ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ କ୍ରିଷ୍ଣା ସ୍ୱାମୀନାଥନ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଗସ୍ତ କ୍ରମରେ ସେ ରାଜଧାନୀ ଭୁବନେଶ୍ୱର ସ୍ଥିତ ଲୋକଭବନରେ ପହଞ୍ଚି ରାଜ୍ୟପାଳ ବ୍ରଜ ମୋହନ ରାମଙ୍କୁ ଭେଟିଛନ୍ତି। ଏହି ବୈଠକରେ ଦେଶର ସାମୁଦ୍ରିକ ସୀମା ସୁରକ୍ଷା ଠାରୁ ଆରମ୍ଭ କରି ଜାତୀୟ ସ୍ୱାର୍ଥ ରକ୍ଷାରେ ନୌସେନାର ଅତୁଳନୀୟ ଅବଦାନ ସମ୍ପର୍କରେ ଗଭୀର ଆଲୋଚନା ହୋଇଥିଲା।
ଦେଶର ସାମୁଦ୍ରିକ ଜଳଭାଗକୁ ଶତ୍ରୁପକ୍ଷଙ୍କ କବଳରୁ ସୁରକ୍ଷିତ ରଖିବାରେ ନୌସେନାର ସୈନିକମାନେ କିପରି ଅହରହ ପ୍ରହରୀ ସାଜିଛନ୍ତି, ସେହି ବିଷୟରେ ବାର୍ତ୍ତାଳାପ ହୋଇଥିଲା। ଏହାବ୍ୟତୀତ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ନୌସେନା ଭେଟେରାନ୍ ବା ଅବସରପ୍ରାପ୍ତ କର୍ମଚାରୀମାନଙ୍କ କଲ୍ୟାଣ ଏବଂ ସେମାନଙ୍କ ସୁରକ୍ଷା ନିମନ୍ତେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଥିଲା।
କେବଳ ସାମୁଦ୍ରିକ ସୁରକ୍ଷା ନୁହେଁ, ବରଂ ଆଜିର ଯୁବପିଢ଼ିଙ୍କ ଭିତରେ ଦେଶପ୍ରେମର ଭାବନା ଜାଗ୍ରତ କରିବା ଏବଂ ସେମାନଙ୍କୁ ଭାରତୀୟ ନୌସେନାରେ ଯୋଗଦେବା ପାଇଁ ପ୍ରେରଣା ଯୋଗାଇବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବାକୁ ନେଇ ମଧ୍ୟ ମତ ବିନିମୟ ହୋଇଥିଲା ବୋଲି ରାଜ୍ୟପାଳ ବ୍ରଜ ମୋହନ ରାମ ନିଜ ସୋସିଆଲ ମିଡ଼ିଆ ମାଧ୍ୟମରେ ସୂଚନା ଦେଇଛନ୍ତି।
ରାଜ୍ୟପାଳଙ୍କ ସହ ଏହି ସାକ୍ଷାତ ପରେ ନୌସେନା ମୁଖ୍ୟ ଆଜି ଚିଲିକା ଠାରେ ଅନୁଷ୍ଠିତ ହେବାକୁ ଥିବା ପାସିଂ ଆଉଟ୍ ପ୍ୟାରେଡ୍ରେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଦେଶର ସୁରକ୍ଷା ବାହିନୀରେ ଯୋଗ ଦେବାକୁ ଯାଉଥିବା ନୂତନ ପ୍ରଶିକ୍ଷାର୍ଥୀମାନଙ୍କର ଏହି ଗୌରବମୟ ପ୍ୟାରେଡ୍ରେ ସେ ସାମିଲ ହୋଇ ସେମାନଙ୍କୁ ଉତ୍ସାହିତ କରିବେ।





