ଭୁବନେଶ୍ୱର: CBSE ବୋର୍ଡ ପରୀକ୍ଷା ୨୦୨୭କୁ ନେଇ ଅପେକ୍ଷାରେ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ବଡ଼ ଖବର। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ପକ୍ଷରୁ ଦଶମ ଓ ଦ୍ୱାଦଶ ଶ୍ରେଣୀର ବାର୍ଷିକ ବୋର୍ଡ ପରୀକ୍ଷା ୨୦୨୭ ପାଇଁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି।
ଏଥିସହ ଉଭୟ ଶ୍ରେଣୀର ପରୀକ୍ଷା ସୂଚୀ ବା ଡେଟ୍ ସିଟ୍ ମଧ୍ୟ ଜାରି କରାଯାଇଛି। ଘୋଷିତ କାର୍ଯ୍ୟସୂଚୀ ଅନୁସାରେ, ଆସନ୍ତା ୨୦୨୭ ଫେବ୍ରୁଆରୀ ୧୬ ତାରିଖରୁ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ଆରମ୍ଭ ହେବ।ପରୀକ୍ଷା ସମୟକୁ ନେଇ ମଧ୍ୟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଅଧିକାଂଶ ପରୀକ୍ଷା ସକାଳ ୧୦ଟା ୩୦ ମିନିଟ୍ରୁ ଆରମ୍ଭ ହେବ। ତେଣୁ ପରୀକ୍ଷାର୍ଥୀମାନେ ନିଜ ନିଜ ବିଷୟର ପରୀକ୍ଷା ତାରିଖ ଓ ସମୟକୁ ଡେଟ୍ ସିଟ୍ରୁ ଭଲ ଭାବରେ ଯାଞ୍ଚ କରିନେବା
ଆବଶ୍ୟକ। ପରୀକ୍ଷା ପୂର୍ବରୁ ତାରିଖ ଘୋଷଣା ହେବା ପରେ ଛାତ୍ରଛାତ୍ରୀ ନିଜର ପାଠପଢ଼ା ଓ ପ୍ରସ୍ତୁତିକୁ ଆହୁରି ଶୃଙ୍ଖଳିତ କରିପାରିବେ।ଜାରି ହୋଇଥିବା ସୂଚୀ ଅନୁସାରେ, ଦଶମ ଶ୍ରେଣୀର ପରୀକ୍ଷା ଫେବ୍ରୁଆରୀ ୧୬ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପରୀକ୍ଷାରେ ମୋଟ ୮୩ଟି ବିଷୟରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପ୍ରଥମ ଦିନରେ ଦଶମ ଶ୍ରେଣୀ ପିଲାଙ୍କ ପେଣ୍ଟିଂ ବିଷୟର ପରୀକ୍ଷା ରହିଛି। ଏହାପରେ ଫେବ୍ରୁଆରୀ ୧୭ ତାରିଖରେ ଗଣିତ ପରୀକ୍ଷା ଅନୁଷ୍ଠିତ ହେବ। ଗଣିତ ପରୀକ୍ଷା ଦଶମ ଶ୍ରେଣୀର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇଥିବାରୁ ଏହାର ପ୍ରସ୍ତୁତି ପାଇଁ ପିଲାମାନଙ୍କୁ ଯଥେଷ୍ଟ ସମୟ ମିଳିବ।ସେହିପରି ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ମଧ୍ୟ ଫେବ୍ରୁଆରୀ ୧୬ ତାରିଖରୁ ଆରମ୍ଭ ହେବ।
ଏହି ପରୀକ୍ଷା ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଦ୍ୱାଦଶ ଶ୍ରେଣୀରେ ମୋଟ ୧୨୧ଟି ବିଷୟରେ ପରୀକ୍ଷା ହେବ। ବିଜ୍ଞାନ, ବାଣିଜ୍ୟ ଓ କଳା ବିଭାଗର ଛାତ୍ରଛାତ୍ରୀ ନିଜ ନିଜର ଚୟନ କରିଥିବା ବିଷୟ ଅନୁଯାୟୀ ପରୀକ୍ଷା ଦେବେ।ବୋର୍ଡ ପରୀକ୍ଷାର ତାରିଖ ଘୋଷଣା ହେବା ପରେ ଏବେ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରସ୍ତୁତିକୁ ଅଧିକ ଗୁରୁତ୍ୱ ଦେବାର ସମୟ ଆସିଛି। ପରୀକ୍ଷାର୍ଥୀମାନେ ଡେଟ୍ ସିଟ୍ ଅନୁସାରେ ନିଜର ପଢ଼ା ସମୟ ନିର୍ଦ୍ଧାରଣ କରିବା ସହ ଅଧା ରହିଥିବା ପାଠ୍ୟକ୍ରମକୁ ସମ୍ପୂର୍ଣ୍ଣ କରିବା ଉପରେ ଧ୍ୟାନ ଦେଇପାରିବେ।
ଏହାସହ ପୂର୍ବ ବର୍ଷର ପ୍ରଶ୍ନପତ୍ର ଅଭ୍ୟାସ ଓ ନିୟମିତ ପୁନରାବୃତ୍ତି ମଧ୍ୟ ପରୀକ୍ଷା ପ୍ରସ୍ତୁତିରେ ସହାୟକ ହେବ।ଅଭିଭାବକମାନେ ମଧ୍ୟ ପିଲାମାନଙ୍କୁ ପଢ଼ା ପାଇଁ ଉପଯୁକ୍ତ ପରିବେଶ ଯୋଗାଇଦେବା ସହ ଚାପମୁକ୍ତ ଭାବରେ ପରୀକ୍ଷା ପ୍ରସ୍ତୁତି କରିବାକୁ ସହଯୋଗ କରିବା ଆବଶ୍ୟକ। ତେବେ CBSE ପକ୍ଷରୁ ଜାରି ହୋଇଥିବା ଅଧିକୃତ ଡେଟ୍ ସିଟ୍ରେ ନିଜ ବିଷୟର ନିର୍ଦ୍ଦିଷ୍ଟ ତାରିଖ, ସମୟ ଓ ଅନ୍ୟାନ୍ୟ ନିର୍ଦ୍ଦେଶାବଳୀ ଯାଞ୍ଚ କରିବାକୁ ପରୀକ୍ଷାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି।
