OdiaInfo Loading

ଗଞ୍ଜାମରେ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ

ଭୁବନେଶ୍ବର, ୨୨ ନଭେମ୍ବର ୨୦୨୬: ଗଞ୍ଜାମ ଜିଲ୍ଲାର ବିଭିନ୍ନ ଜଳଭଣ୍ଡାର ଓ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟସ୍ଥଳୀ ପରିଦର୍ଶନ ପରେ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ବ୍ରହ୍ମପୁରସ୍ଥିତ ଋଷିକୁଲ୍ୟା-ବଂଶଧାରା-ନାଗାବଳୀ ଅବବାହିକାର ମୁଖ୍ୟ ଯନ୍ତ୍ରୀ ତଥା ଅବବାହିକା ପରିଚାଳକଙ୍କ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ବାତ୍ୟା ଆକଭାନ୍‌ର ପ୍ରଭାବ, ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି, ଜଳଭଣ୍ଡାର ପରିଚାଳନା ଏବଂ ଜିଲ୍ଲାରେ ଜଳସେଚନ ଭିତ୍ତିଭୂମିକୁ ସୁଦୃଢ଼ କରିବା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।

ବୈଠକରେ ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଭି. କୀର୍ତ୍ତି ଭାସନ, ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ୱତନ୍ତ୍ର ଶାସନ ସଚିବ ଇଂ ବିଘ୍ନରାଜ ପୁରୋହିତ, ବ୍ରହ୍ମପୁର ମହାନଗର ନିଗମର କମିଶନର ଶ୍ରୀମତୀ ଅକଭରମ୍ ଶସ୍ୟା ରେଡ୍ଡୀ ଋଷିକୁଲ୍ୟା-ବଂଶଧାରା-ନାଗାବଳୀ ଅବବାହିକାର ମୁଖ୍ୟ ଯନ୍ତ୍ରୀ ତଥା ଅବବାହିକା ପରିଚାଳକ ଶ୍ରୀ ଜଗନ୍ନାଥ ପାଣିଙ୍କ ସମେତ ବିଭାଗର ବିଭିନ୍ନ ଶାଖାର ଅଧୀକ୍ଷଣ ଯନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ବାତ୍ୟା ଆକଭାନ୍ ସମୟରେ ବିଭାଗୀୟ ଯନ୍ତ୍ରୀ ଓ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କ ନିଷ୍ଠାପର ଉଦ୍ୟମ ଏବଂ ଜିଲ୍ଲା ପ୍ରଶାସନ ସହ ସେମାନଙ୍କର ଉତ୍ତମ ସମନ୍ୱୟକୁ ପ୍ରମୁଖ ଶାସନ ସଚିବ ପ୍ରଶଂସା କରିଥିଲେ। ଜରୁରୀ ପରିସ୍ଥିତିରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ, ପ୍ରସ୍ତୁତି ଓ ତ୍ୱରିତ ପ୍ରତିକ୍ରିୟା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ନେଇ ସେ ଆବଶ୍ୟକ ପରାମର୍ଶ ଦେଇଥିଲେ।

ବୈଠକରେ ବାତ୍ୟାରେ କ୍ଷତିଗ୍ରସ୍ତ ଭିତ୍ତିଭୂମିର ପୁନରୁଦ୍ଧାରକୁ ପ୍ରାଥମିକତା ଦେବା, ଦୁର୍ବଳ ସ୍ଥାନଗୁଡ଼ିକୁ ସୁଦୃଢ଼ କରିବା ଏବଂ ଜଳସେଚନ ସୁବିଧାର ଉନ୍ନତି ଉପରେ ଗୁରୁତ୍ୱ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *