ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନର ୫୦୦ ମିଟର ପରିଧିକୁ ‘ନିଶାମୁକ୍ତ ଅଞ୍ଚଳ’ ଘୋଷଣା ପାଇଁ ପଦକ୍ଷେପ

ଭୁବନେଶ୍ୱର: ରାଜ୍ୟର ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟର କୁପ୍ରଭାବରୁ ସୁରକ୍ଷିତ ରଖିବା ଏବଂ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ସୁସ୍ଥ ଓ ସୁରକ୍ଷିତ ପରିବେଶ ସୃଷ୍ଟି ଲକ୍ଷ୍ୟରେ ରାଜ୍ୟ ସରକାର ଏକ ବ୍ୟାପକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । “ନିଶାମୁକ୍ତ ଭାରତ ଅଭିଯାନ” ଅଧିନରେ ରାଜ୍ୟର ସମସ୍ତ ବିଦ୍ୟାଳୟ, ଆଇଟିଆଇ, ପଲିଟେକ୍ନିକ୍, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ତଥା ଅନ୍ୟାନ୍ୟ ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନ ଏବଂ ସେମାନଙ୍କ ଛାତ୍ରାବାସର ୫୦୦ ମିଟର ପରିଧିକୁ ‘ନିଶାମୁକ୍ତ ଅଞ୍ଚଳ’ ଭାବେ ଘୋଷଣା କରିବା ପାଇଁ ପଦକ୍ଷେପ ନିଆଯିବ । ଏ ନେଇ ଆଜି ଲୋକସେବା ଭବନଠାରେ ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ବୈଠକରେ ଉଚ୍ଚଶିକ୍ଷା ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ଅବକାରୀ କମିଶନର ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀଙ୍କ ସମେତ ସ୍ୱାସ୍ଥ୍ୟ, ବିଦ୍ୟାଳୟ ଓ ଗଣଶିକ୍ଷା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଗୃହ ବିଭାଗ, ସ୍ୱତନ୍ତ୍ର ଟାସ୍କ ଫୋର୍ସ ଏବଂ ସିଆଇଡି-କ୍ରାଇମବ୍ରାଞ୍ଚର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

ସୂଚନା ଯୋଗ୍ୟ ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୦୨ ଅଗଷ୍ଟ ୨୦୨୬ରେ ‘ବିକଶିତ ଭାରତ ସଂକଳ୍ପ ଅଭିଯାନ ପାଇଁ ନିଶାମୁକ୍ତ ଯୁବ’ର ଶୁଭାରମ୍ଭ କରି ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟଠାରୁ ଦୂରେଇ ରହିବାକୁ ଆହ୍ୱାନ ଦେଇଥିଲେ । ସେହିପରି ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ “ନିଶାକୁ ନା କୁହନ୍ତୁ, ଜୀବନକୁ ହଁ କୁହନ୍ତୁ” ବାର୍ତ୍ତା ଦେଇ ଖେଳକୁଦ, ଯୋଗ, ଶିକ୍ଷା ଓ ସମାଜସେବାକୁ ପ୍ରାଥମିକତା ଦେବାକୁ ଯୁବପିଢ଼ିଙ୍କୁ ଆହ୍ୱାନ ଜଣାଇଛନ୍ତି । ୦୯ ଜାନୁଆରୀ ୨୦୨୬ରେ ଅନୁଷ୍ଠିତ ନବମ ଉଚ୍ଚସ୍ତରୀୟ ନାର୍କୋ କୋର୍ଡିନେସନ୍ (NCORD) କମିଟି ବୈଠକରେ ଶିକ୍ଷାନୁଷ୍ଠାନର ୫୦୦ ମିଟର ପରିଧିକୁ ନିଶାମୁକ୍ତ ଅଞ୍ଚଳ ଘୋଷଣା ପାଇଁ ନିଷ୍ପତ୍ତି ହୋଇଥିଲା । ୦୩ ଅକ୍ଟୋବର ୨୦୨୬ରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଷ୍ଟମ ରାଜ୍ୟସ୍ତରୀୟ NCORD ବୈଠକରେ ମଧ୍ୟ ଏହି ଦିଗରେ ପଦକ୍ଷେପ ନେବାକୁ ଗୁରୁତ୍ୱ ଦିଆଯାଇଥିଲା ।

