖ କେନ୍ଦ୍ରରେ ପରିଣତ କରିବ ବୋଲି ଆଶା କରାଯାଉଛି।