ଆଜିର ଅନୁଷ୍ଠିତ ବୈଠକରେ ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବ ଶ୍ରୀ ଅଗ୍ରୱାଲ ବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକର ୫୦୦ ମିଟର ପରିଧିକୁ ‘ନିଶାମୁକ୍ତ ଅଞ୍ଚଳ’ ଭାବେ ଘୋଷଣା କରିବା ଏବଂ ଅଭିଯାନ ଅନ୍ତର୍ଗତ ଅନ୍ୟାନ୍ୟ ପଦକ୍ଷେପ ନେଇ ପ୍ରସ୍ତାବିତ କାର୍ଯ୍ୟପଦ୍ଧତି ଉପସ୍ଥାପନ କରିଥିଲେ । ଏଥିରେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ନିଶାମୁକ୍ତ କ୍ୟାମ୍ପସ୍ କମିଟି, ମାନସିକ ସ୍ୱାସ୍ଥ୍ୟ ଓ କଲ୍ୟାଣ କମିଟି ଗଠନ, ନୋଡାଲ୍ ଅଧିକାରୀ ନିଯୁକ୍ତି ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଷ୍ଟୁଡେଣ୍ଟ ଆମ୍ବାସାଡର ଚୟନ ଆଦି ପ୍ରସ୍ତାବ ରହିଛି । ଶିକ୍ଷାନୁଷ୍ଠାନ ଓ ଏହାର ୫୦୦ ମିଟର ପରିଧିରେ ନିଶାଦ୍ରବ୍ୟ ବିକ୍ରୟ ରୋକିବା ପାଇଁ ପୋଲିସ ଓ ଅବକାରୀ ବିଭାଗ ସହ ସମନ୍ୱୟରେ ନିୟମିତ ଯାଞ୍ଚ ଓ ଆଇନଗତ ପଦକ୍ଷେପ ନିଆଯିବ । ନିଶାମୁକ୍ତ ଅଞ୍ଚଳ ସମ୍ପର୍କିତ ସୂଚନା ଫଳକ ସ୍ଥାପନ, ଅଭିଯୋଗ ପାଇଁ ଡ୍ରପ୍ ବକ୍ସ ଓ ଅନଲାଇନ୍ ବ୍ୟବସ୍ଥା ଏବଂ ପ୍ରତିମାସରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ନେଇ ମଧ୍ୟ ଆଲୋଚନା ହୋଇଥିଲା ।

ଯୋଗ, କ୍ରୀଡ଼ା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଜୀବନ କୌଶଳ ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସକାରାତ୍ମକ କାର୍ଯ୍ୟକଳାପରେ ନିୟୋଜିତ କରାଯିବ। ନିଶାସେବନରେ ଆସକ୍ତ ଛାତ୍ରଛାତ୍ରୀଙ୍କୁ ଦଣ୍ଡିତ କରିବା ପୂର୍ବରୁ ପ୍ରଥମେ ପରାମର୍ଶ, ଚିକିତ୍ସା ଓ ନିଶାମୁକ୍ତି କେନ୍ଦ୍ର ମାଧ୍ୟମରେ ସହାୟତା ଯୋଗାଇଦେବା ଉପରେ ଗୁରୁତ୍ୱ ଦିଆଯିବ । ଏହାସହ ନିୟମିତ ଯାଞ୍ଚ, ମାସିକ ଅନୁପାଳନ ରିପୋର୍ଟ ଓ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରୁଥିବା ଶିକ୍ଷାନୁଷ୍ଠାନକୁ ‘ନିଶାମୁକ୍ତ କ୍ୟାମ୍ପସ୍’ ପ୍ରମାଣପତ୍ର ପ୍ରଦାନ ବ୍ୟବସ୍ଥା ନେଇ ମଧ୍ୟ ଆଲୋଚନା ହୋଇଥିଲା । ଏ ସଂକ୍ରାନ୍ତରେ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତ କରାଯିବା ନେଇ ଆଲୋଚନା କରାଯାଇଛି ।

ଉନ୍ନୟନ କମିଶନର ଶ୍ରୀଯୁକ୍ତ ସିଂହ କହିଥିଲେ ଯେ, ଯୁବପିଢ଼ି ଦେଶ ଓ ରାଜ୍ୟର ଭବିଷ୍ୟତ । ସେମାନଙ୍କୁ ନିଶାଦ୍ରବ୍ୟର କବଳରୁ ଦୂରେଇ ରଖିବା କେବଳ ସରକାରଙ୍କ ନୁହେଁ, ବରଂ ଶିକ୍ଷାନୁଷ୍ଠାନ, ଅଭିଭାବକ ଓ ସମାଜର ସମସ୍ତଙ୍କର ସାମୂହିକ ଦାୟିତ୍ୱ । ଏଥିପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକ ପରସ୍ପର ମଧ୍ୟରେ ଉତ୍ତମ ସମନ୍ୱୟ ରଖି ଏହି ଅଭିଯାନରେ ସହଯୋଗ କରିବା, ନିୟମିତ ତଦାରଖ ଓ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ଦଣ୍ଡାତ୍ମକ ପଦକ୍ଷେପ ସହିତ ନିଶାସକ୍ତ ଯୁବକଯୁବତୀଙ୍କୁ ଚିକିତ୍ସା, ପରାମର୍ଶ ଓ ପୁନର୍ବାସ ସହାୟତା ଯୋଗାଇଦେବା ଉପରେ ମଧ୍ୟ ସମାନ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *